
ଭୁବନେଶ୍ବର: ସ୍କୁଲ ପିଲାଙ୍କ ଉପରେ ରହିବନି ବସ୍ତାନୀ ବୋଝ । ଶ୍ରେଣୀ ହିସାବରେ ରହିବ ସ୍କୁଲ ବ୍ୟାଗର ଓଜନ । ସ୍କୁଲ୍ ପିଲାଙ୍କର ବହି ବ୍ୟାଗ୍ ବୋଝ କମାଇବା ପାଇଁ ବିଭିନ୍ନ ରାଜ୍ୟ ସରାକାରଙ୍କ ପକ୍ଷରୁ ବ୍ୟାଗ ଓଜନ ନିୟମ ରହିଛି । କେଉଁ ଶ୍ରେଣୀର ପିଲା କେେତେ ଓଜନର ବ୍ୟାଗ ନେବେ ସେନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ରହିଛି ।
୨୦୧୯ରେ ରାଜ୍ୟ ସରକାର ଏନେଇ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ପିଲାଙ୍କ ଓଜନ ଠାରୁ ବ୍ୟାଗ୍ର ଓଜନ ୧୦ ପ୍ରତିଶତରୁ କମ୍ ରହିବ । ଯଦି ପିଲାର ଓଜନ ୨୦ କେଜି ହୋଇଥିବ ତେବେ ସେ ୨କେଜିି ଓଜନର ବସ୍ତାନୀ ନେଇ ସ୍କୁଲ ଯିବ । ଏହାଠାରୁ ଅଧିକ ହେଲେ ସମ୍ପୃକ୍ତ ବିଦ୍ୟାଳୟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମାତ୍ର ଏହାକୁ ଏବେ ପାଳନ କରାଯାଉନାହିଁ ।ଏବେ ପୁଣିଥରେ ପିଲାଙ୍କ ବସ୍ତାନି ବୋଝ କମାଇବାକୁ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ୨୦୧୯ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବାକୁ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟରେ ଉକ୍ତ ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ସହ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ବିବରଣୀ (ଏଟିଆର) ପ୍ରଦାନ କରିବାକୁ କୁହାଯାଇଛି ।ଭାରତରେ ଅତ୍ୟଧିକ ଓଜନର ସ୍କୁଲ ବ୍ୟାଗ୍ ଏକ ଚିନ୍ତାର ବିଷୟ ପାଲଟିଛି । ଯାହା ଛାତ୍ରଛାତ୍ରୀଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ ।
NCERTର ସୁପାରିଶ ଆଧାରରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ରେ ଏକ ସ୍କୁଲ ବ୍ୟାଗ ନୀତି ପ୍ରଣୟନ କରାଯାଇଥିଲା । ଯେଉଁଥିରେ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ସେମାନଙ୍କ ଶରୀର ଓଜନର ୧୦ ପ୍ରତିଶତରୁ ଅଧିକ ହେବା ଉଚିତ ନୁହେଁ । ଏହି ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ନଭେମ୍ବର ୨୦୨୦ରେ ରାଜ୍ୟ ସରକାରଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।
କ’ଣ ରହିଛି ନିର୍ଦ୍ଦେଶାବଳୀ:୧) ଶିକ୍ଷା ମନ୍ତ୍ରଣାଳୟର ଜାତୀୟ ଶିକ୍ଷାନୀତି ୨୦୨୦ ନୀତିରେ କୁହାଯାଇଛି ଯେ, ସ୍କୁଲ ବ୍ୟାଗର ଓଜନ ଛାତ୍ରଛାତ୍ରୀଙ୍କ ଶରୀର ଓଜନର ୧୦ ପ୍ରତିଶତରୁ ଅଧିକ ହେବା ଉଚିତ୍ ନୁହେଁ ।୨) ନିର୍ଦ୍ଦିଷ୍ଟ ଓଜନ ସୀମା (ଶ୍ରେଣୀ ଉପରେ ଆଧାରିତ) ଶ୍ରେଣୀ ଅନୁସାରେ ଓଜନ ସୀମା ନିର୍ଦ୍ଦିଷ୍ଟ କରାଯାଇଥାଏ ।୩) ପ୍ରାଥମିକ କୌଣସି ବ୍ୟାଗ୍ ସୁପାରିଶ କରାଯାଇ ନାହିଁ । ୨୦୧୯ ମସିହା ମାର୍ଚ୍ଚ ମାସରେ ପିଲାଙ୍କ ବସ୍ତାନି ଓଜନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା ।ଏହି ନିୟମ ଅନୁସାରେ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ର ଓଜନ ୧.୫ କେଜିରୁ ଅଧିକ ହେବ ନାହିଁ । ୩ୟରୁ ୫ମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ୨ରୁ ୩ କିଲୋ ମଧ୍ୟରେ ରହିବ । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ହୋମୱାର୍କ ଦିଆଯିବ ନାହିଁ । ବିଦ୍ୟାଳୟରେ ପାନୀୟ ଜଳ ସୁବିଧା କରାଯିବ । ଫଳରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଘରୁ ପାଣି ବୋତଲ ଆଣିବାକୁ ପଡ଼ିବନି । ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ୪ କେଜି, ୮ମ ଓ ୯ମ ପିଲାଙ୍କ ବ୍ୟାଗର ଓଜନ ସାଢ଼େ ୪ କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୫ କେଜିରୁ ଅଧିକ ହେବ ନାହିଁ ବୋଲି କୁହାଯାଇଥିଲା ।ପ୍ରତି ୩ ମାସରେ ହେବ ନିରୀକ୍ଷଣ:ପ୍ରତି ୩ ମାସରେ ଥରେ ଗୋଟିଏ ଦିନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ର ଓଜନ ଯାଞ୍ଚ କରାଯିବ । କେଉଁ ଶ୍ରେଣୀର କେତେ ଓଜନର ପିଲା କେତେ ଓଜନର ବ୍ୟାଗ୍ ଧରି ଆସିବେ ସେନେଇ ପ୍ରତି ବିଦ୍ୟାଳୟ ଟେବୁଲ୍ ପ୍ରସ୍ତୁତ କରିବାକୁ କୁହାଯାଇଛି । କିନ୍ତୁ ପିଲାଙ୍କ ବ୍ୟାଗ୍ ଓଜନ ଦିନକୁ ଦିନ ବଢ଼ି ଚାଲିଛି ।