
ପୁରୀ: ଆଜି 6 ଘଣ୍ଟିଆ ପୁରୀ ବନ୍ଦ । ବଳଙ୍ଗା ନାବାଳିକାଙ୍କୁ ନ୍ୟାୟ ଦାବିରେ ପୁରୀ ଜିଲ୍ଲା ବିଜେଡ଼ି ପକ୍ଷରୁ ଆଜି ୬ ଘଣ୍ଟିଆ ପୁରୀ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ବିଜେଡି ନେତା କର୍ମୀ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି । ଫଳରେ ଦୋକାନ ବଜାର ବନ୍ଦ ରହିଛି । ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିବା ସୂଚନା ମିଳିଛି ।
6 ଘଣ୍ଟିଆ ହରତାଳ:ପୁରୀ ଜିଲ୍ଲା ବିଜେଡ଼ି ପକ୍ଷରୁ ପୁରୀ ଜିଲ୍ଲାରେ ଆଜି ଛଅ ଘଣ୍ଟିଆ ହରତାଳ କରାଯାଉଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବିଜେଡ଼ି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ତେବେ ଏହି ବନ୍ଦ ଡାକରା ପ୍ରଭାବ ଆଂଶିକ ପଡିଥିବା ଦେଖିବାକୁ ମିଳିଛି । ସକାଳୁ ଘରୋଇ ବସ ଚଳାଚଳ ବନ୍ଦ ରହିଛି । ଦିନ 12ଟା ପରେ ଚାଲିବ ବସ । ବସଷ୍ଟାଣ୍ଡ ଓ ବଡଦାଣ୍ଡରେ ଦୋକାନ ବଜାର ବନ୍ଦ ରହିଛି । ଦିନ 12ଟା ପରେ ଖୋଲିବ ଦୋକାନ । ସହର ଅନ୍ୟ ଅଞ୍ଚଳରେ ଦୋକାନ ଖୋଲା ରହିଛି । ଅଟୋ ଚଳାଚଳ ସ୍ବାଭାବିକ ରହିଛି ।
ସତ୍ୟାସତ୍ୟ ସାମ୍ନାକୁ ନ ଆସିବେ ଆନ୍ଦୋଳନ ଜାରି ରହିବ:ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ଚିକିତ୍ସା ସମୟରେ କିଭଳି ମୃତ୍ୟୁ ହେଲା ଏବଂ ମୃତ୍ୟୁର କାରଣ ଏବେ ସମ୍ପୂର୍ଣ୍ଣ ରହସ୍ୟ ଘେରରେ ରହିଛି । ପୋଲିସର ତଦନ୍ତ ଉପରେ ମଧ୍ୟ ବିଜେଡ଼ି ପ୍ରଶ୍ନ ଉଠାଇଛି । ଯଥାଶୀଘ୍ର ଘଟଣାର ସତ୍ୟାସତ୍ୟ ସରକାର ଉନ୍ମୋଚନ କରନ୍ତୁ ବୋଲି ବିଜେଡି ଦାବି କରିଛି । ଏଥିସହ ରାଜ୍ୟ ସରକାର ଜାଣିଶୁଣି ଦୋଷୀକୁ ଚିହ୍ନଟ କରୁନଥିବା ବିଜେଡ଼ି ଅଭିଯୋଗ କରିଛି । ସେହିପରି ପୀଡ଼ିତାଙ୍କ ପରିବାର ଉପରେ କଣ ଚାପ ପଡିଲା ଯାହାଫଳରେ ପୀଡ଼ିତାଙ୍କ ବାପା ନିଜର ମତ ପରିବର୍ତ୍ତନ କରାଇଛନ୍ତି । ତୁରନ୍ତ ଏହାର ସତ୍ୟାସତ୍ୟ ସାମ୍ନାକୁ ନ ଆସିଲେ ବିଜେଡ଼ିର ଆନ୍ଦୋଳନ ଜାରି ରହିବ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।