
ଭଞ୍ଜନଗର, (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଦୀର୍ଘ ତିନି ଦଶନ୍ଧି ଧରି ଘୁମୁସର ବାସୀଙ୍କ ଏକମାତ୍ର ଦାବି ଘୁମୁସର ଜିଲ୍ଲା ଗଠନ। ସରକାର ପରେ ସରକାର ପରିବର୍ତ୍ତନ ହୋଇଛି କିନ୍ତୁ ଘୁମୁସରର ଭାଗ୍ୟ ଅପରିବର୍ତ୍ତିତ ରହିଛି। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇଥିଲା। ତତ୍କାଳୀନ ଭଞ୍ଜନଗର ବିଧାୟକ ରାମକୃଷ୍ଣ ଗୌଡ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଘୁମୁସର ଜିଲ୍ଲା ଦାବି ମାନି ବିଜୁ ବାବୁ ଘୁମୁସର ଜିଲ୍ଲା ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଘୁମୁସର ଜିଲ୍ଲା ଘୋଷଣା ହୋଇପାରି ନ ଥିଲା। ଯାହାକୁ ନେଇ ଅଞ୍ଚଳବାସୀ ସେ ସମୟରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅସନ୍ତୋଷ ଦିନକୁ ଦିନ ସରକାର ବିରୋଧରେ ବଢୁଛି। କୌଣସି ସରକାର ଘୁମୁସର ଅଞ୍ଚଳବାସୀଙ୍କ ଦାବିକୁ ଗୁରୁତ୍ୱ ଦେଉନାହାନ୍ତି। ତେଣୁ ଆଗାମୀ ଦିନରେ ଯଦି ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇବ ଘୁମୁସର ଜିଲ୍ଲା ଘୋଷଣା ଯେଭଳି ବଞ୍ଚିତ ନହେବ ସେଥିପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ହେଉଛି।
ଏହିଭଳି ଘୁମୁସର ବାହିନୀ ମଧ୍ୟ ଚିଠି ଲେଖା ସମେତ ବିଭିନ୍ନ ଆନ୍ଦୋଳନ କାର୍ଯ୍ୟକ୍ରମ କରୁଛି। ଏଥିସହ ଭଞ୍ଜନଗର ବାର ଆସୋସିଏସନ, ବରିଷ୍ଠ ନାଗରିକ ମଞ୍ଚ, ଘୁମୁସର ମିଡ଼ିଆ କ୍ଲବ ସମେତ ବିଭିନ୍ନ ସଙ୍ଗଠନ ଆନ୍ଦୋଳନ ଅନେକ ସମୟରେ କରୁଛି। ଶୁକ୍ରବାର ସ୍ବାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ ପଡିଆ ସମ୍ମୁଖରେ ଘୁମୁସରବାହିନୀ ପକ୍ଷରୁ ଚିଠି ଲେଖା ଅଭିଯାନ ଅୟୋଜନ ହୋଇଥିଲା। ଛାତ୍ରୀ, ଛାତ୍ରଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଘୁମୁସର ଜିଲ୍ଲା ପାଇଁ ଆଜି ଚିଠି ଲେଖି ଦାବି ଜଣାଇଥିଲେ। ଘୁମୁସର ବାହିନୀ କର୍ମକର୍ତ୍ତାଙ୍କ ଏହିଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି।