ଭଞ୍ଜନଗର: ଉଚ୍ଛେଦ ପୂର୍ବରୁ ସ୍ଥଗିତାଦେଶ; ପରବର୍ତ୍ତୀ ନିର୍ଦେଶକୁ ତହସିଲଦାରଙ୍କ ଅପେକ୍ଷା

ଭଞ୍ଜନଗର ୦୬/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ରେଡକ୍ରସ ରୋଡର ଗାୟତ୍ରୀ ମନ୍ଦିରକୁ ଲାଗି କେଦାରନାଥ ପାତ୍ର ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରୁଛନ୍ତି। ଉକ୍ତ କଲ୍ୟାଣ ମଣ୍ଡପରେ କିଛି ସରକାରୀ ଜମି ଜବରଦଖଲ ହୋଇଥିବା ସାହି ବାସିନ୍ଦା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ରାଜସ୍ବ ନିରୀକ୍ଷକଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ତହସିଲଦାର ଜବରଦଖଲ ଉଚ୍ଛେଦ ପାଇଁ କେଦାରନାଥଙ୍କୁ ନୋଟିସ ପଠାଇଥିଲେ। କିନ୍ତୁ କେଦାର ନୋଟିସ ଗ୍ରହଣ କରି ନଥିଲେ। ଶେଷରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ବିବାଦୀୟ ଜମିରେ ଗତ ରବିବାର ନୋଟିସ ମରାଯାଇଥିଲା। ଏଥିସହ ଆସନ୍ତା ୭ ତାରିଖରେ ତାହାକୁ ଭାଙ୍ଗିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିଲା। ଏହା ପୁର୍ବରୁ କେଦାରନାଥ ଭଞ୍ଜନଗର ଉପ ଜିଲାପାଳଙ୍କ କୋର୍ଟରେ ନିଜ ପକ୍ଷ ରଖି ମାମଲା ଦାଖଲ କରିଥିଲେ। ତେଣୁ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ତେଣୁ ୭ ତାରିଖରେ ହେବାକୁ ଥିବା ଉଚ୍ଛେଦ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି ବୋଲି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *