ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ବଡ ଘୋଷଣା

ଭୁବନେଶ୍ବର: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜନତା ମୈଦାନ ଠାରେ ଆୟୋଜିତ ହସ୍ତତନ୍ତ ମେଳା “ଏକତା” କୁ ଉଦ୍ଘାଟନ କରି କହିଛନ୍ତି ଯେ ଆମ ହସ୍ତତନ୍ତ ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ସ୍ତମ୍ଭ। ଆମର ‘ହସ୍ତତନ୍ତ କ୍ଷେତ୍ର’ କେବଳ ଏକ ଆର୍ଥିକ ସ୍ତମ୍ଭ ନୁହେଁ ବରଂ ଏହା ଜାତୀୟ ଗର୍ବ ଓ ଗରିମାର ପ୍ରତୀକ। ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟରୁ ଆରମ୍ଭ କରି ବର୍ତ୍ତମାନର ବିଶ୍ୱ ଫ୍ୟାଶନ୍ ପ୍ଲାଟଫର୍ମ ପର୍ଯ୍ୟନ୍ତ, ଆମର ବୟନ ସର୍ବଦା ଉତ୍କର୍ଷତା, ଆଧ୍ୟାତ୍ମିକତା ଓ ସଂସ୍କୃତିର ଜୟଗାନ କରିଆସିଛି । ହସ୍ତତନ୍ତ ଉନ୍ନୟନ ଯୋଜନା ମାଧ୍ୟମରେ ବୁଣାକାରମାନଙ୍କ ସାମାଜିକ-ଆର୍ଥିକ ଅବସ୍ଥାକୁ ଉନ୍ନତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବର୍ଷ ପାଇଁ ଓଡିଶା ହ୍ୟାଣ୍ଡଲୁମର ବ୍ରାଣ୍ଡ ଆମ୍ବାସାଡର ଭାବେ ଅନୁବନ୍ଧିତ କରାଯାଇଛି ବୋଲି ଘୋଷଣା କରିଥିଲେ। ମାଧୁରୀ ଦୀକ୍ଷିତଙ୍କ ସକ୍ରିୟ ସହଯୋଗରେ ଓଡିଶା ହସ୍ତତନ୍ତରୁ ପ୍ରସ୍ତୁତ ପୋଷାକ ଦେଶ ବିଦେଶର ଫେସନ ଜଗତରେ ପ୍ରତିଷ୍ଠା ଅର୍ଜନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ୩୦ଟି ଜିଲ୍ଲାରେ ୧ ଲକ୍ଷ ୩୦ ହଜାରରୁ ଅଧିକ ବୁଣାକାର ଓ ସହାୟକ ଶ୍ରମିକ ହସ୍ତତନ୍ତ କ୍ଷେତ୍ରରେ ସିଧାସଳଖ ନିୟୋଜିତ ଅଛନ୍ତି । ପ୍ରାଥମିକ ବୁଣାକାର ସମବାୟ ସମିତି, ସ୍ଵୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଜରିଆରେ ଆମର ବୁଣାକାର ବନ୍ଧୁମାନେ ସଂଗଠିତ ହୋଇ ବୟନ ଐତିହ୍ୟକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରିଆସୁଛନ୍ତି । ପୂର୍ବ ଭାରତର ସର୍ବବୃହତ ଓଡିଶା ଟେକ୍ସଟାଇଲ କନକ୍ଲେଭରେ ରାଜ୍ୟରେ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ପାଇଁ ୭ ହଜାର ୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୩୩ଟି MOU ସ୍ୱାକ୍ଷରିତ ହୋଇଛି ଏବଂ ଏହା ମାଧ୍ୟମରେ ଟେକ୍ସଟାଇଲ କ୍ଷେତ୍ରରେ ୫୩ ହଜାର ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ।ସେ ପୁଣି କହିଥିଲେ ଯେ ଭିତ୍ତିଭୂମି ଓ ପ୍ରତିଷ୍ଠାନଗତ ସହାୟତା ଦିଗରେ ଆମ ସରକାର ତତ୍ପର ଅଛନ୍ତି । ଆମେ ବରଗଡ଼, କଟକରେ ଡାଇ ହାଉସ୍, ଗୋଦାମ, ଡିଜାଇନ୍ ଷ୍ଟୁଡିଓ, ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗାର ଭଳି ସାଧାରଣ ସୁବିଧା ସହିତ ହସ୍ତତନ୍ତ ପାର୍କ ବିକଶିତ କରୁଛୁ। ଉତ୍କର୍ଷତା ଏବଂ ନବସୃଜନ ପାଇଁ ଓଡ଼ିଶାର ୪୦ରୁ ଅଧିକ ମାଷ୍ଟର ବୁଣାକାରଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ୧୨୦ ବର୍ଷ ପୂର୍ବେ ଯେଉଁ ସ୍ଵଦେଶୀ ଆନ୍ଦୋଳନକୁ ଚରିତାର୍ଥ କରିବା ପାଇଁ ଏହା ଆରମ୍ଭ ହୋଇଥିଲା, ଆଜି ମଧ୍ୟ ସମୟ ଆସିଛି ଆମେ ଆମ ବୁଣାକାରଙ୍କୁ ସମ୍ମାନ ଦେବା ଏବଂ ତାଙ୍କ ପ୍ରସ୍ତୁତ ବସ୍ତ୍ର ବ୍ୟବହାର କରିବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, ଆମ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ, ବୟନ ଶିଳ୍ପର ଗୌରବମୟ ପରମ୍ପରାକୁ ବଜାୟ ରଖି ଏହାକୁ ଏକ ଆଧୁନିକ ବଜାର-ଚାହିଦା ଭିତ୍ତିକ ଉତ୍ପାଦରେ ପରିଣତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଶ୍ରମିକ ସମ୍ମାନ ଯୋଜନା, ହସ୍ତତନ୍ତ ଶିଳ୍ପୀ ସଂପ୍ରସାରଣ ନୀତି, ଏବଂ ବିଭିନ୍ନ ଶିଳ୍ପ ମେଳା ଓ ଅନୁଦାନ ଯୋଜନା ମାଧ୍ୟମରେ ହସ୍ତତନ୍ତ ଶିଳ୍ପୀଙ୍କ ଉନ୍ନତି ସୁନିଶ୍ଚିତ କରାଯାଇଛି। ରାଜ୍ୟର ନୂଆ ପିଢିକୁ ଆହ୍ୱାନ ଦେଇ ସେ କହିଥିଲେ ଯେ- ଆମ ଓଡ଼ିଶାର ହସ୍ତତନ୍ତ ପୋଷାକ ପିନ୍ଧନ୍ତୁ, ଶିଳ୍ପୀଙ୍କୁ ସମ୍ମାନ କରନ୍ତୁ, ସ୍ୱଦେଶୀ ଉତ୍ପାଦନକୁ ଗ୍ରହଣ କରନ୍ତୁ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲେ। ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *