ଭିସୁଟର ଦୁଇ ଅଧ୍ୟାପକ ନିଲମ୍ବିତ, ନାଁରେ ଥିଲା ଅସଦାଚରଣ ଓ ନିର୍ଯାତନା ଅଭିଯୋଗ

ସମ୍ବଲପୁର : ଭିସୁଟର ୨ ପ୍ରଫେସର ହେଲେ ନିଲମ୍ବିତ । ଅସଦାଚରଣ ଓ ନିର୍ଯାତନା ଅଭିଯୋଗରେ ୨ ପ୍ରଫେସର ନିଲମ୍ବିତ ହୋଇଛନ୍ତି । ଆଭ୍ୟନ୍ତରୀଣ କମିଟିର ତଦନ୍ତ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜଣେ ପିଏଚଡି ଛାତ୍ରୀ ଓ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା ।ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ (ଭିସୁଟ୍) ର ଜନୈକ ପିଏଚ୍‌ଡି ଛାତ୍ରୀଙ୍କୁ ମୋବାଇଲ ଫୋନ୍‌ରେ ଅଶ୍ଳୀଳ ବାର୍ତ୍ତା ପ୍ରେରଣ ସହ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗଣିତ ବିଭାଗ ଆସୋସିଏଟ୍ ପ୍ରଫେସର ମହେନ୍ଦ୍ର କୁମାର ଜେନାଙ୍କୁ କୁଳପତି ପ୍ରଫେସର ଦୀପକ କୁମାର ସାହୁ ଗୁରୁବାର ନିଲମ୍ବିତ କରିଛନ୍ତି । ପୀଡ଼ିତା ଚାରି ମାସ ପୂର୍ବେ ଅଧ୍ୟାପକ ଜେନାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଭିସୁଟ୍ ଆଇସିସି ଏହାର ତଦନ୍ତ କରିଥିଲେ ।ଆଇସିସିର ଏକ ବୈଠକରେ କିଛିଦିନ ତଳେ ଏହାର ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ସମ୍ପୃକ୍ତ ଛାତ୍ରୀ ଗତ ଏପ୍ରିଲ ମାସରେ ଅଧ୍ୟାପକ ଜେନାଙ୍କ ବିରୋଧରେ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ । ପରେ ଅଧ୍ୟାପକ ଜେନା ତାଙ୍କ ମାନସିକ ସ୍ଥିତି ଠିକ୍ ନ ଥିବା ଦର୍ଶାଇ ବୁର୍ଲାର ଏକ ଘରୋଇ ନର୍ସି ନସିଂହୋମ୍‌ରେ ଭର୍ଭି ହୋଇ ହାଇଥିଲେ । ଆଇସିସି ଏହି ଘଟଣାର ତଦନ୍ତ କରୁଥିବା ଏବଂ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଳି କୁଳପତି ପ୍ରଫେସର ସାହୁ ସୂଚନା ଦେଇଥିଲେ ।କୁଳପତିଙ୍କ ନିର୍ଦେଶକ୍ରମେ କୁଳସଚିବ ମେ’ ୧୩ରେ ଅଧ୍ୟାପକ ଜେନାଙ୍କୁ ଗଣିତ ବିଭାଗ ମୁଖ୍ୟ ପଦରୁ ହଟାଇ ଦେଇଥିଲେ । କିଛିଦିନ ତଳେ ଆଇସିସି ପକ୍ଷରୁ ପୀଡ଼ିତା ଓ ଅଧ୍ୟାପକଙ୍କ ବୟାନ ରେକର୍ଡ଼ କରିବା ସହ କୁଳପତିଙ୍କୁ ରିପୋର୍ଟ ଦେଇଥିଲେ । ସେହିପରି ଅନ୍ୟ ଜଣେ ପ୍ରଫେସର ଦେବବ୍ରତ ଭୁପାଳ ଜଣେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବାରୁ ତାଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଛି l