
ଭଞ୍ଜନଗର ୦୮/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆଗକୁ ପାର୍ବଣ ଋତୁ। ଆସନ୍ତା ରବିବାର ଭାଲୁକୁଣି ବା ଖୁଦରୁକୁଣି ପୂଜାର ପ୍ରଥମ ପାଳି। ଏନେଇ ଭଞ୍ଜନଗର ଅଞ୍ଚଳରେ ଜମିଲାଣି ମୂର୍ତ୍ତି ବେପାର। ବିଭିନ୍ନ ଗ୍ରାମ ଓ ସାହିରେ କୁମାରୀମାନେ ବ୍ରତ ରଖି ଏକାଠି ହୋଇ ମଙ୍ଗଳାଙ୍କୁ ଆବାହନ କରିବେ। ତେଣୁ ପ୍ରତିବର୍ଷ ଭଳି ଏହି ଭାଲୁକୁଣି ଓଷାକୁ ବେଶ୍ ଧୁମ୍ଧାମରେ ପାଳନ କରିବା ନେଇ ଗାଁ ଓ ସହିର ଯୁବତୀ ମାନେ ସବୁ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି। ସେନେଇ ବିଭିନ୍ନ ସ୍ଥାନରେ ଭାଲୁକୁଣି ମୂର୍ତ୍ତି ବେପାର ଜମିଲାଣି। ଏହାଛଡ଼ା ରାକ୍ଷୀ ଦୋକାନ କରିଥିବା ବେପାରୀମାନେ ଭାଲୁକୁଣି ମୂର୍ତ୍ତି ରଖି ମଧ୍ୟ ବିକ୍ରି କରୁଛନ୍ତି । ବିଭିନ୍ନ ଆକୃତିର ଛୋଟ ଛାଞ୍ଚ ମୂର୍ତ୍ତି ୬୦ ଟଙ୍କାରୁ ଆରମ୍ଭ କରି ଛଣ ଭିଡ଼ା ହାତ ତିଆରି ମୂର୍ତ୍ତି ୨ ହଜାର ଓ ତାଠୁ ଅଧିକ ଟଙ୍କାରେ ବିକ୍ରି ହେଉଛି | ପୁଣି ଆଗକୁ ଗଣେଶ ପୂଜା ଆସୁଥିବାରୁ କାରିଗରମାନେ ମୂର୍ତ୍ତି ତିଆରିରେ ଲାଗିପଡ଼ିଛନ୍ତି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଭିନ୍ନ ମୂର୍ତ୍ତି ତିଆରି ନେଇ ଆବଶ୍ୟକ କଞ୍ଚାମାଲ ମିଳିବାରେ ସମସ୍ୟା ନେଇ ମୃତ୍ତିକା ଶିଳ୍ପୀ ପରିବାର ଚିନ୍ତାରେ ପଡ଼ିଛନ୍ତି।
ଭଲ ରୋଜଗାର ଆଶାରେ ଭଞ୍ଜନଗର ଅଞ୍ଚଳରେ ମୂର୍ତ୍ତି ଗଢ଼ୁଥିବା ପରିବାରର ଛୋଟ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିବର୍ଷ ଭଳି ପାର୍ବଣ ପୂର୍ବରୁ ଚଳଚଞ୍ଚଳ ହୋଇପଡ଼ିଛନ୍ତି। ହେଲେ କଞ୍ଚାମାଲକୁ ନେଇ ସଂକଟରେ ପଡ଼ିଛନ୍ତି । ମୂର୍ତ୍ତି ତିଆରି ପାଇଁ ଆବଶ୍ୟକ ମାଟି, ଛଣ, ସୁତୁଲି, କାଠପଟା ଓ ରଙ୍ଗ କିଣିବାରେ ଯେତିକି ଖର୍ଚ୍ଚ ହେଉଛି ମୂର୍ତ୍ତି ବିକ୍ରିକଲେ ବହୁତ କମ୍ ଲାଭ ମିଳୁଥିବା କାରିଗର ମାନେ କହିଛନ୍ତି।ସେହିପରି ବଜାରରେ କୋଲକାତାର କାରିଗରମାନଙ୍କ ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ ମୂର୍ତ୍ତି ବିକ୍ରି ସ୍ଥାନୀୟ ମୂର୍ତ୍ତି କାରିଗରଙ୍କୁ ପ୍ରଭାବିତ କରିଛି। ବଜାରରେ ମାଟି ମୂର୍ତ୍ତି ର ଚାହିଦା ବେଶି। ହେଲେ ମାଟି ଟ୍ରାକ୍ଟର ଟ୍ରିପ୍ ପିଛା ୩ ହଜାର ଟଙ୍କା ଦେଲେ ବି ଆବଶ୍ୟକ ପରିମାଣର ଚିକିଟା ମାଟି ମିଳୁ ନଥିବା ଶିଳ୍ପୀ ଦୟାନିଧି ମହାର କହିଛନ୍ତି। ଏନେଇ ସରକାରୀ ସ୍ତରରେ ଉପଯୁକ୍ତ ପ୍ରୋତ୍ସାହନ ଅର୍ଥ ଯୋଗାଇ ଦିଆଗଲେ ବାପା ଜେଜେ ବାପା ଅମଳରୁ ପିଢ଼ି ପରେ ପିଢ଼ି ଚାଲିଥିବା ଏହି କୌଳିକ ବୃତ୍ତ ବଞ୍ଚି ରୁହନ୍ତା ବୋଲି ଅନେକ ଶିଳ୍ପୀ ପରିବାର କହିଛନ୍ତି।