ହୋଟେଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ମିଳିବା ଘଟଣାରେ ପୁରୀ ଏସପିଙ୍କ ପ୍ରତିକ୍ରିୟା: ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ସନ୍ଦେହ

ପୁରୀ, ୧୫/୦୮(ବଳରାମ ତ୍ରିପାଠି ରିପୋର୍ଟ): ପୁରୀ ଚକ୍ରତୀର୍ଥ ରୋଡ୍ ହୋଟେଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ମିଳିବା ଘଟଣା। ପ୍ରତିକ୍ରିୟା ରଖିଲେ ପୁରୀ ଏସପି। ସେ କହିଛନ୍ତି ଯେ, ହୋଟେଲ ସୂତ୍ରରୁ ସୂଚନା ମିଳିବା ପରେ ଏକଜୁକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଡୋର୍ ଭାଙ୍ଗି ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଯୁବକ ଜଣଙ୍କ ୩୦ରୁ ୩୫ ବର୍ଷର ହୋଇଥିବା ଅନୁମାନ କରାଯାଉଛି। ସେହିପରି ମହିଳା ଜଣଙ୍କ ୨୫ରୁ ୩୦ ବର୍ଷର ହୋଇଥିବା ଅନୁମାନ କରାଯାଉଛି। ଫରେସନ୍ସିକ୍ ଟିମ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଥ୍ୟ ଅଣ୍ଡାଳୁଛି। ଉଭୟଙ୍କ ପରିବାରକୁ ଜଣାଇ ଦିଆଯାଇଛି । ହୋଟେଲ ଗେଷ୍ଟ୍ ରେଜିଷ୍ଟରରୁ ଉଭୟ ୯ ତାରିଖରୁ ହୋଟେଲରେ ରହିଥିଲେ ବୋଲି ଜଣାପଡିଛି। ପ୍ରାରମ୍ଭିକ ତଦନ୍ତରୁ ଆତ୍ମହତ୍ୟା ବୋଲି ରିପୋର୍ଟରୁ ଜଣାପଡିଛି। ଯାଞ୍ଚ ପ୍ରକ୍ରିୟା ପରେ ଶବ ବ୍ୟବଚ୍ଛେଦ କରାଯିବ। ସୂଚନା ଥାଉକି, ସମୁଦ୍ର କୂଳ ଥାନା ପେଣ୍ଠକଟା ଫାଣ୍ଡି ପୁଲିସ ଗୁରୁବାର ରାତିରେ ଚକ୍ରତୀର୍ଥ ରୋଡ୍ ହୋଟେଲରୁ ପ୍ରେମୀଯୁଗଳଙ୍କ ଗଳିତ ମୃତଦେହକୁ ଜବତ କରିଛି । ଦୁହେଁ ବେକରେ ରଶି ଲଗାଇ ଝୁଲି ଆତ୍ମହତ୍ୟା କରିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି । ଉଭୟ ଯୁବକ ଯୁବତୀଙ୍କ ପରିବାର ସଦସ୍ୟଙ୍କୁ ପୁଲିସ ପକ୍ଷରୁ ଯୋଗାଯୋଗ କରାଯାଇଛି। ଶୁକ୍ରବାର ପରିବାର ଲୋକେ ପୁରୀରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୁତ୍ରରୁ ପ୍ରକାଶ ପାଇଛି। ମୃତକ ଦୁହେଁ ହେଲେ ପଶ୍ଚିମବଙ୍ଗ ପୂର୍ବମେଦିନପୁର ରାଇନା ଥାନା ଅଧୀନ କୁଆଁରା ଗ୍ରାମର କୁମରଏସ୍‌ ଘୋଷ(୩୨) ଓ ଯୁବତୀ ଜଣଙ୍କ ହରିହରପୁର ଗ୍ରାମର ମିତଲା ଘୋଷ(୨୫) ବୋଲି ଜଣାପଡ଼ିଛି। ୨ଦିନ ଧରି ଶବ ରୁମ୍‌ ଭିତରେ ଝୁଲନ୍ତା ଅବସ୍ଥାରେ ରହିଥିବା ଯୋଗୁଁ ମୃତଦେହ ଫୁଲିଯିବା ସହ ସଢି ଯାଇଛି। ହୋଟେଲ ମ୍ୟାନେଜରଙ୍କ ସୂଚନାନୁଯାୟୀ, ଉଭୟେ ସ୍ୱାମୀ ଓ ସ୍ତ୍ରୀ ବୋଲି ପରିଚୟ ଦେଇ ସିଟିରୋଡସ୍ଥିତ ହୋଟେଲରେ ଗତ ୯ତାରିଖରୁ ରହିଥିଲେ। ୧୫ ତାରିଖ ସକାଳେ ରୁମ୍‌ ଛାଡିବେ ବୋଲି କହିଥିଲେ । ଗତ ୧୨ତାରିଖ ଅପରାହ୍ନରେ ଦୁହେଁ ବାହାରୁ ଆସିବା ପରେ ହୋଟେଲରୁ ଆଉ ବାହାରିନଥିଲେ । ଗୁରୁବାର ଦୁର୍ଗନ୍ଧ ନ ବାହାରିବାରୁ ହୋଟେଲ ପକ୍ଷରୁ ପୁଲିସକୁ ଅବଗତ କରାଯାଇଥିଲା । ପୁଲିସ ଉପସ୍ଥିତିରେ କବାଟ ଭଙ୍ଗାଯାଇ ଶବ ଉଦ୍ଧାର କରାଯାଇଥିଲା ।