
ଭୁବନେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା ନଦୀରେ ବନ୍ୟା ଆସିଛି । ଫଳରେ ଉତ୍ତର ଓଡିଶାର ସମସ୍ତ ଜିଲ୍ଲା ପ୍ରଭାବିତ ହୋଇଛି । ସେହିପରି ହୀରାକୁଦରୁ ମହାନଦୀକୁ ଜଳ ନିଷ୍କାସନ ଯୋଗୁଁ ତଳ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ପାଗ ଅନୁକୂଳ ଥିବାରୁ ସମସ୍ତ ନଦୀର ଜଳସ୍ତର କମିବାରେ ଲାଗିଛି । ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢି ଯାଇଛି । କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
ଉତ୍ତର ଓଡିଶା କ୍ଷତିଗ୍ରସ୍ତ-
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ବର୍ତ୍ତମାନ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି । ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହେବ ବୋଲି ଆକଳନ ହୋଇଥିଲା । କିନ୍ତୁ ଏହା ହୋଇନାହିଁ । କିଛି କିଛି ପଞ୍ଚାୟତର ଲୋକଙ୍କୁ ସ୍ଥାନାନ୍ତର କରିଥିଲୁ । ଆନୁଷଙ୍ଗିକ ସହଯୋଗ ମଧ୍ୟ ଯୋଗାଇ ଦେଇଥିଲୁ । ଉଭୟ ଜିଲ୍ଲା ବର୍ତ୍ତମାନ ସମ୍ପୂର୍ଣ୍ଣ ବିପଦ ମୁକ୍ତ ଅଛି । ଭଦ୍ରକ ଓ ଯାଜପୁର ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ଉଭୟ ଜିଲ୍ଲାର ପରିସ୍ଥିତିରେ ସୁଧାର ଆସିଛି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ବାଲେଶ୍ଵର ଜିଲ୍ଲା ହୋଇଛି । ଗତକାଲି ବାଲେଶ୍ଵର ଜିଲ୍ଲାରେ ଥିବା ନଦୀର ଜଳସ୍ତର ବଢି ଚାଲିଥିଲା । ଆଜି ଉପର ମୁଣ୍ଡରେ ଅର୍ଥାତ ଝାରଖଣ୍ଡରେ ବର୍ଷା ବନ୍ଧ ହୋଇଯାଇଛି । ସେହିପରି ଛତିଶଗଡ଼ରେ ବର୍ଷା ବନ୍ଧ ହୋଇଯାଇଥିବାରୁ ହୀରାକୁଦରେ 20ରୁ ଅଧିକ ଗେଟ ଖୋଲିବା ଆବଶ୍ୟକ ପଡ଼ିଲେ ନାହିଁ । ହୀରାକୁଦକୁ ଜଳ ପ୍ରବେଶ କମ ଓ ନିଷ୍କାସନ ଅଧିକ ହେଉଛି । ନାରାଜ ଆଗକୁ ଯେଉଁ ଅଞ୍ଚଳରେ କ୍ଷୟକ୍ଷତି ଅଧିକ ହେବ ବୋଲି ଆକଳନ ହୋଇଥିଲା, ସେଭଳି ପରିସ୍ଥିତି ଆଉ ନାହିଁ ।”
ପାଣି ଛାଡିବା ପରେ ଆରମ୍ଭ ହେବ ଆକଳନ-
