ଭଞ୍ଜନଗର: ଲଙ୍କାଧୂଆଁ ଦେଇ ନାଗସାପକୁ ଜଗିଲେ ୮ ଘଣ୍ଟା, ତଥାପି ଗାଡିରୁ ବାହରିଲାନି ସାପ

ଭଞ୍ଜନଗର ୨୬/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବର୍ଷାଋତୁରେ ଗାତଗୁଡ଼ିକରେ ପାଣି ଭର୍ତ୍ତି ହୋଇଯାଉଛି। ଫଳରେ ସାପମାନେ ଗାତ ଭିତରୁ ବାହାରି ଏଣେତେଣେ ଘୂରି ବୁଲୁଛନ୍ତି। ଏହି ସମୟରେ ସେମାନଙ୍କ ଆକ୍ରମଣରେ ଲୋକେ ମୃତ୍ୟୁବରଣ କରୁଛନ୍ତି। ଏଥିସହ ଲୋକେ ମଧ୍ୟ ସାପକୁ ବାଡ଼ାଇ ମାରିଦେଉଛନ୍ତି। ତେଣୁ ଅନ୍ୟ ଋତୁ ଅପେକ୍ଷା ବର୍ଷାଋତୁରେ ସାପ ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର କର୍ମଚାରୀ କାଳୀପ୍ରସାଦ ତ୍ରିପାଠୀଙ୍କ ସ୍କୁଟିରେ ଏକ ନାଗସାପ ଶନିବାର ସକାଳ ୧୦ଟାରେ ପଶିଯାଇଥିଲା। ଏନେଇ ଛାତ୍ରମାନେ ଦେଖି ହୋ-ହଲ୍ଲା କରିବା ପରେ କାଳୀପ୍ରସାଦ ଆସି ସାପକୁ ଗାଡ଼ିରୁ ବାହାର କରିବା ପାଇଁ ଅନେକ ଚେଷ୍ଟା କରିଥିଲେ। କିନ୍ତୁ ସାପ ଗାଡିରୁ ବାହାରି ନ ଥିଲା। ସାପକୁ ଗାଡ଼ିରୁ ବାହାର କରିବା ପାଇଁ ଗାଡ଼ିକୁ ଲଙ୍କାଧୂଆଁ ଦେଇ ଫିନାଇଲ ପକାଇଥିଲେ। ପାଣି ଢାଳିଥିଲେ। ତଥାପି ସାପ ବାହାରି ନ ଥିଲା। ଶେଷରେ କାଳୀ ଗାଡ଼ିକୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୀର୍ଘ ୮ ଘଣ୍ଟା ଜଗିରହିଥିଲେ। ଶେଷରେ କାଳୀ ଭୟଭୀତ ଅବସ୍ଥାରେ ଗାଡ଼ିକୁ ନେଇ ଗ୍ୟାରେଜରେ ଦେଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଇତିହାସ ବିଭାଗ ଅଧ୍ୟାପକ ଡ. ସୀମାଞ୍ଚଳ ବେହେରାଙ୍କ ବାଇକ୍‌ରେ ମଧ୍ୟ ସାପ ଗତ ସପ୍ତାହରେ ପଶିଯାଇଥିଲା। ଏଥିପାଇଁ ମଧ୍ୟ ସୀମାଚଳ କାଳୀଙ୍କ ଭଳି ଫର୍ମୂଲା ପ୍ରୟୋଗ କରିଥିଲେ। କିନ୍ତୁ ସାପ ବାହାରି ନ ଥିଲା। ଏହା ପରେ ସାପଟି କିଛି ଘଣ୍ଟା ପରେ ବାହାରି ଯାଇଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *