
ଘଟଗାଁ: ଛାତ୍ରଙ୍କ ମୁଣ୍ଡରେ ପୋକ ସାଲୁବାଲୁ । ସରକାରୀ ଛାତ୍ରାବାସରୁ ଆସିଲା ସାଙ୍ଘାତିକ ଚିତ୍ର । ଛାତ୍ରଙ୍କ ମୁଣ୍ଡରେ ଘା’ ହୋଇ ପୋକ ଲାଗି ଲାଗିଲା ପରେ ଡାକ୍ତରଖାନା ଆଣିଛନ୍ତି ଶିକ୍ଷୟିତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଯୋଡି ସ୍ୱଳ୍ପ ବ୍ୟୟ ଛାତ୍ରବାସରେ । ଅନ୍ତେବାସୀଙ୍କ ମୁଣ୍ଡରେ କ୍ଷତ ହୋଇ ପୋକ ଲାଗିବାପରେ ଡାକ୍ତରଖାନା ଆଣିଛନ୍ତି ଶିକ୍ଷୟିତ୍ରୀ ।ତେବେ ଏହି ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢ଼ନ୍ତି ମେଲାଣ ପାଲବାଣୀ ସାହିର ମଙ୍ଗୁଲୁ ମୁଣ୍ଡା ଏବଂ ମମିତା ମୁଣ୍ଡାଙ୍କ ୮ ବର୍ଷର ପୁଅ ସଂଜିତ ମୁଣ୍ଡା । ଆଜି ସଂଜିତଙ୍କ ମୁଣ୍ଡରେ ଏକ ଘା ହୋଇ ପୋକ ସାଲୁବାଲୁ ହେଉଥିବା ଦେଖି ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ତାଙ୍କୁ ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ସହ ଘରକୁ ଖବର କରିଥିଲେ । ଏହାପରେ ତାଙ୍କ ମା ମମିତା ମଧ୍ୟ ଘଟଗାଁ ଡାକ୍ତରଖାନାରେ ପହଞ୍ଚିଥିଲେ । ଘଟଣା ସମ୍ପର୍କରେ ଖବରପାଇ ଘଟଗାଁ ବ୍ଲକ ଶିକ୍ଷା ଅଧିକାରୀ ହରେକୃଷ୍ଣ ନାଏକ ଡାକ୍ତରଖାନାରେ ପହଂଚି ଶିଶୁକୁ ଭେଟିବା ସହ ଯାହା ଚିକତ୍ସା ଆବଶ୍ୟକ ହେବ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ସହ ପରବର୍ତ୍ତୀ ସମୟରେ ତଦନ୍ତ କରାଯାଇ ଯଦି ଶିକ୍ଷକଙ୍କର ଦାୟିତ୍ୱହୀନତା ଥିବା ତେବେ କାଯ୍ୟନୁଷ୍ଠାନ ନିଆଯିବ ବୋଲି ଜଣାଇଛନ୍ତି ।ଅନ୍ୟପକ୍ଷରେ ଶିଶୁର ମା’ଙ୍କ କହିବା କଥା ପିଲାଟିର ବାପା ଶିଶୁକୁ କିଛି ଦିନ ତଳେ ଦେଖା କରିଥିଲେ କିନ୍ତୁ ସେତେବେଳେ ଏପରି କିଛି ହୋଇ ନଥିଲା । ଏସବୁ ଶିକ୍ଷକଙ୍କ ଦାୟିତ୍ୱହିନତାରୁ ହୋଇଥିବା ମା’ କହିଥିବା ବେଳେ ହଷ୍ଟେଲରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଚାଲୁଛି କହି ଶିକ୍ଷୟିତ୍ରୀ କଥା ବୁଲାଇବାକୁ ଚେଷ୍ଟା କରିଛନ୍ତି ଏବଂ ଆହୁରି ମଧ୍ୟ କହିଛନ୍ତି କିଛି ପିଲା କାଛୁ କୁଣ୍ଡିଆରେ ଆକ୍ରାନ୍ତ ଅଛନ୍ତି ମେଡିକାଲ ଟିମ ଦ୍ୱାରା ସମସ୍ତଙ୍କର ଚିକିତ୍ସା କରାଯାଇଛି । ସଂଜିତକୁ ଦେଖିବା ମାତ୍ରେ ସେ ତାକୁ ଡାକ୍ତରଖାନା ଆଣିଛନ୍ତି ଏବଂ ସମସ୍ତ ଚିକିତ୍ସା ବ୍ୟବସ୍ତା କରିଛନ୍ତି ।ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ସରକାରୀ ଭାବେ ଛାତ୍ରବାସରେ ସମସ୍ତ ଯତ୍ନ ନେବାପାଇଁ ବ୍ୟବସ୍ଥା ଥିବାବେଳେ ଦାୟିତ୍ୱରେ ଥିବା ଶିକ୍ଷକ କିପରି ପୋକ ଲାଗିବା ପର୍ଯ୍ୟନ୍ତ ଜାଣି ପାରିଲେନି । ତୁରନ୍ତ ଏହାର ତଦନ୍ତ କରାଯାଉ ବୋଲି ପିଲାର ବାପା ମା’ କହିଛନ୍ତି ।