
ଛତ୍ରପୁର : ପେଟ୍ରୋଲ ବ୍ୟାରେଲ ଫାଟି ଭୟଙ୍କର ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗାଁ ବାଲି ସାହିର କୃଷ୍ଣଚନ୍ଦ୍ର ସାହୁଙ୍କ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁର ମାତ୍ରା ଏତେ ଥିଲା ଯେ, ସମ୍ପୂର୍ଣ୍ଣ ଘରଟି ଜଳିଯାଇଛି । ଛତ୍ରପୁରର ଦୁଇଟି ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।ସୂଚନା ଅନୁଯାୟୀ, ଗାଁର କୃଷ୍ଣ ଚନ୍ଦ୍ର ସାହୁ ନିଜ ଘରେ ଏକ ପେଟ୍ରୋଲ ବ୍ୟାରେଲ ରଖି ପେଟ୍ରୋଲ ବିକୁଥିଲେ । କୌଣସି କାରଣରୁ ସେହି ପେଟ୍ରୋଲ ବ୍ୟାରେଲ୍ ରେ ନିଆଁ ଲାଗି ଫାଟି ଯାଇଥିଲା । ଭାଗ୍ୟବଶତଃ ଭୟଙ୍କର ଅଗ୍ନିକାଣ୍ଡରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଭୟଙ୍କର ନିଆଁରେ ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଏଥିସହ ଘର ସମ୍ମୁଖରେ ଥିବା ୨ଟି ଗାଡ଼ି ପୋଡ଼ି ଯାଇଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । .