
ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଝାରସୁଗୁଡା ପର୍ଯ୍ୟନ୍ତ ବିମାନ ସେବାର ଶୁଭାରମ୍ଭ । ଭୁବନେଶ୍ବର ବିମାନ ବନ୍ଦରରେ ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ବରରୁ ଝାରସୁଗୁଡା ପର୍ଯ୍ୟନ୍ତ ୭୬ ସିଟ ବିଶିଷ୍ଟ ଷ୍ଟାର ଏୟାରର ଏହି ବିମାନଟି ଓଡିଶା New Destination Policy ଅଧିନରେ ବିମାନ ଯୋଜନାରେ Viability Gap Funding (VGF) ସହଯୋଗରେ ଚଳାଚଳ ଆରମ୍ଭ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ପ୍ରଥମ ଯାତ୍ରୀଙ୍କୁ ବୋଡିଂ ପାସ ପ୍ରଦାନ କରିଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ MRO ବ୍ୟବସ୍ଥା ବିକଶିତ କରାଯିବା ପାଇଁ ଯୋଜନା ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଦୁଇଟି ସିଫ୍ଟରେ କାମ କରିବ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ।
ସପ୍ତାହରେ ୫ ଦିନ ଚଳାଚଳ:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ବର୍ତ୍ତମାନ ବିମାନଟି ସପ୍ତାହରେ ୫ ଦିନ ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର ଭୁବନେଶ୍ବରରୁ ଝାରସୁଗୁଡା ଚଳାଚଳ କରିବ । ମାତ୍ର ୪୫ ମିନିଟ ମଧ୍ୟରେ ଏହି ବିମାନଟି ଭୁବନେଶ୍ବରରୁ ଝାରସୁଗୁଡା ପହଞ୍ଚିବ । ଖୁବଶୀଘ୍ର ଏହାକୁ ଦୈନିକ ବିମାନ ସେବାରେ ମଧ୍ୟ ପରିଣତ କରାଯିବ । ଏହି ଐତିହାସିକ ପଦକ୍ଷେପ ପଶ୍ଚିମ ଓଡିଶାକୁ ରାଜ୍ୟର ରାଜଧାନୀ ସହିତ ନିକଟତର କରିବ । ଶିଳ୍ପୋନ୍ନତି, ପର୍ଯ୍ୟଟନ ଓ ସାଂସ୍କୃତିକ ଆଦାନ-ପ୍ରଦାନକୁ ମଧ୍ୟ ଦ୍ରୁତଗତି ଦେବ ।”
ଆକାଶପଥରେ ଯୋଡି ହେଲା ଝାରସୁଗୁଡା-ଭୁବନେଶ୍ବରଭୁବନେଶ୍ବରରୁ ଏବେ ୪ଟି ଇଣ୍ଟରନେସନାଲ ଫ୍ଲାଇଟ ସିଙ୍ଗାପୁର, ବ୍ୟାଙ୍କକ, ଦୁବାଇ ଓ ଆବୁଧାବୀକୁ ଚଳାଚଳ କରୁଛି । ଭୁବନେଶ୍ବର ଓ ଝାରସୁଗୁଡାରୁ ଉଭୟ ନ୍ୟାସନାଲ ଓ ଇଣ୍ଟରନ୍ୟାସନାଲକୁ ମିଶାଇ ୩୯ଟି ରୁଟରେ ବିମାନ ଚଳାଚଳ କରୁଛି । ଓଡିଶା ଭିତରେ ଭୁବନେଶ୍ବରରୁ ଜୟପୁର, ରାଉରକେଲା ଓ ଉତ୍କେଲାକୁ ବିମାନ ଚଳାଚଳ କରୁଥିଲା । ଆଜି ଝାରସୁଗୁଡା ସହିତ ଭୁବନେଶ୍ବର ଆକାଶପଥରେ ଯୋଡି ହେଲା । ଆଗାମୀ ଦିନରେ ଆହୁରି ଅଧିକ ଡୋମେଷ୍ଟିକ ଓ ଇଣ୍ଟରନେସନାଲ ଫ୍ଲାଇଟ ଚଳାଚଳ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ।
MRO ସୁବିଧା:ଭୁବନେଶ୍ବର ବିମାନ ବନ୍ଦରରେ ରକ୍ଷଣାବେକ୍ଷଣ, ମରାମତି ଓ ନବୀକରଣ (MRO) ବ୍ୟବସ୍ଥା ବିକଶିତ କରାଯିବା ପାଇଁ ଯୋଜନା ରହିଛି । MRO ସୁବିଧା ପ୍ରତିଷ୍ଠା ଓ ଅତିରିକ୍ତ ପ୍ରୋତ୍ସାହନ ପ୍ରସ୍ତାବକୁ ନିକଟରେ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । MRO ସୁବିଧା ପ୍ରତିଷ୍ଠା କରିବା ପାଇଁ ସର୍ବପୁରାତନ ଏବଂ ସର୍ବବୃହତ ତୃତୀୟ-ପକ୍ଷ ଏମଆରଓ ପ୍ରଦାନକାରୀ M/s Air Works India Pvt. Ltdକୁ ଚୟନ କରାଯାଇଛି । ଏହି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ପୂର୍ବରୁ ୩୦ ପ୍ରତିଶତ ସବସିଡି ବ୍ୟବସ୍ଥା ରହିଛି । ଏହାକୁ ୪୦ ପ୍ରତିଶତ କରିବା ଲାଗି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ଏକ ହ୍ୟାଙ୍ଗରକୁ ଭଡାରେ ଦିଆଯିବ । ଏମଆରଓ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଆକର୍ଷିତ କରିବା ପାଇଁ କ୍ୟାବିନେଟ- ଶିଳ୍ପ ନୀତି ସଂକଳ୍ପ ୨୦୨୨ ଅନ୍ତର୍ଗତ ବ୍ୟବସ୍ଥା ବ୍ୟତୀତ, ଅତିରିକ୍ତ ପ୍ରୋତ୍ସାହନର ଏକ ସ୍ଵତନ୍ତ୍ର ପ୍ୟାକେଜକୁ ମଧ୍ଯ ଅନୁମୋଦନ କରିଛନ୍ତି ।
B-MAAN ଯୋଜନା:ବିମାନ ସେବା ପାଇଁ ଓଡ଼ିଶାକୁ ଏକ ଆଞ୍ଚଳିକ ହବରେ ପରିଣତ କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ସ୍ଵରୂପ କ୍ୟାବିନେଟ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିଶ୍ବସ୍ତରୀୟ MRO ସୁବିଧା ପ୍ରତିଷ୍ଠାକୁ ଅନୁମୋଦନ କରିଛି । ଏହା ପୂର୍ବ ଭାରତରେ ପ୍ରଥମ ପ୍ରମୁଖ MRO ସୁବିଧା ହେବ । B-MAAN ଯୋଜନା ମାଧ୍ୟମରେ ବେସାମରିକ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ଦୃଷ୍ଟିକୋଣ ଅଧୀନରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହେବ । ରାଜ୍ୟରେ ବିଶ୍ବସ୍ତରୀୟ ବିମାନ ଚଳାଚଳ ବ୍ୟବସ୍ଥା ପାଇଁ ଆମର ସମସ୍ତ ପଦକ୍ଷେପ ଜାରି ରହିଛି । ଆଗାମୀ କିଛି ବର୍ଷ ମଧ୍ୟରେ ଓଡିଶା ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହେବ ।
ବିମାନ ସେବା ଶୁଭାରମ୍ଭ ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, କଟକ ସଦର ବିଧାୟକ ପ୍ରକାଶ ସେଠୀ, ବଡଚଣା ବିଧାୟକ ଅମର ନାୟକ, ନିଆଳୀ ବିଧାୟକ ଛବି ମଲ୍ଲିକ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ଏବଂ ଭୁବନେଶ୍ବର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।
ଦୁଇଟି ସିଫ୍ଟରେ କାମ କରିବ ଝାରସୁଗୁଡ଼ା ବିମାନବନ୍ଦର:ସେପଟେ ଭୁବନେଶ୍ୱର ସହିତ ଆକାଶ ମାର୍ଗରେ ଯୋଡ଼ି ହେବା ପରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ବଦଳିଛି କାର୍ଯ୍ୟ କରିବାର ସମୟ । ଏଣିକି ଦୁଇଟି ସିଫ୍ଟରେ କାମ କରିବ ଝାରସୁଗୁଡ଼ା ବିମାନବନ୍ଦର । ୭୬ ସିଟ୍ ବିଶିଷ୍ଟ ‘ଷ୍ଟାର ଏୟାର’ର ବିମାନ ‘ଓଡ଼ିଶା ଡେଷ୍ଟିନେସନ ନୀତି ବିମାନ ଯୋଜନା’ରେ ବିମାନ ସେବା ଆରମ୍ଭ କରିଛି । ଝାରସୁଗୁଡ଼ା ବିମାନ ମାନବନ୍ଦର ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ହୋଇଥିବା ବେଳେ ଏଠାରୁ ଦୈନିକ ହାରା ରାହାରି ୧ହଜାର ଯାତ୍ରୀ ଯିବା ଆସିବା କରୁଛନ୍ତି । ଝାରସୁଗୁଡ଼ାରୁ ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ରାୟପୁର, ଲକ୍ଷ୍ନୌ, କୋଲକାତା, ଭୁବନେଶ୍ବରକୁ ବିମାନ ଚଳାଚଳ କରୁଛି । କିନ୍ତୁ,ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସକାଳ ଓଳି କୌଣସି ଗୋଟିଏ ମଧ୍ୟ ବିମାନ ଚଳାଚଳ କରୁନଥିଲା । ଦିନ ଗୋଟାଏ ପରେ ଯାଇ ସମସ୍ତ ବିମାନ ରହିଥିବା ବେଳେ କୌଣସି ଯାତ୍ରୀଙ୍କର ସକାଳୁଆ କାମ ରହିଥିଲେ ତାଙ୍କୁ ଗୋଟିଏ ରାତି ଅଯଥାରେ ହୋଟେଲ ଖର୍ଚ୍ଚ ଦେବାକୁ ପଡୁଥିଲା ।