ମୃତ୍ୟୁ ପରେ ୩ ଜଣଙ୍କ ଜୀବନ ବଞ୍ଚାଇଦେଲେ କୁନ୍ତଳା, ଜିଲ୍ଲା ପୋଲିସ ପକ୍ଷରୁ ଦିଆଗଲା ଗାର୍ଡ ଅଫ ଅନର

ନୟାଗଡ଼: ଗାଁ ମଶାଣୀରେ ଚାଲିଛି ଜଣେ ମହିଳାଙ୍କ ଅନ୍ତିମ ସଂସ୍କାର । ମୃତ ମହିଳାଙ୍କ ନାଁ ହେଉଛି କୁନ୍ତଳା । କିନ୍ତୁ କୁନ୍ତଳା ଏମିତି କିଛି ମହାନ କାମ କରିଯାଇଛନ୍ତି ଯେ ତାଙ୍କ ମୃତ୍ୟୁ ପରେ ତାଙ୍କୁ ଗାର୍ଡ଼ ଅଫ ଅନର ଦିଆଯାଉଛି । କୁନ୍ତଳା ଆମ ପରି ଜଣେ ସାଧାରଣ ମଣିଷ । କିନ୍ତୁ ଆଜି ତାଙ୍କ ମୃତ୍ୟୁରେ ସାରା ଗାଁ ଲୁହ ଗଡ଼ାଉଛି । କାହିଁକି ନା ମୃତ୍ୟୁ ପରେ ୩ ଜଣଙ୍କ ଜୀବନ ବଞ୍ଚାଇଛନ୍ତି କୁନ୍ତଳା । କୁନ୍ତଳାଙ୍କ ବିୟୋଗରେ ଆଖି ଲୁହକୁ ଓଠରେ ଚାପି ରଖି ପରିବାର ଲୋକେ କରିଛନ୍ତି ଅଙ୍ଗଦାନ ଭଳି ମହତ କାର୍ଯ୍ୟ । ଯାହା ପରେ କୁନ୍ତଳାଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର ।ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗୌରାଙ୍ଗପୁର ପଞ୍ଚାୟତ ଲେମ୍ବୁଡିହ ଗାଁର କୁନ୍ତଳା ନନ୍ଦ । ଗତ ମାସ ୨୯ ତାରିଖ ରାତିରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ସାପ କାମୁଡିବା ପରେ ତାଙ୍କୁ ତୁରନ୍ତ ନୟାଗଡ ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ପରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ କୁନ୍ତଳା । କିନ୍ତୁ ଗତ ସୋମବାର ଦିନ ଏମ୍ସ ଡାକ୍ତର ତାଙ୍କୁ ବ୍ରେନ ଡେଡ୍ ରେ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ୨ ପୁଅ ଓ ସ୍ୱାମୀ ଭାଙ୍ଗି ପଡ଼ିଥିଲେ। ଗାଁରେ ଶୋକର ଛାୟା ଖେଳିଯାଇଥିଲା । ଗ୍ରାମବାସୀ ଓ ପରିବାର ଲୋକ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାକୁ ମହିଳାଙ୍କ ମୃତ୍ୟୁର କାରଣ ବୋଲି ଅଭିଯୋଗ କରିଥିଲେ ।କୁନ୍ତଳାଙ୍କ ମୃତ୍ୟୁ ପରେ ଅଙ୍ଗଦାନ କରିବା ପାଇଁ ପରିବାର ଲୋକଙ୍କୁ ବୁଝାଇଥିଲେ ଏମ୍ସ ଡାକ୍ତର । ପରିବାର ଲୋକ କୁନ୍ତଳାଙ୍କ କିଡନୀ ଓ ଯକୃତ ଦାନ କରିବାକୁ ରାଜି ହୋଇଥିଲେ । ଡାକ୍ତର ସଫଳତାର ସହିତ ଅସ୍ତ୍ରୋପ୍ରଚାର କରି କୁନ୍ତଳାଙ୍କ କିଡନୀ ଓ ଯକୃତକୁ ନେଇ ୩ ଜଣ ଯୁବକଙ୍କ ମଧ୍ୟରେ ପ୍ରତ୍ୟାରୋପଣ କରାଇଥିଲେ । ସଫଳତାର ସହିତ ପ୍ରତ୍ୟାରୋପଣ ହେବା ପରେ ସମସ୍ତ ଯୁବକ ସୁସ୍ଥ ଅଛନ୍ତି ।ପରିବାରର ଏଭଳି ମହତ କାର୍ଯ୍ୟ ପାଇଁ କୁନ୍ତଳାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟଦା ଦିଆଯାଇଛି । ଜିଲ୍ଲା ପୋଲିସ ପକ୍ଷରୁ ଶ୍ମଶାନରେ ଗାର୍ଡ ଅଫ ଅନର ଦିଆଯାଇଛି । ଏଭଳି ମହାନ କାର୍ଯ୍ୟ ପାଇଁ କୁନ୍ତଳା ଲୋକଙ୍କ ମନରେ କେବଳ ମହାନ ନୁହେଁ ଅମର ହୋଇ ଯାଇଛନ୍ତି l ଆଖି ବୁଜିବା ପରେ ମଧ୍ୟ ଅନ୍ୟ ପରିବାର ମୁହଁରେ ହସ ଫୁଟାଇ ପାରିଛନ୍ତି କୁନ୍ତଳା ।

Leave a Reply

Your email address will not be published. Required fields are marked *