
କେନ୍ଦ୍ରାପଡା: କେନ୍ଦ୍ରାପଡା ଯୁକ୍ତ ତିନି ଛାତ୍ରୀ ମୃତ୍ୟୁ ଘଟଣାରେ ଏଏସଆଇଙ୍କ ବଦଳି । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ASI ଶୈଳେନ୍ଦ୍ର ମୋହନ ପଲାଇଙ୍କ ବଦଳି କଲେ କେନ୍ଦ୍ରାପଡା ଏସପି । ସେପଟେ ଆଜି କଟକ ଏସସିବି ମେଡିକାଲରେ ହେବ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ । ଏହି ଘଟଣାକୁ ନେଇ ରାଜନୀତି ସରଗରମ । ପଟ୍ଟାମୁଣ୍ଡାଇରେ ଶୋକର ଛାୟା ।ବଦଳିଲେ ASI:ଏହି ଘଟଣାରେ ଆକ୍ସନ ନେଇଛନ୍ତି କେନ୍ଦ୍ରାପଡା ଏସପି । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ASI ଶୈଳେନ୍ଦ୍ର ମୋହନ ପଲେଇଙ୍କୁ ବଦଳି କରାଯାଇ ଜିଲ୍ଲା ପୋଲିସ ହେଡକ୍ବାର୍ଟରରେ ଅବସ୍ଥାପିତ କରାଯାଇଛି । ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପାଇଁ ତାଙ୍କୁ ବଦଳି କରାଯାଇଛି । ତେବେ ପୂର୍ବରୁ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦେଇଥିଲେ ବି ଥାନା ବାବୁ ରଖିନଥିବା ଗତକାଲି ଅଭିଯୋଗ ଆଣିଥିଲେ ତାଙ୍କ ବାପା ।
ଆଜି ହେବ ପୋଷ୍ଟମର୍ଟମ:ଆଜି କଟକ ବଡ଼ମେଡିକାଲରେ ହେବ ଛାତ୍ରୀଙ୍କ ପୋଷ୍ଟମର୍ଟମ । FMT ଏକ୍ସପର୍ଟଙ୍କ ଦ୍ୱାରା ବ୍ୟବଚ୍ଛେଦ ହେବା ପାଇଁ ମୃତଦେହକୁ କଟକ ପଠାଯାଇଛି । ଏନେଇ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି, ‘ମୃତ ଛାତ୍ରୀଙ୍କ ଶରୀର ପୋଡିଯାଇଥିବା ଓ ପୋଷ୍ଟମର୍ଟମରେ ନିର୍ଭୁଲ ତଥ୍ୟ ପାଇଁ FMTର ଆବଶ୍ୟକତା ରହିଛି । କେନ୍ଦ୍ରାପଡା ଜିଲ୍ଲାରେ ଏହି ବିଭାଗରେ କେହି ଅଭିଜ୍ଞ ଡାକ୍ତର ନଥିବା କାରଣରୁ ମୃତଦେହକୁ କଟକ ବଡ଼ ମେଡିକାଲ ପଠାଯିବାର ବ୍ୟବସ୍ଥା କରାଯାଇଛି ।
’ସାମ୍ନାକୁ ଆସିଲା ପ୍ରେମ ବ୍ୟାପାର କଥା:ମୃତ ଛାତ୍ରୀ ଜଣକ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ବଡପଡା ପଞ୍ଚାୟତ ଅଧିନସ୍ଥ ଏକ ସ୍ଥାନୀୟ କଲେଜରେ +3 କଳା ଶେଷବର୍ଷର ଛାତ୍ରୀ ଥିଲେ । ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ଓ ପରେ କୌଣସି କାରଣରୁ ମନୋମାଳିନ୍ୟ ହୋଇଥିଲା । ଏଥିପାଇଁ ଛାତ୍ରୀ ଜଣଙ୍କ ପ୍ରେମିକ ଠାରୁ ଦୂରେଇ ଯାଇଥିଲେ । ତେବେ ପ୍ରତିଶୋଧ ପରାୟଣ ହୋଇ ଯୁବକ ଜଣକ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଛାତ୍ରୀଙ୍କର ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ମୃତକଙ୍କ ବାପା ଗତକାଲି ପ୍ରତିକ୍ରିୟାରେ କହିଥିଲେ । ମୃତ ଛାତ୍ରୀ ଓ ପରିବାରବର୍ଗ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେବାକୁ ଯାଇଥିବା ବେଳେ ଥାନା କର୍ମଚାରୀ ଏହି ଏତଲା ରଖିନଥିଲେ ବୋଲି ଅଭିଯୋଗ କରିଛନ୍ତି ।
ଛାତ୍ରୀ ଆତ୍ମାହୁତି ମାମଲା ଘଟଣା ସମ୍ପର୍କରେ ପଡୋଶୀ ଓ ରାଜନେତାଙ୍କ ପ୍ରତିକ୍ରିୟା:ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ପ୍ରତିକ୍ରିୟା ରଖି ପଡୋଶୀ କୁହନ୍ତି, ‘ଗତକାଲି ସକାଳ ସାଢେ ସାତଟା ସମୟରେ ମୃତ ଛାତ୍ରୀଙ୍କ ବାପା ମା’ ପଟ୍ଟାମୁଣ୍ଡାଇ ପତ୍ରପୁର ଯାଇ ସାଢେ ଏଗାରଟା ସମୟରେ ଘରକୁ ଫେରି ଦେଖିଲେ ଯେ ଛାତ୍ରୀ ଜଣଙ୍କ ଜଳି ଯାଇଛନ୍ତି । ଏହି ଜଳିଯିବା କାରଣ ହେଉଛି ସେ ଯାହାକୁ ଭଲ ପାଇଥିଲା ସେ ପିଲା ପାଇଁ ଏଭଳି ଘଟଣା ଘଟିଛି । ଆଗରୁ ସେ ଥାନାକୁ FIR ଦେବାକୁ ଯାଇଥିଲା ହେଲେ ଥାନାଵାଲା FIR ନରଖି ତାକୁ ବୁଝାଇ ପଠାଇ ଦେଇଥିଲେ ଯେଉଁଥିପାଇଁ ଆଜି ଏଭଳି ଘଟଣା ଘଟିଲା ।’
ଦୃଢ କାର୍ଯ୍ୟାନୁଷ୍ଠାନ ଦାବି:ସେ ଆହୁରି କହିଛନ୍ତି, ‘ଆଜିକା ଦିନରେ ଆମ ଦଳ ତରଫରୁ ଅନେକ ଫ୍ୟାକ୍ଟ୍ ଫାଇଣ୍ଡିଂ କମିଟିରେ ଗଲିଣି ବହୁ ସ୍ଥାନରେ ଆମେ ଯେତେବେଳେ ପୋଲିସ ପ୍ରଶାସନିକ ଅଧିକାରୀ ମାନଙ୍କୁ ଭେଟୁଛୁ ସେମାନେ ଆମେ ପଦକ୍ଷେପ ନେବୁ ବୋଲି କହୁଛନ୍ତି କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ କିଛି ହେଉନି । ଆଶା କରୁଛୁ ଯେ କେନ୍ଦ୍ରାପଡା ଏସପି ଯାହା କହିଛନ୍ତି ତାହା ସତ ହେଉ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଏବଂ ଯେଉଁ ପୋଲିସ ଅଧିକାରୀଙ୍କ ଅବହେଳା ପାଇଁ ଏଭଳି ଘଟଣା ହୋଇଛି ତାଙ୍କ ଉପରେ ସେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନଚେତ ଆଗାମୀ ଦିନରେ କଂଗ୍ରେସ ଦଳ ଏହାର ଘୋର ପ୍ରତିବାଦ କରିବ ।’‘ଡବଲ ଇଞ୍ଜିନ ସରକାର ଫେଲ୍:’ସେ ଆହୁରି କହିଛନ୍ତି, ‘ପୋଲିସ ପ୍ରଶାସନ ଆଜି ଢିଲା କାହିଁକି ହୋଇଛି, ଆଜିକା ଦିନରେ ଯଦି ଦେଖିବା ବଳଙ୍ଗା ଘଟଣାରେ ପୋଲିସ କହୁଛି ଏଥିରେ କେହି ସମ୍ପୃକ୍ତ ନାହାନ୍ତି ଯେତେବେଳେ କି ପ୍ରତ୍ୟକ୍ଷଦର୍ଶୀ କହୁଛି କି ତିନୋଟି ପିଲା ତାକୁ ଜାଳିଛନ୍ତି । ଡବଲ ଇଞ୍ଜିନ ସରକାର ଏଠି ଫେଲ ହୋଇ ସାରିଲାଣି । ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ।’ଘଟଣା ସମ୍ପର୍କରେ ଗତକାଲି କଣ କହିଥିଲେ କେନ୍ଦ୍ରାପଡା ଏସପି ?ଗତକାଲି ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କେନ୍ଦ୍ରାପଡା ଏସପି କହିଥିଲେ, ‘ଏବେ ତଦନ୍ତ ଚାଲିଛି, ସାଇଣ୍ଟିଫିକ ଟିମ ଆସି ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଅଛି ତାହାକୁ ସଂଗ୍ରହ କରିଛି । ପ୍ରାଥମିକ ତଦନ୍ତରେ ତାଙ୍କର ବାପା ଯାହା କହିଲେ ଓ ଲେଖିକି ଦେଇଛନ୍ତି ଯେ ସେ କବାଟ ଭାଙ୍ଗିକି ସେ ଭିତରକୁ ଗଲେ ଏବଂ ଦେଖିଲେ ଯେ ବଡି ଏମିତି ଅବସ୍ଥାରେ ଥିଲା । ତେଣୁ ପ୍ରଥମରେ ଏହା ସୁଇସାଇଡ଼ ବୋଲି ଲାଗୁଛି ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଠିକ କଥା କହିହେବ, ଏବେ ତଦନ୍ତ ଚାଲିଛି ।’