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ବାଲେଶ୍ଵର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ର କିଛି ସ୍ଥାନର ଲୋକ ରିଲଫ ସେଣ୍ଟରରେ ଅଛନ୍ତି । ରିଲିଫ ସେଣ୍ଟରରେ ଥିଲେ ରନ୍ଧା ଖାଦ୍ୟ, ଘରେ ଥିଲେ ଶିଖିଲା ଖାଦ୍ୟ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛୁ । ବନ୍ୟା ପରବର୍ତ୍ତୀ ସମୟ ଅଧିକ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ବିଶୋଧନ କରାଯିବ । ବୋଲବମ ଯାତ୍ରୀଙ୍କୁ ସ୍ୱଚ୍ଛ ପାଣି, ପାଣି ଛାଡିଲେ ସାପ ଆକ୍ରମଣ ବଢେ, ତେଣୁ ଆଣ୍ଟି ଭେନମ ପ୍ରତି 10 କିମି ମଧ୍ୟରେ ପ୍ରସ୍ତୁତ ରଖାଯାଇଛି । କ୍ଷୟକ୍ଷତି ଦୁଇ ପ୍ରକାର । ବ୍ୟକ୍ତିଗତ କ୍ଷୟକ୍ଷତି ପାଣି ଛାଡିବା ପରେ ଆକଳନ ଆରମ୍ଭ କରିବୁ । ଚାଷ ଜମି କ୍ଷୟକ୍ଷତି, ଘର କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାଣି ଛାଡିବା ପରେ ଏହା ମିଳିଯିବ । ଏହା ଛଡା ଅନ୍ୟ ବିଭାଗର କ୍ଷୟକ୍ଷତିର ଭରଣା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ କରେ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଶକ୍ତି ଓ ଜଳ ସମ୍ପଦ ବିଭାଗର କ୍ଷୟକ୍ଷତି ଆକଳନ କରି ବିଭାଗ ଭରଣା କରିବ । ରିପୋର୍ଟ ଆସିବାର 24 ଘଣ୍ଟା ମଧ୍ୟରେ କ୍ଷତିପୂରଣ ଜିଲ୍ଲା ଓ ବିଭାଗଙ୍କୁ ପଠେଇ ଦେବୁ ।”
ମୁଖ୍ୟମନ୍ତ୍ରୀ କରିପାରନ୍ତି ଆକାଶ ମାର୍ଗରୁ ପରିଦର୍ଶନ-
ପାଗ ଠିକ ଓ ଉପଯୋଗୀ ରହିଲେ ଆସନ୍ତାକାଲି ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ କ୍ଷୟକ୍ଷତିର ନିରୀକ୍ଷଣ କରିବେ । ପାଗ ଅନୁକୂଳ ନରହିଲେ ରାଜସ୍ୱ ବିଭାଗ କ୍ଷୟକ୍ଷତି ବାବଦରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ । ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବାର 24 ଘଣ୍ଟା ଭିତରେ ମିଳିବ ସହାୟତା। ପାଗ ଅନୁକୂଳ ହେଲେ ଆସନ୍ତା କାଲି ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ପ୍ରାୟ ସବୁ ନଦୀରେ ଜଳସ୍ତର କମିଛି। ତଳିଆ ଅଞ୍ଚଳରୁ ପାଣି ଛାଡିବା ପାଇଁ ସମୟ ଲାଗିବ। ଯେତେ ଦିନ ପର୍ଯ୍ୟନ୍ତ ଲୋକେ ରିଲିଫ ସେଣ୍ଟର ଅଛନ୍ତି ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି
ଜଳକା ଘାଇ ହୋଇଛି ମରାମତି-
