
ଭଞ୍ଜନଗର ୧୪/୦୮( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବଡିଭିଜନର ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ନେଟଙ୍ଗା କ୍ଲଷ୍ଟର ତଥା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ଠାରେ ୭୬ ତମ ବନମହୋତ୍ସବ ପାଳନ ଅବସରରେ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଓ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଆହ୍ବାନ ପ୍ରକାରେ ଏବଂ ପ୍ରକୃତି ବନ୍ଧୁ ପୁରସ୍କାର ସମ୍ମାନିତ ବିଜ୍ଞାନ ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ପ୍ରେରଣା କ୍ରମେ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ଘଡେ଼ଇଙ୍କ ତତ୍ତ୍ୱାବଧାନ ଏବଂ ବିଦ୍ୟାଳୟର ଏନାର୍ଜି ଓ ଇକୋ କ୍ଳବ୍ ତଥା ଏନ୍ ସି ସି ଶିକ୍ଷକ ପ୍ରଭାତ କୁମାର ଗୌଡ଼ଙ୍କ ଉଦ୍ୟମରେ ଏହି ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ସହଯୋଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ଘଡ଼ାଇ। ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ମୂଖ୍ୟ ଅତିଥି ରୂପେ ଯୋଗଦେଇ ସମସ୍ତ ଅତିଥି ମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ମହୋଦୟ
ବୃକ୍ଷର ଉପକାରିତା ଓ ଆବଶ୍ୟକତା, ପ୍ରକୃତି ସଂରକ୍ଷଣ, ବୃକ୍ଷ ଓ ଜଙ୍ଗଲ ସଂପର୍କୀତ ବିଭିନ୍ନ ତଥ୍ୟ ଓ ପରିସଂଖ୍ୟାନ ବିଷୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ଭଞ୍ଜନଗର ଉତ୍ତର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ ଓ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ପୂର୍ବତନ ରେଞ୍ଜ ଅଫିସର ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ, ସାମାଜିକ କର୍ମୀ ଅନୁପମ ବାନାର୍ଜୀ, ପୂର୍ବତନ ଫରେଷ୍ଟ ଅଫିସର୍ ତଥା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁରେଶ ଚନ୍ଦ୍ର ସ୍ବାଇଁ, ଅବସରପ୍ରାପ୍ତ ସେନା ଅଧିକାରୀ ରଘୁନାଥ ଜେନା, ପ୍ରକୃତି ବନ୍ଧୁ ତଥା ସାମାଜିକ କର୍ମୀ ଦ୍ଵିତୀକୃଷ୍ଣ ଲେଙ୍କା। ସମସ୍ତ ଉପସ୍ଥିତ ଅତିଥି ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ବୃକ୍ଷ ଚାରା ରୋପଣ, ପରିବେଶ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ବନୀକରଣ, ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କରେ ନିଜ ନିଜ ମତାମତ ଉପସ୍ଥାପନା କରିବା ସହ ବିଦ୍ୟାଳୟ ପ୍ରାଙ୍ଗଣରେ ସମସ୍ତଙ୍କ ଗହଣରେ ବୃକ୍ଷ ଚାରା ରୋପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ବନବିଭାଗ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା। ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କା ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ ମା’ଙ୍କ ନାମରେ ବୃକ୍ଷ ଚାରା ରୋପଣ ପାଇଁ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀ ମାନେ ଅତି ଉଚ୍ଚ କୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପ୍ରକୃତି ବନ୍ଧୁ ତଥା ସାମାଜିକ କର୍ମୀ ଦ୍ଵିତୀକୃଷ୍ଣ ଲେଙ୍କା ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଡୋକି ସରୋଜିନୀ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ।
ବିଦ୍ୟାଳୟ ତରଫରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ତଥା ଉତ୍ତମ ପ୍ରଦର୍ଶନ କରିଥିବା ଇକୋ କ୍ଳବ୍ ସଦସ୍ୟ ମାନଙ୍କୁ ପ୍ରଶଂସା ପତ୍ର, ଉପଢୌକନ, ଫୁଲତୋଡ଼ା ଓ ପ୍ରାଇଜ ଦେଇ ସମ୍ମାନିତ କରାଯାଇଥିଲା। ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ କର୍ମଚାରୀ ମାନଙ୍କ ସହଯୋଗରେ ଏକ ବିରାଟ ଶୋଭାଯାତ୍ରା ବାହାର କରାଯାଇ ଶଢଙ୍ଗିପଲ୍ଲୀ ଛକ ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ବନପାଳକ, ଫରେଷ୍ଟ ଗାର୍ଡ, ବନ ସୁରକ୍ଷା ବାହିନୀର କର୍ମଚାରୀ
ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ସମସ୍ତ ଛାତ୍ରଛାତ୍ରୀ, ପାଚିକା ସହାୟିକା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ।