
ଉତ୍ତରପ୍ରଦେଶର ବାରାଣସୀରେ ଗଙ୍ଗାର ଜଳସ୍ତର କମିବା ଆରମ୍ଭ କରିଛି ସତ କିନ୍ତୁ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା । ସହରର ଗଳି କନ୍ଦି ରାସ୍ତା ଘାଟରେ ଜମି ରହିଛି ଗଙ୍ଗା ପାଣି । ଯାହା ଫଳରେ ନଦୀ କୂଳରେ ରହୁଥିବା ଲୋକମାନେ ସିଧାସଳଖ ପ୍ରଭାବିତ ହେଉଛନ୍ତି । ବାରାଣସୀ ଏକ ତୀର୍ଥକ୍ଷେତ୍ର ହୋଇଥିବାରୁ ପ୍ରତିଦିନ ଏଠାକୁ ଶହ ଶହ ଭକ୍ତ ଓ ପର୍ଯ୍ୟଟକ ଆସନ୍ତି । ପୂଜକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀମାନେ ଗଙ୍ଗା ଉପରେ ନିର୍ଭର କରନ୍ତି । କାହିଁକି ନା ଗଙ୍ଗା ନଦୀ ହିଁ ସେମାନଙ୍କୁ ଜୀବିକା ଯୋଗାଇଥାଏ ।କିନ୍ତୁ ବର୍ତ୍ତମାନ ଗଙ୍ଗାର ଉଗ୍ର ରୂପ ଯୋଗୁଁ ଜୀବିକା ହରାଇଛନ୍ତି ଅନେକ ପରିବାର । ବାରାଣସୀ ଘାଟର ପାହାଚରେ ପ୍ରତିଦିନ ପୂଜାର୍ଚ୍ଚନା କରୁଥିବା ପୁରୋହିତମାନେ ଏବେ ରାସ୍ତାକୁ ଆସି ଯାଇଛନ୍ତି । ଠିକ୍ ଶୁଣିଲେ ଆଜ୍ଞା ଘାଟରେ ବସୁଥିବା ପୂଜକମାନେ ଏବେ ରାସ୍ତା ମଝିରେ ବସି ଲୋକଙ୍କୁ ତିଳକ ଲଗାଉଛନ୍ତି । ବନ୍ୟା ଦେଖିବା ପାଇଁ ଲୋକଙ୍କ ଭିଡ଼ ହେଉଛି ସତ କିନ୍ତୁ ପୂଜକଙ୍କ ପୂଜା ସିଧାସଳଖ ପ୍ରଭାବିତ ହୋଇଛି । ବନ୍ୟା ଯୋଗୁଁ କେବଳ କିଛି ପୂଜକମାନେ ଦୈନନ୍ଦିନ ପୂଜାର୍ଚ୍ଚନା ପାଇଁ ଏଠାକୁ ଆସୁଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ପୁରୋହିତଙ୍କ ଜୀବିକା ଉପରେ ବିପଦ ପଡ଼ିଛି ।ଗଙ୍ଗା ନଦୀର ଜଳ ହ୍ରାସ ପାଉଥିଲେ ବି ଏହା ପୁଣି ଥରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏପରି ପରିସ୍ଥିତିରେ ବନ୍ୟା ଯୋଗୁଁ ଭକ୍ତଙ୍କ ସଂଖ୍ୟା ମଧ୍ୟ କମିଛି । ଭକ୍ତଙ୍କ ସଂଖ୍ୟା କମିବା ଯୋଗୁଁ ଶହ ଶହ ପୁରୋହିତ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ପୁରୋହିତମାନଙ୍କ ଜୀବିକା ସଙ୍କଟରେ ରହିଛି ।ସୂଚନା ଅନୁଯାୟୀ ବାରାଣସୀର ଅସି ଏବଂ ରାଜଘାଟ ମଧ୍ୟରେ ୮୦୦ ରୁ ଅଧିକ ପୁରୋହିତମାନେ ଚୌକି ପକାଇ ଘାଟରେ ବସନ୍ତି । ୧୫୦୦ ରୁ ଅଧିକ ପୁରୋହିତ ଏହି ସ୍ଥାନରେ ପ୍ରତିଦିନ ପୂଜା କରନ୍ତି କିନ୍ତୁ ବର୍ତ୍ତମାନ ବନ୍ୟା ଯୋଗୁଁ ସବୁକିଛି ପ୍ରଭାବିତ ହୋଇଛି ।କେନ୍ଦ୍ରୀୟ ଜଳ ଆୟୋଗ ଅନୁଯାୟୀ, ଗୁରୁବାର ସକାଳେ ବାରାଣସୀରେ ଗଙ୍ଗାର ଜଳସ୍ତର ୭୧.୬୬ ମିଟର ରେକର୍ଡ କରାଯାଇଥିଲା । ଆଶ୍ୱସ୍ତିର ବିଷୟ ବାରାଣସୀରେ ଗଙ୍ଗାର ଜଳସ୍ତର ପ୍ରତି ଘଣ୍ଟାକୁ ୪ ସେଣ୍ଟିମିଟର ବେଗରେ ହ୍ରାସ ପାଉଛି । କିନ୍ତୁ ଜଳସ୍ତର କମୁଥିଲେ ବି ବାରାଣସୀରେ ଗଙ୍ଗା ବିପଦ ସଙ୍କେତଠାରୁ ୪୦ ସେଣ୍ଟିମିଟର ଉପରେ ପ୍ରବାହିତ ହେଉଛି । ଯାହା ଦ୍ବାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି ।