
ଭୁବନେଶ୍ୱର : ଜନତା ମଇଦାନରେ ପାଳନ ହେବ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଓ ଏକତା” ଉତ୍ସବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୭ ଅଗଷ୍ଟରେ ଜାତୀୟ ହସ୍ତତନ୍ତ ଦିବସର ଶୁଭ ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ ହିନ୍ଦୀ ଚଳଚିତ୍ର ତାରକା ମାଧୁରୀ ଦୀକ୍ଷିତ ନେନେ । ସେହିଭଳି ଆସନ୍ତା ଅଗଷ୍ଟ ୮ ଓ ୯ ତାରିଖରେ ଏକତା ଉତ୍ସବକୁ ପାଳନ କରାଯିବ ।ଜନତା ମଇଦାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଫ୍ୟାଶନ୍ ଶୋ ମଧ୍ୟ ଆୟୋଜିତ ହେବ । ସେହିଭଳି ୭ ରୁ ୧୩ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ମେଗା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଜାରି ରହିବ ଯେଉଁଥିରେ ୬୦ଟି ଷ୍ଟଲ ରହିବ ଯେଉଁଥିରେ ଅଂଶଗ୍ରହଣ କରିବେ ପ୍ରାୟ ୧୫୦୦ ରୁ ଅଧିକ ବୁଣାକାର । ଉତ୍ସବରେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ନିବେଦନ କଲେ ମନ୍ତ୍ରୀ ପ୍ରଦିପ ବଳସାମନ୍ତ ।କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବା ପାଇଁ ବିଭିନ୍ନ କର୍ମଶାଳାର ଆୟୋଜନ ହେବ । କ୍ରେତା-ବିକ୍ରେତା-ନିର୍ମାତା ସମ୍ମିଳନୀ ସହ ଡିଜାଇନର ଓ କାରିଗରଙ୍କ ସହ ବିଶେଷ ଅଧିବେଶନ ମଧ୍ୟ ଆୟୋଜନ କରାଯିବ । ଯୋଗ୍ୟ ବୁଣାକାରମାନଙ୍କୁ ଏହି ଅବସରରେ ପୁରସ୍କୃତ ମଧ୍ୟ କରାଯିବ । ଏହା ଦ୍ବାରା ବୁଣାକାରଙ୍କ ସଶକ୍ତିକରଣ ସହ ଜାତୀୟ ସମନ୍ୱୟ, ବିଶ୍ବ ବ୍ରାଣ୍ଡିଂ ଏବଂ ବୃହତ୍ ବଜାର ପ୍ରବେଶ ମାଧ୍ଯମରେ ବୁଣାକାରଙ୍କ ଜୀବନ-ଜୀବିକା ଅଧିକ ସୁଦୃଢ ହୋଇପାରିବ ।EKTA ଆମ ପରମ୍ପରାକୁ ସମ୍ମାନ ଦେବା ସହିତ ନବସୃଜନକୁ ସକ୍ଷମ କରିବା ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ ପ୍ରଦାନ କରିଛି ବୋଲି କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ହସ୍ତଶିଳ୍ପ ନିର୍ଦ୍ଦେଶକ ପ୍ରଣତୀ ଛୋଟରାୟ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।