
ଛତ୍ରପୁର : ୧୮/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଆଜି ଜିଲ୍ଲାପାଳ କୀର୍ତିଭାସନ ଭି ଓ ଏସ୍ପି ଶୁଭେନ୍ଦୁ ପାତ୍ରଙ୍କୁ ପୃଥକ୍ ଭାବେ ଭେଟି ଜିଲ୍ଲାର ଆଇନ ଶୃଙ୍ଖଳା ଓ ଉନ୍ନୟନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏସ୍ପିଙ୍କୁ ଭେଟି ପ୍ରତିନିଧିଦଳ ଜିଲ୍ଲାରେ ଦିନକୁ ଦିନ ବିଗିଡ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଉଦ୍ବେଗ ପ୍ରକାଶ କରିଛନ୍ତି। ହିଂସା, ଅପରାଧ ଓ ନାରୀ ନିର୍ଯ୍ୟାତନା ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ କରି ପୋଲିସର ଅପାରଗତା ଓ ଶାସକ ଦଳର ପ୍ରଭାବରେ ନିରପକ୍ଷ ତଦନ୍ତରେ ଅଭାବ ରହୁଥିବା କହିଛନ୍ତି। ପୋଲିସକୁ ନିରପକ୍ଷ ଭାବେ ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଅନ୍ୟପଟେ, ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ପଞ୍ଚାୟତରେ ବନ୍ଦ ପଡିଥିବା ଉନ୍ନୟନ କାର୍ଯ୍ୟକୁ ପୁନରାରମ୍ଭ କରିବା ଓ ପୂର୍ବତନ ସରକାର ମଞ୍ଜୁର କରିଥିବା ସାଂସଦ ପାଣ୍ଠିକୁ ଶୀଘ୍ର ବ୍ୟୟ କରିବା ପାଇଁ ପ୍ରତିନିଧିଦଳ ଆଲୋଚନା କରିଛନ୍ତି। ଏହାଦ୍ୱାରା ଜିଲ୍ଲାର ଅଟକି ରହିଥିବା ଉନ୍ନୟନ ପ୍ରକଳ୍ପଗୁଡ଼ିକ ପୁନଃ ଗତିଶୀଳ ହେବ ବୋଲି ଆଶା ରଖାଯାଇଛି।
ଏହି ବୈଠକରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ ଓ ପ୍ରମିଳା ସ୍ୱାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି, ଲତିକା ପ୍ରଧାନ, ମଞ୍ଜୁଳା ସ୍ୱାଇଁ, ସୂର୍ଯ୍ୟମଣୀ ବୈଦ୍ୟ, ଚିନ୍ମୟାନନ୍ଦ ଶ୍ରୀରୁପ ଦେବ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ରଂଜିତା ସାହୁ, ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ନଚିକେତ ସ୍ୱାଇଁ ,ଅଟଳ ବିହାରୀ ପଟନାୟକ ଙ୍କ ସମେତ ଆଦି ସାମିଲ ଥିଲେ। ଏହି ବିକ୍ଷୋଭ ରେ ବିଜେଡି ପ୍ରତିନିଧିଦଳ ଜିଲ୍ଲାର ସାମଗ୍ରିକ ଉନ୍ନୟନ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ସହ ସହଯୋଗ କରିବାକୁ ପ୍ରତିଶ୍ରୁତି ବ୍ୟକ୍ତ କରିଛନ୍ତି।