
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସମୃଦ୍ଧ ଓଡିଶା ଗଠନ ଦିଗରେ ଅଗ୍ରସର ହେଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ ନୂଆ ଶିଳ୍ପ ପ୍ରତିଷ୍ଠା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ପଦକ୍ଷେପ ନେଉଛନ୍ତି ମୋହନ ସରକାର । ଏହି କ୍ରମରେ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୪,୯୮୨.୬୬ କୋଟି ଟଙ୍କାର ୨୩ଟି ନୂତନ ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ପ୍ରସ୍ତାବଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲାରେ ୧୧,୯୩୩ଟି ନିଯୁକ୍ତି ସୃଷ୍ଟି କରିବ । ପ୍ରକଳ୍ପ ଅନୁମୋଦନ ଲାଗି ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ବୈଠକରେ ଉପସ୍ଥାପନ କରିଥିଲେ ।ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଛି ୧୩୮ତମ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ । ବୈଠକରେ ୨୩ଟି ନୂତନ ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୧୨ଟି ଜିଲ୍ଲାରେ ୪,୯୮୨.୬୬ କୋଟି ଟଙ୍କାର ନିବେଶ ହେବ । ଫଳରେ ୧୧,୯୩୩ଟି ନିଯୁକ୍ତି ସୃଷ୍ଟି ହେବ । ଖୋର୍ଦ୍ଧା, ସୁନ୍ଦରଗଡ଼, ଯାଜପୁର, ବାଲେଶ୍ଵର, ବରଗଡ଼, କଟକ, ପୁରୀ, ଗଜପତି, ନୟାଗଡ଼, କନ୍ଧମାଳ, ଗଞ୍ଜାମ ଓ ଦେଓଗଡ଼ରେ ଏହି ଶିଳ୍ପ ପ୍ରତିଷ୍ଠା ହେବ । ପୋଷାକ ଏବଂ ବୟନଶିଳ୍ପ, ଇସ୍ପାତ ଏବଂ ଡାଉନଷ୍ଟ୍ରିମ ଶିଳ୍ପ, ଖାଦ୍ୟ ଏବଂ ପାନୀୟ, ରାସାୟନିକ ପଦାର୍ଥ, ଔଷଧ, ଶକ୍ତି ଏବଂ ନବୀକରଣୀୟ ଶକ୍ତି, ଆଇଟି ଏବଂ ଆଇଟିଇଏସ, ପର୍ଯ୍ୟଟନ ଏବଂ ମହାକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଏସବୁ ନିବେଶ ଆସିଛି ।
ପୋଷାକ ଏବଂ ବୟନଶିଳ୍ପ:ଓଡ଼ିଶାର ବୟନଶିଳ୍ପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ KPR ମିଲ ଲିମିଟେଡ ଖୋର୍ଦ୍ଧାରେ ଏକ ବୃହତ ପୋଷାକ ଉତ୍ପାଦନ ୟୁନିଟ ସ୍ଥାପନ କରିବ । ଯାହାର ବାର୍ଷିକ ଉତ୍ପାଦନ କ୍ଷମତା ୪୬.୮ ନିୟୁତ ପିସ ହେବ । ୩୫୦ କୋଟି ନିବେଶରେ ୫,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଇସ୍ପାତ ଏବଂ ଡାଉନଷ୍ଟ୍ରିମ ଶିଳ୍ପ: ବିଦ୍ୟା ମିନେରାଲ୍ସ ପ୍ରାଇଭେଟ ଲିମିଟେଡ ସୁନ୍ଦରଗଡ଼ରେ ୦.୨୧ MTPA ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନ କରିବ । ୬୨୦ କୋଟି ନିବେଶରେ ୫୨୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଜାତିଆ ଷ୍ଟିଲ ଲିମିଟେଡ ଯାଜପୁରରେ ଏକ ଇସ୍ପାତ ୟୁନିଟ ସ୍ଥାପନ କରିବ । ୪୫୧.୯୦ କୋଟି ନିବେଶରେ ୧୭୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅତିରିକ୍ତ ଭାବେ ଆମଷ୍ଟେଡ ଷ୍ଟିଲ ଫାଉଣ୍ଡ୍ରିଜ, ମାନକାଶ ଏଣ୍ଟରପ୍ରାଇଜେସ ଏବଂ ଷ୍ଟିଲୋଗ୍ରାଫ ଆସେଣ୍ଡର୍ସର ପ୍ରସ୍ତାବ ରାଜ୍ୟର ଡାଉନଷ୍ଟ୍ରିମ କ୍ଷମତାକୁ ଆହୁରି ବୃଦ୍ଧି କରିବ ।
ଖାଦ୍ୟ ଏବଂ ପାନୀୟ: ହିନ୍ଦୁସ୍ତାନ ଆକ୍ୱା ପ୍ରାଇଭେଟ ଲିମିଟେଡ ସୁନ୍ଦରଗଡ଼ରେ ଏକ ପାନୀୟ ୟୁନିଟ ସ୍ଥାପନ କରିବ । ୩୨୦ କୋଟି ନିବେଶରେ ୨୫୦ ନିଯୁକ୍ତି ସୁଯୋଗ ରହିଛି । ପ୍ରଗତି ମିଲ୍କ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡ ବାଲେଶ୍ୱରରେ ଏକ ଦୁଗ୍ଧ ପ୍ରକ୍ରିୟାକରଣ ପ୍ରକଳ୍ପ ପ୍ରତିଷ୍ଠା କରିବ । ଏଥିରେ ନିବେଶ ହେବ ୧୧୪.୩୪ କୋଟି । ନିଯୁକ୍ତି ପାଇବେ ୬୭୪ ଜଣ ।
ପର୍ଯ୍ୟଟନ ଏବଂ ଆତିଥ୍ୟ: ପୁରୀ, ଗଜପତି, ନୟାଗଡ଼, କନ୍ଧମାଳ ଏବଂ ଗଞ୍ଜାମରେ ୪୭୯ କୋଟି ଟଙ୍କାର ୬ଟି ପ୍ରିମିୟମ ଆତିଥ୍ୟ ପ୍ରକଳ୍ପ ସ୍ଥାପନ ହେବ। ଓଡ଼ିଶାର ସ୍ଥାୟୀ ଏବଂ ବିଳାସପୂର୍ଣ୍ଣ ପର୍ଯ୍ୟଟନକୁ ଧ୍ୟାନରେ ରଖି ପ୍ରୋତ୍ସାହନ ମିଳିବ । ୧,୩୫୨ ନିଯୁକ୍ତି ସୃଷ୍ଟି କରିବ । ଉଚ୍ଚସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବରେ ଓଡ଼ିଶାର ଆକର୍ଷଣକୁ ଆହୁରି ସୁଦୃଢ଼ କରିବ ।
ମହାକାଶ ଏବଂ ପ୍ରତିରକ୍ଷା:BonV ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍ ଖୋର୍ଦ୍ଧାରେ ଏକ ଡ୍ରୋନ ପାର୍କ ପ୍ରତିଷ୍ଠା କରିବ । ୩୦୦ କୋଟି ନିବେଶରେ ଗବେଷଣା ଏବଂ ବିକାଶ, ଉତ୍ପାଦନ ଏବଂ ତାଲିମ ପାଇଁ ଏକ ସମନ୍ୱିତ UAV ଇକୋସିଷ୍ଟମ ବ୍ୟବସ୍ଥା ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ । ୭୬୦ ନିଯୁକ୍ତି ସୃଷ୍ଟି କରିବା ସହ ଭାରତରେ ଡ୍ରୋନ ପ୍ରଯୁକ୍ତିବିଦ୍ୟାରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶାକୁ ପ୍ରତିଷ୍ଠା କରିବ ।
ସବୁଜ ଶକ୍ତି ଏବଂ ସବୁଜ ଉପକରଣ:ଇକୋଡାଇନାମିକ୍ସ ଗ୍ରୀନ ଏନର୍ଜି ପ୍ରାଇଭେଟ ଲିମିଟେଡ ବରଗଡ଼ରେ ୧୦୦ କୋଟି ନିବେଶରେ ଏକ ୩୦ ମେଗାୱାଟ ସୌର ଶକ୍ତି କେନ୍ଦ୍ର ସ୍ଥାପନ କରିବ । ଲ୍ୟୁମିନସ ପାୱାର ଟେକ୍ନୋଲୋଜିସ ପ୍ରାଇଭେଟ ଲିମିଟେଡ ଗୋପାଳପୁରରେ ଏକ ୧.୨ GW ସୌର ସେଲ ଏବଂ ୧ GW ସୌର PV ମଡ୍ୟୁଲ୍ ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ଯୋଜନା କରିଛି । ୯୫୦ କୋଟିର ଏହି ପ୍ରକଳ୍ପରେ ପ୍ରାୟ ୧,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଶିଳ୍ପ ଗ୍ୟାସ, ରାସାୟନିକ ପଦାର୍ଥ ଏବଂ ଔଷଧ:ଲିଣ୍ଡେ ଇଣ୍ଡିଆ ସୁନ୍ଦରଗଡ଼ରେ ଏକ ଏୟାର ସେପରେସନ ୟୁନିଟ୍ ସ୍ଥାପନ କରିବ । ଗ୍ରୋଇଂ ଟ୍ରି ଅଏଲ ରିଫାଇନାରୀ ପ୍ରାଇଭେଟ ଲିମିଟେଡ ବରଗଡ଼ରେ ଏକ ଦ୍ରାବକ ନିଷ୍କାସନ ୟୁନିଟ ସ୍ଥାପନ କରିବ । ସିନାଟ ଫାର୍ମା ପ୍ରାଇଭେଟ ଲିମିଟେଡ କଟକରେ ଏକ API ଉତ୍ପାଦନ ୟୁନିଟରେ ୧୦୦ କୋଟି ନିବେଶ କରିବ । ସୂଚନା
ପ୍ରଯୁକ୍ତିବିଦ୍ୟା: ଆପ୍ମୋସିସ ଟେକ୍ନୋଲୋଜିସ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ୬୫ କୋଟିର ଏକ ସଫ୍ଟୱେର ବିକାଶ କେନ୍ଦ୍ର ସ୍ଥାପନ କରିବ । ଯାହା ୧୫୫ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଯାହା ଡିଜିଟାଲ ଏବଂ ଆଇଟି ସେବା କ୍ଷେତ୍ରରେ ଓଡ଼ିଶାର ବର୍ଦ୍ଧିତ ଆକର୍ଷଣକୁ ପ୍ରଦର୍ଶିତ କରିବ ।