
ଫିଲ୍ମ ଦ ବେଙ୍ଗଲ୍ ଫାଇଲ୍ସ ପାଇଁ ଚର୍ଚ୍ଚାରେ ଅଛନ୍ତି ନିର୍ଦ୍ଦେଶକ ଏବଂ ପ୍ରଯୋଜକ ବିବେକ ଅଗ୍ନିହୋତ୍ରୀ । ଅନୁପମ ଖେର ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ୧୫ ଅଗଷ୍ଟ ଅବସରରେ ସେ ଫିଲ୍ମର ତାଙ୍କର ପ୍ରଥମ ଲୁକ୍ ସେୟାର କରିଛନ୍ତି । ଯାହାକୁ ଦେଖିବା ପରେ ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଅନୁପମ ଖେରଙ୍କ ଦ୍ୱାରା ସେୟାର କରାଯାଇଥିବା ପ୍ରଥମ ଲୁକ୍ କୁ ବେଶ୍ ଭଲପାଇବା ସାଉଣ୍ଟୁଛି ।‘ଦି ବେଙ୍ଗଲ ଫାଇଲ୍ସ’ ଫିଲ୍ମରେ ଅନୁପମ ଖେର ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଫିଲ୍ମରୁ ତାଙ୍କର ଲୁକ୍ ସେୟାର କରି ଅନୁପମ ଖେର ଲେଖିଛନ୍ତି, ‘କିଛି ଚରିତ୍ର ତୁମର ଚିନ୍ତାଧାରା, ତୁମର ଅଭ୍ୟାସ, ତୁମକୁ ଭିତରୁ ପରିବର୍ତ୍ତନ କରିଥାନ୍ତି ।ଆଉ ସେହି ଚରିତ୍ର ଭିତରେ ରହିଛନ୍ତି ଜାତିର ଜନକ ଗାନ୍ଧୀଜୀଙ୍କ ଚରିତ୍ର । ଯାହାକୁ ମୁଁ ପ୍ରଥମ ଥର ପାଇଁ ଅଭିନୟ କରୁଛି । ମୁଁ ବିବେକ ଅଗ୍ନିହୋତ୍ରୀଙ୍କ ଦି ବେଙ୍ଗଲ ଫାଇଲ୍ସରୁ ମୋର ପ୍ରଥମ ଲୁକ୍ ସେୟାର କରୁଛି । ଏଠାରେ କୌଣସି ପ୍ରୋସ୍ଥେଟିକ୍ସ ବ୍ୟବହାର କରାଯାଇ ନାହିଁ । ‘ଅଭିନେତା ଅନୁପମ ଖେରଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋର ପୃଷ୍ଠଭୂମି ସଙ୍ଗୀତରେ ରହିଛି ଶ୍ରେୟା ଘୋଷାଲଙ୍କ ଦ୍ୱାରା ଏକ ଭଜନ । ସେହି ଭଜନର ନାମ ବୈଷ୍ଣବ ଜନ ଏବଂ ଏହାକୁ ଏ.ଆର. ରହମାନ ରଚନା କରିଛନ୍ତି । ଏହି ଫଟୋରେ ଅନୁପମ ଖେରଙ୍କ ଲୁକ୍ ସମ୍ପୂର୍ଣ୍ଣ ମହାତ୍ମା ଗାନ୍ଧୀଙ୍କ ପରି ଏବଂ ପ୍ରଶଂସକମାନେ ମଧ୍ୟ ତାଙ୍କ ଲୁକ୍ ପସନ୍ଦ କରୁଛନ୍ତି ।‘ଦି କାଶ୍ମୀର ଫାଇଲ୍ସ’ ଭଳି ବ୍ଲକବଷ୍ଟର ଫିଲ୍ମ ତିଆରି କରିଥିବା ବିବେକ ଅଗ୍ନିହୋତ୍ରୀ ପରବର୍ତ୍ତୀ ସମୟରେ ତାଙ୍କର ଆଗାମୀ ଫିଲ୍ମ ‘ଦି ବେଙ୍ଗଲ୍ ଫାଇଲ୍ସ’ରେ ନଜର ଆସିବେ।ଏହି ଫିଲ୍ମରେ ୧୯୪୬ କୋଲକାତା ଦଙ୍ଗା ଏବଂ ନୋଆଖାଲି ଗଣହତ୍ୟାର ଘଟଣାବଳୀ ସ୍ଥାନ ପାଇବ । ‘ଦି ବେଙ୍ଗଲ୍ ଫାଇଲ୍ସ’ ଦୁଇଟି ଭାଗରେ ମୁକ୍ତିଲାଭ କରିବ, ଯାହାର ପ୍ରଥମ ଭାଗ ଜୀବନର ଅଧିକାର ଉପରେ ଆଧାରିତ ହେବ ଏବଂ ଏହା ୫ ସେପ୍ଟେମ୍ବର ୨୦୨୫ରେ ଥିଏଟରରେ ମୁକ୍ତିଲାଭ କରିବ। ଦ୍ୱିତୀୟ ଭାଗ କିପରି ହେବ ଏବଂ କେବେ ମୁକ୍ତିଲାଭ କରିବ ସେ ବିଷୟରେ ନିର୍ମାତା ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାଁନ୍ତି। ଅନୁପମ ଖେରଙ୍କ ଭୂମିକା ବର୍ତ୍ତମାନ ପାଇଁ ନିଶ୍ଚିତ ହୋଇଛି ।