
ଭଞ୍ଜନଗର, ୦୬/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗୌଡ଼ ସାହିରେ ଗତକାଲି ବିଳମ୍ବିତ ରାତିରେ ଆଇନଜୀବୀ ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘର ମାଲିକଙ୍କ ପୁଅ ନିଜ ପରିବାର ସହ ଭଞ୍ଜନଗର ଠାରେ ରହୁଥିବା ବେଳେ ଘରେ କେବଳ ବୃଦ୍ଧ ଆଇନଜୀବୀ ହର୍ଷ ବର୍ଦ୍ଧନ ପଣ୍ଡା ଓ ପତ୍ନୀ ରହୁଥିଲେ।ଉଭୟେ ଗତ ରାତିରେ ଖାଇ ସାରି ଶୋଇଥିଲେ। ଏହାର ସୁଯୋଗରେ ରାତି ପ୍ରାୟ ସାଢ଼େ ୧୧ଟାରୁ ସାଢ଼େ ଗୋଟାଏ ମଧ୍ୟରେ କିଛି ଦୁର୍ବୁତ୍ତ ବାଡ଼ି ପଛ ପଟୁ ଘର ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି। ଘରେ ଥିବା ୨ଟି ଆଲମୀରା ଭାଙ୍ଗି ସେଥିରୁ ନଗଦ ୩ଲକ୍ଷ ଟଙ୍କା ଓ ପ୍ରାୟ ୧୦ ଭରି ସୁନା ଗହଣା ଲୁଟି ନେଇଛନ୍ତି। ଦୁହେଁ ପତିପତ୍ନୀ ଉକ୍ତ କୋଠରୀରେ ଶୋଇ ରହିଥିଲେ ମଧ୍ୟ ଚୋରୀ ସମ୍ପର୍କରେ କୌଣସି ସୂଚନା ପାଇ ନ ଥିଲେ।ସକାଳେ ଘରୁ ଚୋରୀ ହୋଇଥିବା ଦେଖି ଶ୍ରୀ ପଣ୍ଡା ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ।ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ସନ୍ଧ୍ୟା ସମୟରେ ଛତ୍ରପୁରରୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଆସି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି।