
ଭୁବନେଶ୍ବର: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଅମରେଶ ଜେନାଙ୍କ ବିରୁଦ୍ଧରେ ଦୁଷ୍କର୍ମ, ଭୃଣ ହତ୍ୟା ଓ ମହିଳାଙ୍କୁ ପ୍ରତାରଣା ଅଭିଯୋଗ ଆସିଛି। ଜଣେ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି ଅମରେଶ ଓରଫ ବାଇଆଁ ଜେନାଙ୍କ ନାଁରେ। ୨୦୨୩ରୁ ତାଙ୍କ ସହ ସମ୍ପର୍କ ରଖିବା ସହ ତାଙ୍କୁ ଗର୍ଭବତୀ ମଧ୍ୟ କରିଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରିଣୀ । କର୍ପୋରେଟରଙ୍କ ବିରୋଧରେ ପୀଡିତା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି।କର୍ପୋରେଟର ଅମରେଶ ଜେନାଙ୍କ ବିରୁଦ୍ଧରେ ମାମଲା ରୁଜୁ୧୯ ବର୍ଷୀୟା ଯୁବତୀ ଜୁଲାଇ ୨୩ ତାରିଖରେ ଲକ୍ଷ୍ମୀସାଗର ଥାନାରେ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । କର୍ପୋରେଟରଙ୍କ ବିରୁଦ୍ଧରେ ପ୍ରେମ, ପ୍ରତାରଣା, ଦୁଷ୍କର୍ମ ଓ ଭୃଣ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବତୀ । ଯୁବତୀଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ପୁଲିସ ଗତକାଲି ଭାରତୀୟ ନ୍ୟାୟ ସଂହିତାର ଧାରା ୬୪(୨)ଏମ), ୮୯, ୨୯୬, ୩୫୧(୨), ଓ ପୋକସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଛି । ଜୁଲାଇ ୨୪ରେ ଯୁବତୀଙ୍କ ଡାକ୍ତରୀ ମାଇନା କରିବା ସହ ଭାରତୀୟ ନ୍ୟାୟ ସଂହିତାର ଧାରା-୧୮୩ରେ ତାଙ୍କର ବୟାନ ରେକର୍ଡ କରିଥିବା ସୁଚନା ଦେଇଛି ପୋଲିସ ।ଅଭିଯୋଗକାରୀଙ୍କ ଓକିଲ ସୁମନ୍ତ ସ୍ବାଇଁ କହିଛନ୍ତି ଯେ ‘‘ମୋ ମହକିଲ ଏବେ ଯୁକ୍ତ ତିନି ଛାତ୍ରୀ । ଗତ 2022ରେ ରଜ ମହୋତ୍ସବରେ ପୀଡିତା ଜଣକ ଅମେରଶ ଜେନାଙ୍କ ସହ ଦେଖା ହୋଇଥିଲେ । ସେତେବେଳେ ସେ ପୀଡିତାଙ୍କୁ ଏକ ମୋବାଇଲ ଉପହାର ଦେଇଥିଲେ । ପୀଡିତାଙ୍କୁ ପ୍ରଲୋଭନ ଦେଖାଇ ଅମରେଶ ଜେନା ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଅମରେଶ ବହୁତ ଥର ତାଙ୍କୁ ପୁରୀ ନେଇ ସରପ୍ରାଇଜ ଦେବା ଆଳରେ ଶାରିରୀକ ସମ୍ପର୍କ ରଖିଥିଲେ । ଏହାପରେ ପୀଡିତାଙ୍କୁ ବାଧ୍ୟ କରାଯାଇ ତାଙ୍କ ଭୃଣ ନଷ୍ଟ କରାଯାଇଥିଲା । ଯେହେତୁ ଏବେ ମହିଳା ସୁରକ୍ଷା କ୍ଷେତ୍ରରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛି ସେଥିପାଇଁ ଝିଅଟି ସାହାସ ଜୁଟାଇ ଅମରେଶ ଜେନାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏହି ଘଟଣା ଲକ୍ଷ୍ମୀସାଗର ଥାନା ଅଞ୍ଚଳର ହୋଇଥିବାବେଳେ ମୋ ମହକିଲଙ୍କୁ ବାରମ୍ବାର ଖାରବେଳ ନଗର ଥାନା ଓ ସହୀଦ ନଗର ଥାନାକୁ ଡକାଇ ନିର୍ଯାତନା ଦିଆଯାଉଛି ’’।କଣ ଥିଲା ଘଟଣା ?