
ରାଉରକେଲା: ଓଡିଶାରେ ମାଓବାଦୀଙ୍କ ବଡ଼ ଅପରେସନ । ପୁଣି ମାଓବାଦୀଙ୍କ ହିଂସାକାଣ୍ଡ । ବିସ୍ଫୋରଣ ମାଧ୍ୟମରେ ରେଳଟ୍ରାକ ଉଡାଇବା ପାଇଁ ମାଓବାଦୀଙ୍କ ଉଦ୍ୟମ । ଏଥିରେ ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ରକ୍ସି ଓ ରେଙ୍ଗଡ଼ା ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଅଞ୍ଚଳର ରେଳଟ୍ରାକକୁ ବିସ୍ଫୋରଣ ମାଧ୍ୟମରେ ନଷ୍ଟ କରିଛନ୍ତି ମାଓବାଦୀ । ଫଳରେ ଯାତାୟାତରେ ବାଧାସୃଷ୍ଟି ହୋଇଛି । 24 ଘଣ୍ଟିଆ ଭାରତବନ୍ଦ ଡାକରା ମଧ୍ୟରେ ଏପରି କାଣ୍ଡ ଭିଆଇଛନ୍ତି ଲାଲବାହିନୀ । ବିସ୍ଫୋରଣ ଘଟିଥିବା ସ୍ଥାନ ଠାରୁ କିଛି ଦୂରରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ ।

ରେଲୱେ କର୍ମଚାରୀ ମୃତ:ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଯୋଗୁଁ ଜଣେ ରେଳ ବିଭାଗର କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଶନିବାର ନକ୍ସଲବାଦୀମାନେ ଭାରତ ବନ୍ଦ ଡାକରା ଦେଇଥିଲେ । ଏନେଇ ଦୁଇ ରେଳ କର୍ମଚାରୀ ଏତୱା ଓରାମ (୫୮) ଏବଂ ବୁଧରାମ ମୁଣ୍ଡା ନିୟମିତ ଭାବରେ ଟ୍ରାକରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ, ରେଳ ଲାଇନରେ ନକ୍ସଲବାଦୀମାନଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଭୟ ଆହତ ହୋଇଥିଲେ । ବିସ୍ଫୋରଣ ପରେ, ଆହତ ଉଭୟ ରେଳ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଓଡ଼ିଶାର ବନ୍ଦମୁଣ୍ଡା ରେଳ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ଏତୱା ଓରାମଙ୍କୁ ମୃତ ଘୋଷଣା କରିଥିଲେ । ବୁଧରାମଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ରେଫର କରାଯାଇଛି ।
ବିସ୍ଫୋରଣ ପରେ ଟ୍ରାକରୁ ଖସିଲା ସ୍ଲିପର:ଶନିବାର ବିଳମ୍ବିତ ରାତିରୁ ମାଓବାଦୀ ଭାରତବନ୍ଦ ଡାକରା ଦେଇଛନ୍ତି । ଏହି ଡାକରା ମଧ୍ୟରେ ପ୍ରଥମେ ମାଓବାଦୀମାନେ ଓଡିଶାର ରକ୍ସି ଓ ରେଙ୍ଗଡ଼ା ରେଳ ଷ୍ଟେସନର ମଧ୍ୟବର୍ତ୍ତୀ ଅଞ୍ଚଳର ରେଳଟ୍ରାକକୁ ବିସ୍ଫୋରଣ ମାଧ୍ୟମରେ ଉଡାଇବାକୁ ପ୍ରୟାସ କରିଛନ୍ତି । ମାତ୍ର ବିସ୍ଫୋରକର ତୀବ୍ରତା ବେଶି ନଥିବାରୁ ଟ୍ରାକକୁ ବେଶି କ୍ଷତି ପହଞ୍ଚିନାହିଁ । ମାତ୍ର ଟ୍ରାକରୁ ସିମେଣ୍ଟର ସ୍ଲିପର ଖସିଯାଇଛି । ଘଟଣାସ୍ଥଳ ଠାରୁ କିଛି ଦୂରରେ ନକ୍ସଲମାନେ ବ୍ୟାନର ମଧ୍ୟ ଲଗାଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ତତ୍ପରତା ପ୍ରକାଶ କରିଛନ୍ତି ।ଓଡ଼ିଶାର ରାଉରକେଲାରେ ରେଳ ଟ୍ରାକ ଉଡ଼ାଇ ଦିଆଯାଇଥିବା ରିପୋର୍ଟ ଆସିଛି । ଝାଡ଼ଖଣ୍ଡ ପୋଲିସ ବନ୍ଦକୁ ନେଇ ହାଇ ଆଲର୍ଟରେ ଅଛି । ଝାଡ଼ଖଣ୍ଡର ସବୁଠି ନକ୍ସଲବାଦୀଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଚାଲିଛି: ଡକ୍ଟର ମାଇକେଲ ରାଜ, ଆଇଜି, ଅଭିଯାନ
ଝାରଖଣ୍ଡ- ଓଡିଶା ସୀମାରେ ସୁରକ୍ଷା ବୃଦ୍ଧି:ଭାକପା ମାଓବାଦୀ ସଂଗଠନ ଝାଡ଼ଖଣ୍ଡ, ଓଡ଼ିଶା, ବିହାର ଏବଂ ଛତିଶଗଡ଼ରେ 24 ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି । ଏହା ଶନିବାର ରାତି 12ଟାରୁ କାର୍ଯ୍ୟକାରୀ ହୋଇଛି ।ନକ୍ସଲମାନେ ବନ୍ଦକୁ ସମର୍ଥନ କରି ପାମ୍ପଲେଟ୍ ଏବଂ ପୋଷ୍ଟର ଲଗାଇଛନ୍ତି । ପୋଷ୍ଟରରେ ନକ୍ସଲମାନେ ‘ପୋଲିସ୍ ଦମନ ବିରୁଦ୍ଧରେ ଜନପ୍ରତିରୋଧ’ ପାଇଁ ଅପିଲ୍ କରିଛନ୍ତି । ଏହି ଘଟଣା ପରେ ଝାଡ଼ଖଣ୍ଡ ଏବଂ ଓଡ଼ିଶା ସୀମାରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ।