
ବାଲେଶ୍ବର: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ 2 ଗିରଫ । ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗତକାଲି(ରବିବାର) ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେମାନେ ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ । ଉଭୟଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ ।
2 ଛାତ୍ର ଗିରଫ:ଦୀର୍ଘ 22 ଦିନର ତଦନ୍ତ ପରେ କ୍ରାଇମବ୍ରାଞ୍ଚକୁ ସଫଳତା । ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦୁଇ ଛାତ୍ରଙ୍କ ଗିରଫ କରିଛି । ଏମାନେ ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ । ଘଟଣା ଦିନ ଛାତ୍ର ଜ୍ୟୋତିପ୍ରକାଶ, ଛାତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ସେ ମଧ୍ୟ ଗୁରୁତର ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।
ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ଭିଡିଓ କରିଥିଲେ:ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସେଦିନ ମୋବାଇଲ ଧରି ଭିଡିଓ ସୁଟିଂ କରୁଥିଲେ ଏବଂ ନିଜ ସାର୍ଟ ଖୋଲି ଛାତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ଜ୍ୟୋତି ପ୍ରକାଶ । ଯାହା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା ପୂର୍ବରୁ ନ୍ୟାୟ ପାଇବା ପାଇଁ ଏବିଭିପିର ସହାୟତା ଲୋଡିଥିଲେ ।
14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଗଲା:ଏବିଭିପିର ସଦସ୍ୟ ଶୁଭ୍ର ସମ୍ବିତ ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ ହୋଇଛନ୍ତି । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । SDJM ବିଚାରପତିଙ୍କ ବାସଭବନରେ ହାଜର ପରେ 14 ଦିନିଆ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଛି ।
ମୋବାଇଲ ଜବତ କରିଥିଲା କ୍ରାଇମବ୍ରାଞ୍ଚ:କ୍ରାଇମବ୍ରାଞ୍ଚ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା ବେଳେ କିଛି ଛାତ୍ରଛାତ୍ରୀଙ୍କ ମୋବାଇଲ ଜବତ କରି ତଦନ୍ତ କରିଥିଲା । ମୋବାଇଲରୁ କିଛି ଏମିତି ପ୍ରମାଣ ହସ୍ତଗତ ହୋଇଛି ଯାହାକୁ ଆଧାର କରି ଦୁଇଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହା ଭିତରେ ଆଉ କାହାର ସମ୍ପୃକ୍ତି ଅଛି ସେନେଇ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଜାରି ରଖିଛି ।