ଉତ୍ତର ଓଡ଼ିଶାର ବଡ଼ ନଦୀ ସୁବର୍ଣ୍ଣରେଖାରେ ଗତକାଲି ବନ୍ୟା ଆସିଛି । ରାତି 11ରେ ବାଲେଶ୍ଵରର ରାଜଘାଟରେ ସୁବର୍ଣ୍ଣରେଖାର ଜଳସ୍ତର 10.27 ମିଟର ପହଁଚିଥିଲା । ଜଳସ୍ତର ହ୍ରାସ ପାଇ ବର୍ତ୍ତମାନ 9.80 ମିଟର ଅଛି । ରାଜଘାଟରେ ସୁବର୍ଣ୍ଣରେଖାରେ ବିପଦ ସଂକେତ 10.36 ମିଟର ଥିବାବେଳେ ବର୍ତ୍ତମାନ ବିପଦ ସଂକେତ ତଳେ ଜଳ ପ୍ରବାହିତ ହେଉଛି । ସମୁଦ୍ରକୁ ଜଳ ନିଷ୍କାସନ ହେବା ଲାଗି ଦୁଇ ଦିନ ଲାଗିବ । ସମୟ ଲାଗିବ ପାଣି ନିଷ୍କାସନ ହେବାକୁ । ଜଳକା ନଦୀର ଜଳସ୍ତର ସତର୍କ ସଂକେତ ପାଖାପାଖି ଅଛି । ଜଳକା ନଦୀ ମୟୁରଭଞ୍ଜ ରାସଗୋବିନ୍ଦପୁର ବ୍ଲକର ଲେଦାର ଜମ୍ଭିରାରେ ଏକ ଘାଇ ହୋଇଥିଲା । ଘାଇ ମରାମତି ଲାଗି ବ୍ୟବସ୍ଥା ହେଉଛି । ଜଳସ୍ତର ହ୍ରାସ ପାଇ ବୈତରଣୀ ନଦୀ ଆଖୁଆପଦାରେ ବିପଦ ସଂକେତ ତଳେ ଅଛି । ଭଦ୍ରକ ଓ ଯାଜପୁରରେ ଆଉ ବନ୍ୟା ସ୍ଥିତି ନାହିଁ । ତଳିଆ ଅଞ୍ଚଳରୁ ପାଣି ଧୀରେ ଧୀରେ ବାହାରିବ । ମହାନଦୀ, ସୁବର୍ଣ୍ଣରେଖା ଓ ବୈତରଣୀ ନଦୀର କୌଣସି ସ୍ଥାନରେ ଘାଇ ହୋଇନାହିଁ ।
ସ୍ୱାଭାବିକ ରହିଛି ଜଳ ଭଣ୍ଡାରର ଜଳସ୍ତର-
ବର୍ତ୍ତମାନ ହୀରାକୁଦର ଜଳସ୍ତର 615.25 ଫୁଟ ରହିଛି । ହୀରାକୁଦରୁ 20 ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ହୀରାକୁଦକୁ 3.17 ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରି 3.45 ଲକ୍ଷ କ୍ୟୁସେକ ନିଷ୍କାସନ ହେଉଛି । ଏହା ମୁଣ୍ଡଳୀରେ 5.18 ଲକ୍ଷ କ୍ୟୁସେକ ପ୍ରଭାବିତ ହେଉଛି । ଯାହା ବନ୍ୟା ନୁହେଁ । ରେଙ୍ଗାଳି ଡ୍ୟାମର ଜଳସ୍ତର 121.91 ମିଟର । ରେଙ୍ଗାଳି ଡ୍ୟାମରୁ ତିନୋଟି ଗେଟରେ ବ୍ରାହ୍ମଣୀ ନଦୀକୁ ଜଳ ନିଷ୍କାସନ ହେଉଛି । ଯାହା ହ୍ରାସ ପାଉଛି । ବ୍ରାହ୍ମଣୀ ଜେନାପୁରରେ ବି ବିପଦ ସଂକେତ ତଳେ ଅଛି । ବୁଢ଼ାବଳଙ୍ଗକୁ ବି ବିପଦ ନାହିଁ । ସୁବର୍ଣ୍ଣରେଖା ନଦୀରେ ବନ୍ୟା ଯୋଗୁଁ ଚାରୋଟି ବ୍ଲକ ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ପ୍ରଭାବିତ ହୋଇଛି । ଜଣେ ସର୍ବୋଚ୍ଚ ଯନ୍ତ୍ରୀ ବାଲେଶ୍ୱରରେ ରହି ବନ୍ୟା ସ୍ଥିତି ନିରୀକ୍ଷଣ କରୁଛନ୍ତି । ଭଦ୍ରକର ଧାମନଗର, ତିହିଡି ଓ ଯାଜପୁରର ଦଶରଥପୁରରେ ପାଣି ପଶିଥିଲା । ଆଖୁଆପଦାରେ ବୈତରଣୀ ବିପଦ ସଂକେତ ତଳକୁ ଆସିବା ପରେ ଧୀରେ ଧୀରେ ସ୍ଥିତି ସାମାନ୍ୟ ହେଉଛି ।