ଏହି ଯୁବତୀଙ୍କ ଘର ମଧ୍ୟ ଲକ୍ଷ୍ମୀସାଗର ଥାନା ଅଂଚଳରେ । ୨୦୨୩ ସେପ୍ଟେମ୍ବର ମାସରୁ ଅମରେଶ ପୁରୀରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଛନ୍ତି । ଅମରେଶ ତାଙ୍କ ସହ ପ୍ରଥମ ଥର ପାଇଁ ପୁରୀରେ ଶାରୀରିକ ସମ୍ପର୍କ ରଖିବାବେଳେ ସେତେବେଳେ ତାଙ୍କର ବୟସ ମାତ୍ର ୧୭ ବର୍ଷ ହୋଇଥିଲା ବୋଲି ଯୁବତୀ ଜଣକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତେବେ ଚଳିତବର୍ଷ ଏପ୍ରିଲ ମାସ ଠୁ ଅମରେଶ ଅଭିଯୋଗକାରୀଙ୍କ ଠୁ ଦୂରେଇବା ସହ ମାଡ଼ ମାରି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବାର ସେ ଅଭିଯୋଗ କରିଛନ୍ତି । ଅମରେଶଙ୍କ ସହ କଥା ହୋଇଥିବା ସୋସିଆଲ ମିଡ଼ିଆର ଚାଟ୍ ମଧ୍ୟ ଯୁବତୀ ସେୟାର କରିଛନ୍ତି ।ମାମଲାକୁ ୨ ଦିନ ବିତିଯାଇଥିଲେ ବି ପୋଲିସ ଅମରେଶଙ୍କୁ ଗିରଫ କରିନାହିଁ । ଯଦି ତାଙ୍କୁ ଗିରଫ କରାନଯାଏ ବା ତାଙ୍କୁ ନ୍ୟାୟ ନ ମିଳେ ତେବେ ସେ ପେଟ୍ରୋଲ ଜାଳି ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଅମରେଶଙ୍କ କ୍ଷେତ୍ରରେ ପୋଲିସ ସମ୍ପୂର୍ଣ୍ଣ ନିରବ ରହିଛି । ଏହି ଦୁଷ୍କର୍ମ ଅଭିଯୋଗ ସତ୍ତ୍ୱେ ପୁଲିସ ଏପର୍ଯ୍ୟନ୍ତ କାହିଁକି ଅମରେଶଙ୍କୁ ଗିରଫ କରିନାହିଁ ଓ କାହା ଚାପରେ ପୁଲିସ ଦୋମୁହାଁ ନୀତି ଅବଲମ୍ବନ କରି ନିଜର ବିଶ୍ୱସନୀୟତା ହରାଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।ପିଡିତାକୁ ଚିହ୍ନି ନାହାନ୍ତି ଅମରେଶ ଜେନାସେପଟେ ଏହି ଅଭିଯୋଗକୁ ଷଡଯନ୍ତ୍ର କହିଛନ୍ତି କର୍ପୋରେଟର ଅମରେଶ ଜେନା । ତାଙ୍କ ବିରୁଦ୍ଧରେ ସାଂଘାତିକ ଷଡଯନ୍ତ୍ର ହୋଇଥିବା ସେ କହିଛନ୍ତି । ‘‘ଯେହେତୁ ସେ ଜଣେ କର୍ପୋରେଟର ଓ ରାଜନୀତିରେ ସକ୍ରିୟ ଅଛନ୍ତି ତାଙ୍କୁ ଫସେଇବା ପାଇଁ ଏପରି କରାଯାଇଛି। ସେ ଝିଅ ବିଷୟରେ ସେ ଜାଣିନାହାନ୍ତି । ପୋଲିସ ତଦନ୍ତ କରୁ ଯଦି ସେପରି କିଛି ପ୍ରମାଣ ଅଛି ତାହାଲେ ପୋଲିସ କାର୍ଯାନୁଷ୍ଠାନ ନେଉ’’ ବୋଲି କହିଛନ୍ତି ଅମରେଶ ଜେନା ।ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିଲେ କଂଗ୍ରେସ ନେତାଅନ୍ୟପଟେ କିଛିଦିନ ପୂର୍ବରୁ କଂଗ୍ରେସର ଛାତ୍ର ସଭାପତି ଉଦିତ୍ ପ୍ରଧାନଙ୍କ କ୍ଷେତ୍ରରେ ଦୁଷ୍କର୍ମ ଅଭିଯୋଗକୁ ନେଇ କମିଶନରେଟ ପୁଲିସ ମାତ୍ରାଧିକ ତତ୍ପରତା ଦେଖାଇ ତାଙ୍କୁ ରାତିଅଧିଆ ଗିରଫ କରିଥିଲା । ଜଣେ ଯୁବତୀଙ୍କ ଦ୍ୱାରା ୪ମାସ ପୁରୁଣା (ମାର୍ଚ୍ଚ ମାସରେ ଦୁଷ୍କର୍ମ ଅଭିଯୋଗ) ଘଟଣା ଆଧାରରେ କଂଗ୍ରେସ ଛାତ୍ର ନେତା ଉଦିତଙ୍କୁ ପୁଲିସ ଉଠାଇ ଆଣିଥିଲା । ଏହି ଘଟଣାରେ ଉଦିତଙ୍କୁ ପୁଲିସ ଉଠାଇବା ଆଣିବା ପୂର୍ବରୁ ସମ୍ପୃକ୍ତ ଅଭିଯୋଗକାରିଣୀଙ୍କ ଡାକ୍ତରୀ ମାଇନା କିମ୍ବା ପାରିପାଶ୍ୱିର୍କ ପରିସ୍ଥିତି, ସାକ୍ଷୀପ୍ରମାଣ ଆଦି କିଛି ମଧ୍ୟ ସଂଗ୍ରହ କରିନଥିଲା । ତଥାପି ତାଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଥିଲା ପୋଲିସ ।