ଅଓ୍ୱସମ ଆପ୍ ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ: ଅଙ୍ଗନବାଡି ସମ୍ପର୍କରେ ଦେବ ବିସ୍ତୃତ ସୂଚନା

ଭୁବନେଶ୍ଵର: ରାଜ୍ୟରେ ଥିବା ୭୪ ହଜାର ୨୨୦ଟି ଅଙ୍ଗନବାଡିକୁ ସକ୍ଷମ ଅଙ୍ଗନବାଡିରେ ପରିଣତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ଏଥିପାଇଁ ଅଙ୍ଗନବାଡି କେନ୍ଦ୍ରଗୁଡିକର ନିଜସ୍ୱ ଘର, ସ୍ୱଚ୍ଛତା ଏବଂ ବିଦ୍ୟୁତ ବ୍ୟବସ୍ଥା ଆଦି ଥିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏଥିପାଇଁ ଆଜି ରାଜ୍ୟ ସରକାର ଅଓ୍ୱସମ ନାମରେ ଏକ ଆପ୍ ର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ଅଙ୍ଗନବାଡି ସମ୍ପର୍କରେ ବିସ୍ତୃତ ସୂଚନା ସ୍ଥାନ ପାଇବ ବୋଲି ସେ କହିଛନ୍ତି।ଆସନ୍ତା ଅଗଷ୍ଟ ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଜାତୀୟ ପତାକା ପ୍ରଦର୍ଶନ କରାଯିବ। ଏଥିପୂର୍ବରୁ ଆସନ୍ତା ଅଗଷ୍ଟ ପହିଲାରେ ହେବାକୁ ଥିବା ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ – ଆସ ବୁଲିଯିବା ଅଙ୍ଗନବାଡି କ୍ୟାମ୍ପେନର ଶୁଭାରମ୍ଭ କରାଯିବ ବୋଲି ସେ କହିଛନ୍ତି। ଏଥିରେ ସମାଜର ସବୁ ବର୍ଗର ଲୋକ ନିଜ ଅଞ୍ଚଳରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ବୁଲିବାକୁ ଯାଇ ସେଠାରେ ଯୋଗାଇ ଦିଆଯାଉଥିବା ଖାଦ୍ୟର ମାନ ଦେଖିବା ସହ ମହିଳା ଓ ଶିଶୁଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ସମ୍ପର୍କରେ ଜାଣିପାରିବେ। ଅନଲାଇନ କିମ୍ବା ଅଫ୍ଲାଇନ ମାଧ୍ୟମରେ ନିଜ ନିଜର ମତାମତ ମହିଳା ଓ ଶିଶୁ ବିକାଶ ବିଭାଗକୁ ଜଣାଇପାରିବେ ବୋଲି ଶ୍ରୀମତୀ ପରିଡା କହିଛନ୍ତି।

Leave a Reply

Your email address will not be published. Required fields are marked *