ଭଞ୍ଜନଗର: ତାମିଲନାଡୁରୁ ଉଦ୍ଧାର ହୋଇଥିବା ୯ ଶ୍ରମିକ ପ୍ରଶାସନ ଓ ବିଧାୟକଙ୍କୁ ଜଣାଇଲେ କୃତଜ୍ଞତା

ଭଞ୍ଜନଗର, ୦୫/୦୮( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଦାଦନ ଶ୍ରମିକଙ୍କ ପାଇଁ ଗଞ୍ଜାମ ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ରହି ଆସିଛି।ଅନେକ ସମୟରେ ସେମାନେ ଦଲାଲ ଏବଂ ମାଲିକଙ୍କ ଦ୍ୱାରା ଶୋଷିତ ଓ ନିର୍ଯାତିତ ହୋଇ ଆସୁଛନ୍ତି।ହେଲେ ଆଜି ପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରୁନି।ଏବେ ପୁଣି କିଛି ନିର୍ଯ୍ୟାତନାର ଶିକାର ହୋଇଥିବା ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଥିବା ଘଟଣା ସାମ୍ନା କୁ ଆସିଛି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏନଏସି ୧୦ନଂ ୱାର୍ଡ ଅନ୍ତର୍ଗତ ବଡ଼ ଖଦାଳ ସାହିର ଗୋଟିଏ ଛୋଟ ଶିଶୁ ସମେତ ୯ ଜଣ ପୁରୁଷ ଓ ମହିଳା ଶ୍ରମିକ ତାମିଲନାଡୁ ଦାଦନ ଖଟିବାକୁ ଯାଇଥିଲେ।ଭଞ୍ଜନଗର ଅଞ୍ଚଳର ଜଣେ ମହିଳା ଦଲାଲଙ୍କ କଥାରେ ପଡି ସେମାନେ ସେଠାରେ ଫସି ଯାଇଥିଲେ। ନେଲା କୋଟ ଠାରେ ଥିବା ଏକ ବିସ୍କୁଟ କମ୍ପାନୀରେ ସମସ୍ତେ କାମ କରୁଥିଲେ।ହେଲେ ୪ମାସ କାମ କରିବା ପରେ ମଧ୍ୟ ସେମାନଙ୍କୁ କୌଣସି ପାରିଶ୍ରମିକ ନ ମିଳିବାରୁ ଦୁଃଖ କଷ୍ଟରେ ରହି ସେଠାରୁ ଉଦ୍ଧାର ପାଇଁ ୧୦ ନମ୍ବର କାଉନସିଲର ଉପେନ୍ଦ୍ର କୁମାର ପ୍ରଧାନ ଫୋନ ଯୋଗେ ଜଣାଇଥିଲେ।ଏ ଖବର ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଶୁଣିବା ପରେ ସେ ସଙ୍ଗେ ସଙ୍ଗେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ଆଲୋଚନା କରିଥିଲେ।ଉଭୟେ ଯାଇ ଏସମ୍ପର୍କରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଓ ଗଞ୍ଜାମର ପୂର୍ବତନ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କୁ ଅବଗତ କରାଇଥିଲେ।ଏହାପରେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ସମସ୍ତ ଶ୍ରମିକ ସୁରକ୍ଷିତ ଭାବେ ଭଞ୍ଜନଗର ଫେରିବାରେ ସକ୍ଷମ ହୋଇଛନ୍ତି।ତେଣୁ ଆଜି ସମସ୍ତେ ଭଞ୍ଜନଗର ବିଧାୟକ,ଏନଏସି ଅଧ୍ୟକ୍ଷ ଓ ଉପଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *