
ଭୋଟ ଚୋରି ଅଭିଯୋଗରେ ନିର୍ବାଚନ ଆୟୋଗ ବିପକ୍ଷରେ ଦିଲ୍ଲୀରେ ବିଶାଳ ପଦଯାତ୍ରା ହେଉଛି । ନିର୍ବାଚନ କମିଶନଙ୍କ ବିରୋଧରେ ଜୋରଦାର ପ୍ରତିବାଦ ହେଉଛି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏହି ପଦଯାତ୍ରାରେ ୩୦୦ରୁ ଅଧିକ ବିରୋଧୀ ନେତା ଓ ସାଂସଦ ସାମିଲ ହୋଇଛନ୍ତି । ବିରୋଧୀ ସାଂସଦମାନେ ସଂସଦ ଭବନର ମକର ଦ୍ୱାରରୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଯିବାବେଳେ ଅଟକାଇଥିଲା ପୋଲିସ । ପୋଲିସ ପ୍ରତିବାଦ ଶୋଭାଯାତ୍ରାକୁ ବନ୍ଦ କରିବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ଧାରଣାରେ ବସିଥିଲେ ।ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରିଥିଲେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ। ଶେଷରେ ରାହୁଲ ଓ ପ୍ରିୟଙ୍କାଙ୍କୁ ଗିରଫ କରିଛି ପୋଲିସ । ନେତା ରାହୁଲ ଗାନ୍ଧି କହିଛନ୍ତି ଏହି ଲଢେଇ ସମ୍ବିଧାନକୁ ବଞ୍ଚାଇବା ପାଇଁ । ସତ୍ୟ ସେ କହିପରିବେ ନାହିଁ । ସତ୍ୟ ଦେଶ ସାମ୍ନାରେ ଅଛି । ଏହି ଲଢେଇ ରାଜନୀତି ବିଷୟରେ ନୁହେଁ ବରଂ ସମ୍ବିଧାନକୁ ବଞ୍ଚାଇବା ପାଇଁ, ଆମେ କେବଳ ଏକ ସ୍ୱଚ୍ଛ ଭୋଟର ତାଲିକା ଚାହୁଁ ।ଏହି ସମୟରେ ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ବିରୋଧୀ ସାଂସଦମାନଙ୍କ ସ୍ଲୋଗାନ ମଧ୍ୟରେ ଅଖିଳେଶ ଯାଦବ ବ୍ୟାରିକେଡ୍ ଡେଇଁ ପଡ଼ିଥିଲେ । ବ୍ୟାରିକେଡ୍ ଡେଇଁ ପଡ଼ିଥିବା ଅଖିଳେଶ ଯାଦବଙ୍କୁ ସେଠାରେ ଉପସ୍ଥିତ ଅନ୍ୟ ନେତାମାନେ ସୁରକ୍ଷା ଦେଇଥିଲେ । ନିର୍ବାଚନ କମିଶନଙ୍କୁ ଅନେକ ଥର ପଚରାଯାଇଛି। ଯଦି ଏପରି ଅଭିଯୋଗ ଆସିଛି, ତେବେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଏହାକୁ ବିଚାରକୁ ନିଆଯିବା ଉଚିତ।ସେପଟେ ବିରୋଧ କରୁଥିବା ବେଳେ ଅଚେତ ହୋଇପଡିଛନ୍ତି ସାଂସଦ ମହୁଆ ମୌଇତ୍ରୀ ।