
କୋରାପୁଟ: ଯେଉଁଠି ବିଶ୍ବାସ ପାଲଟେ ଅନ୍ଧବିଶ୍ବାସ ସେଠି ଏଭଳି ଅନେକ ଘଟଣା ଘଟେ । ଡିଜିଟାଲ ଯୁଗରେ ବି ଆଶ୍ଚର୍ଯ୍ୟ କଲା ଭଳି ଖବର ? ଯାହାକୁ ଶୁଣିବା ପରେ ଆପଣଙ୍କ କ୍ଷଣିକ ପାଇଁ ବିଚଳିତ ହୋଇଯିବେ । କିନ୍ତୁ ଏ ଘଟଣା ସତ। କାଉଙ୍କ ମିଳନ ଦେଖି ଦେଇଥିଲେ ଦୁଇ ଯୁବକ । ତେଣୁ ସେ ବଞ୍ଚି ଥାଉଥାଉ ପ୍ରତୀକାତ୍ମକ ଭାବରେ ତାଙ୍କର ଶବଦାହ ହେବା ସହ ପିଣ୍ଡଦାନ କରାଗଲା ।ହଁ ଆଜ୍ଞା, ମୃତ୍ୟୁ ପରେ ଯେମିତି ମୃତଦେହ ମଶାଣିକୁ ନିଆଯାଏ, ଠିକ୍ ସେହିପରି ମୃତଦେହ ବଦଳରେ କୋକେଇରେ କୁଶପୁତ୍ତଳିକା ନିଆଯାଇ କରାଯାଇଛି ଅନ୍ତିମ ସଂସ୍କାର । କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡ ରଣ୍ଡାପାଲି ପଞ୍ଚାୟତର ପାତ୍ରଗୁଡା ଗାଁ । ଏଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗାଁର ଦୁଇ ଯୁବକ କାଉଯୋଡିଙ୍କୁ ଦେଖି ଦେଇଥିଲେ । ଆଉ ଏକଥା ଘରେ କହି ଦେଇଥିଲେ । ବାସ୍ ତାପରେ ପୂରା ଗାଁରେ ଘୋଷଣା କରାଗଲା ଦୁର୍ଘଟଣାରେ ସେମାନଙ୍କ ମୃତ୍ୟୁ ଖବର । ଆଉ ତାଙ୍କୁ ଦିନକ ପାଇଁ ଘରୁ ବାସନ୍ଦ କରାଗଲା । କାନ୍ଦ ବୋବାଳିରେ କମ୍ପି ଉଠିଥିଲା ପୁରା ଅଞ୍ଚଳ । ପରେ କୋକେଇ ପ୍ରସ୍ତୁତ କରାଯାଇ ସେମାନଙ୍କ ପ୍ରତୀକାତ୍ମକ ଶବ ମଶାଣିକୁ ନିଆଯାଇ ଦାହ ବି କରାଗଲା । ଏମିତିକି ସେମାନଙ୍କ ପରିବାର ଶୁଦ୍ଧିକ୍ରିୟା ସାରି ପିତା ବି ଖାଇଛନ୍ତି । ଉଭୟ ପରିବାର କହିଛନ୍ତି ଏହା ଆମର ପରମ୍ପରା, ନ ମାନିଲେ ଆମକୁ ବିପତ୍ତି ପଡ଼ିବ। ସବୁଠୁ ବଡ଼ କଥା ଦୁଇ ଯୁବକ ମୀନା ଜାନି ଓ ଧବୁଲୁ ଜାନିଙ୍କ ପରିବାର ଲୋକେ ଏଥିପାଇଁ ସାତ ହଜାର ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି ।ବିଶ୍ୱାସ ଅନ୍ଧ ବିଶ୍ୱାସର ଏଭଳି କଥା ଆଜି ମଧ୍ୟ ସମାଜରେ ରହିଛି । ଯାହାର ଏଭଳି ଅନେକ ଉଦାହରଣ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି । ବିଶେଷ କରି ଆଦିବାସୀ ସମ୍ପ୍ରଦାୟରେ ଏହାର ପ୍ରଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । କେତେବେଳେ ହଳଲଙ୍ଗଳ ଯୋଡି କେତେବେଳେ ଲଣ୍ଡା କରିବା ଭଳି ଅନେକ ଘଟଣା । ଏଭଳି ଘଟଣାକୁ ସଭ୍ୟ ସମାଜ ଗ୍ରହଣ କରୁନଥିବା ବେଳେ ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ହେଲେ ତାହା ବାସ୍ତବରେ ଫଳପ୍ରଦ ହେଉ ନଥିବା କହିଛନ୍ତି ଜାତୀୟ ଆଇନସେବା ପ୍ରାଧିକରଣ ସଦସ୍ୟ । ସେପଟେ ଆଦିବାସୀ ଗବେଷକ କହିଛନ୍ତି ସବୁ ଘଟଣାରେ ଦଣ୍ଡ ବିଧାନ କରାଯାଇନି ଏହା କୁସଂସ୍କାର କୁହାଯାଇ ପାରେ । ଯେଉଁଠି ଏଭଳି କିଛି ଘଟଣା ପରେ ଲୋକେ ଦଣ୍ଡ ଦେଉଛନ୍ତି ତାହା ଗ୍ରହଣ ଯୋଗ୍ୟ ନୁହେଁ । ତଥାପି ସଚେତନତା ଜରୁରୀ ।ତେବେ ପିଢ଼ି ପରେ ପିଢ଼ି ଯେଉଁ ବିଶ୍ବାସକୁ ଆଧାର କରି ଚାଲିଛନ୍ତି ସେମାନଙ୍କ ଭିତରୁ ଏହି ଅନ୍ଧବିଶ୍ବାସକୁ ଦୂରେଇ ଦେବା ସହଜ ନୁହେଁ । ଏଠି ଯେଉଁ ଘଟଣା ଘଟିଛି ପରିବାର ଲୋକେ ନିଜ ସନ୍ତାନର ସୁରକ୍ଷା ପାଇଁ ଆପଣାଇଛନ୍ତି । ତାହା ନିଶ୍ଚିତ ଭାବେ ଅନ୍ଧବିଶ୍ବାସ । ଆଧୁନିକ ସମାଜରେ ଏଭଳି ଘଟଣା ଗ୍ରହଣୀୟ ନୁହେଁ । ତେଣୁ ଲୋକଙ୍କୁ ଠିକଣା ଭାବେ ସଚେତନ କରାଯିବ ଆବଶ୍ୟକ ।