ଜଗନ୍ନଥପ୍ରସାଦ: ମା ଚାପୁଡ଼ା ମାରିବାରୁ ଘର ଛାଡ଼ି ପଳାଇଲା ଝିଅ

ଜଗନ୍ନଥପ୍ରସାଦ– ୦୩/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ତାରାସିଂ ଥାନା କୁଡୁତାଇ ପଞ୍ଚାୟତ କରଡାବଣି ଗାଁ ରେ ବୋଉର ସାମାନ୍ୟ ଗାଳି ସହି ନପାରି ଘରୁ ଦୌଡ଼ି ଦୌଡ଼ି ପଳାଇଲା ଝିଅ । ଏହାରି ଭିତରେ ପନ୍ଦର ଦିନ ବିତିଗଲାଣି ହେଲେ ଝିଅର ପତା ମିଳୁନି । ଅନେକ ସ୍ଥାନ ଖୋଜାଖୋଜି କରି ନିରାଶ ହୋଇ ଭଗବାନ ଭରଷା ରେ ପୂଜାର୍ଚ୍ଚନା କରି ଝିଅର ଫେରିବା ବାଟକୁ ଘର ବାରଣ୍ଡାରେ ଅପେକ୍ଷା କରି ବସିରହିଛନ୍ତି ବାପା ମା । କରଡାବଣି ଗ୍ରାମର ଟୁକୁନା ନାଇକ ଓ ରଞ୍ଜୁ ନାଇକ ଙ୍କ ପାଞ୍ଚ ପୁଅ ଓ ଗୋଟିଏ ଝିଅ ଏମାନେ ଶ୍ରମିକ ଶ୍ରେଣୀର ଗରିବ ପରିବାର । ୨ନଂ ଝିଅ ଖୁସି ନାଇକ । ବୟସ ୧୪ ବର୍ଷ । ଷଷ୍ଠ ଶ୍ରେଣୀରୁ ପାଠ ଛାଡି ଘରେ ରହୁଥିଲା । ଗାଁ ର ଶେଷ ଭାଗରେ ଜମି ମଧ୍ୟରେ ଚାଳ କୁଡ଼ିଆ ଘରଟିଏ କରି ଟୁକୁନା ନିଜ ପରିବାର ସହ ରହୁଥିଲେ । ଗତ ୧୭ ତାରିଖ ଦିନ ଝିଅ ଚା ପ୍ରସ୍ତୁତ କରୁଥିବା ସମୟରେ ଢାଳି ଦେଇଥିଲା । ମା ରଞ୍ଜୁ ବିରକ୍ତ ହୋଇ ଚାପୁଡ଼ା ଟିଏ ମାରିଦେଇଥିଲେ । ହଠାତ ରାଗରେ ଝିଅ ଘରୁ ବାହାରି ଗାଁ ଆଡ଼କୁ ଦୌଡ଼ି ଦୌଡ଼ି ଚାଲିଯାଇଥିଲା । କିଛି ସମୟ ପରେ ଫେରିଆସିବ ବୋଲି ମା ଭାବିଥିଲେ ହେଲେ ଝିଅ ଆଉ ଫେରିନଥିଲା । ଘର ଲୋକ ଚିନ୍ତିତ ହୋଇ ବିଭିନ୍ନ ସ୍ଥାନ ବୁଲିବୁଲି ଖୋଜିଥିଲେ । ପୂର୍ବରୁ ଏହି ପରିବାର ଭୁବନେଶ୍ୱର ରେ ରହି କାମ କରୁଥିଲେ ଏଣୁ ସେଠାକୁ ମଧ୍ୟ ଖୋଜି ସାରିଲେଣି । ବର୍ତ୍ତମାନ ସୁଧା ଥାନାରେ ଏତଲା ଦିଆଯାଇ ନାହିଁ । ଝିଅର ଏଭଳି ହଠାତ ଅନ୍ତରଧ୍ୟାନ ନେଇ ଗ୍ରାମବାସୀ ମଧ୍ୟ ଚିନ୍ତାପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *