
ମାଲକାନଗିରି: ବଣ ପାହାଡ ଘେରା ଅଂଚଳ । ଯୁଆଡେ ବି ଆଖି ବୁଲାଇଲେ ଖାଲି ପାହାଡ ଆଉ ପାହାଡ । ସବୁଜିମାରେ ପରିପୂର୍ଣ୍ଣ ପରିବେଶ । ଆଉ ପାହାଡ ଘେରା ଅଂଚଳର ଛାତି ଉପରେ ବସବାସ କରୁଛନ୍ତି ଆଦିମ ଜନଜାତି ଦିଦାୟୀ ସଂପ୍ରଦାୟର ଲୋକେ । ରାସ୍ତା ଘାଟ ସବୁ ଅଣଓସାରିଆ ସାଙ୍ଗକୁ ନୂଆଣିଆ ଉଠାଣିଆ । ଗାଁକୁ ଭଲ ରାସ୍ତା ଖଣ୍ଡେ ବି ନାହିଁ । ଝାଟି ମାଟିର ଘର । ହେଲେ ଏତେ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ହାରି ନଥିଲେ ସେ । ଆଖିରେ ଆଖିଏ ସ୍ୱପ୍ନ ନେଇ ପାହାଡର ଛାତି ଚିରି ନିଜ ସମ୍ପ୍ରଦାୟର ଭାଇ ଭଉଣୀଙ୍କୁ ଭଲ ଚିକିତ୍ସା ଯୋଗାଇବା ଲକ୍ଷ୍ୟରେ ରାତି ଦିନ ଏକ କରିଦେଇଥିଲେ । ଆମେ କହୁଛୁ ଚମ୍ପା ରାସପେଦାଙ୍କ କଥା ।
ଯିଏ ଦିଦାୟୀ ସମ୍ପ୍ରଦାୟର ପ୍ରଥମ ଝିଅ ଭାବେ ଡାକ୍ତର ହେବାକୁ ଯାଉଛନ୍ତି ।ଆଦିମ ଜନଜାତି ଦିଦାୟୀ ସଂପ୍ରଦାୟର ପ୍ରଥମ ଝିଅ ଢାକ୍ତରୀ ବନିବେ-ମାଲକାନଗିରି ଜିଲ୍ଲା ସ୍ବାଭିମାନ ଓ ବଣ୍ଡାଘାଟିର ପାଦ ଦେଶରେ ଥିବା ଆମଲିଗୁଡା ଗ୍ରାମର ଦିଦାୟୀ ଝିଅ ବନିବାକୁ ଯାଉଛନ୍ତି ଡାକ୍ତର । ୫ ବର୍ଷ ବୟସରୁ ହୋଷ୍ଟେଲରେ ରହି ପାଠ ପଢୁଥିଲେ କିନ୍ତୁ ହୋଷ୍ଟେଲ ଆସିବା ପାଇଁ ୨୦ କିଲୋମିଟର ପାହାଡ ଓହ୍ଲାଇବା ଓ ଚଢିବାକୁ ପଡୁଥିଲା । ତାଂକର ଇଛାଶକ୍ତି ଦେଖି ଜଣେ ବିଜ୍ଞାନ ଶିକ୍ଷକ ବାଲେଶ୍ବରରେ ନିଜ ଘରେ ରଖି ସମସ୍ତ ଖର୍ଚ୍ଚ ବହନ କରି ତାଂକୁ କୋଚିଂ ଦେଇଥିଲେ । ପ୍ରଥମ ଥର ନିଟ୍ ଦେଇ କୃତକାର୍ଯ୍ୟ ହୋଇଛନ୍ତି ଦିଦାୟୀ ସମ୍ପ୍ରଦାୟର ଝିଅ ଚମ୍ପା ରାସପେଦା । ଏପଟେ ପରିବାର ଆର୍ଥିକ ଅନାଟନରେ ଗତିକରୁଥିବା ବେଳେ ଝିଅ ଡାକ୍ତର ହେବା ଶୁଣି ପରିବାର ଲୋକଙ୍କ ଖୁସି କହିଲେ ନସରେ । ତେବେ ଚମ୍ପା ସମସ୍ତ ଶ୍ରେୟ ସଂପୃକ୍ତ ଶିକ୍ଷକ ଓ ତାଂକ ବାପାଙ୍କୁ ଦେଇଛନ୍ତି ।
ଆଦିମ ଜନଜାତି ଦିଦାୟୀ ଝିଅ ଚମ୍ପା ରାସପେଦାଙ୍କ ସଂଘର୍ଷ-ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳ ପାଦ ଦେଶ ଓ ବଣ୍ଡାଘାଟି ତଳେ ଥିବା ଆଦିମ ଜନଜାତି ଦିଦାୟୀ ଝିଅ ଚମ୍ପା ରାସପେଦାଙ୍କ ଗାଁ ଆମଲିବେଡା । ଆଉ ଏହି ଉପାନ୍ତ ଗାଁର ଦିଦାୟୀ ସଂପ୍ରଦାୟର ପ୍ରଥମ ଡାକ୍ତର ହେବାକୁ ଯାଉଛନ୍ତି ଚମ୍ପା ରାସପେଦା । ଚମ୍ପା ରାସପେଦାଙ୍କ ପାଠ ପଢା କ୍ୟାରିୟର ବହୁ ସଂଘର୍ଷମୟ । ତାଂକୁ ୫ ବର୍ଷ ହୋଇଥିବା ବେଳେ ତାଂକ ବାପା ୨୦ କିଲୋମିଟରରୁ ଉର୍ଦ୍ଧ୍ବ ପାହାଡ ଓହ୍ଲାଇ ନନ୍ଦିନିଗୁଡାରେ ଥିବା ଦିଦାୟୀ ଏଜୁକେସନ କମ୍ପ୍ଲେକ୍ସରେ ପାଠ ଆରମ୍ଭ କରିଥିଲେ । ଚମ୍ପାଙ୍କର ମୋଟ ୩ ଭଉଣୀ ଓ ୪ ଭାଇ ଥିବା ବେଳେ ଆର୍ଥିକ ଅନାଟନ ଭିତରେ ପରିବାର ଚଳେ । ବାପା ଜଣେ ଚାଷୀ ହୋଇଥିବା ବେଳେ ଜମି କହିଲେ ପାହାଡିଆ ଡଙ୍ଗର ଜମି । ସେଥିରୁ ଯାହା ମିଳେ ପରିବାର ଚଳାଇବା କଷ୍ଟକର ହୋଇଯାଏ । ତାସତ୍ତ୍ବେ ମଧ୍ୟ ଚମ୍ପାଙ୍କ ପାଠ ପଢା ଆଗ୍ରହ ଦେଖି ଯଥାସମ୍ଭବ ଚେଷ୍ଟା କରିଛନ୍ତି ବାପା । ନନ୍ଦିନିଗୁଡାରୁ ସପ୍ତମ ପାସ ହେବା ପରେ ୬୦ କିଲୋମିଟର ଜଳଯାତ୍ରା କରି ଚିତ୍ରକୋଣ୍ଡା ହୋଷ୍ଟେଲରେ ରହି ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ପାଠ ପଢିଥିଲେ ଚମ୍ପା ।
ପାଠ ପଢିବାର ଆଗ୍ରହ ଦେଖିଥିଲେ ଶିକ୍ଷକ ଉତ୍କଳ କେଶରୀ ଦାସ-ପରେ ଚମ୍ପା ଗୋବିନ୍ଦପାଲ୍ଲୀ ହାଇସ୍କୁଲରେ ଯୁକ୍ତ ଦୁଇ ଓ ବାଲିମେଳା କଲେଜରେ ଯୁକ୍ତ ତିନି ବିଜ୍ଞାନରେ ପାସ କଲେ । ପରେ କିଛି ବାଟ ନପାଇ ସିଟି ପଢିବା ପାଇଁ ଆବେଦନ କରିଥିବା ସମୟରେ ପୂର୍ବତନ ଶିକ୍ଷକ ଏହା ଜାଣିବା ପରେ ତାଂକୁ ଡାକ୍ତରୀ ପାଠ ପଢିବା ପାଇଁ କହିଥିଲେ । କିନ୍ତୁ ଆର୍ଥିକ ଅନାଟନ ଭିତରେ ଚମ୍ପାଙ୍କ ପରିବାର ଗତି କରୁଥିବା ବେଳେ ପାଠ ପଢିବାକୁ ମନା କରିଦେଇଥିଲେ । କିନ୍ତୁ ସମସ୍ତ ଖର୍ଚ୍ଚ ଶିକ୍ଷକ ଉତ୍କଳ କେଶରୀ ଦାସ ବହନ କରିବେ ବୋଲି କହିବା ସହ ତାଂକ ଗାଁ ବାଲେଶ୍ବରରେ ନିଜ ଘରେ ରଖି କୋଚିଂ ଦେଇଥିଲେ । ମାତ୍ର ୫ ମାସ କୋଚିଂ ନେବା ପରେ ପ୍ରଥମ ଥରରେ ହିଁ ସେ ନିଟ୍ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି ଚମ୍ପା । ଯାହାକୁ ନେଇ ପ୍ରଥମେ ତାଂକ ଗୁରୁ ଉତ୍କଳ କେଶରୀ ଓ ପରେ ବାପାଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ଚମ୍ପା ।
ମୁଁ ସରକାରୀ ସ୍କୁଲ ଏବଂ କଲେଜରୁ ମାଟ୍ରିକ ଏବଂ ପ୍ଲସ୍ ଟୁ ପାସ୍ କରିଛି । ମୋର ହାଇସ୍କୁଲର ଶିକ୍ଷକ ଉତ୍କଳ କେଶରୀ ଦାସ ମୋତେ ବହୁତ ସାହାଯ୍ୟ କରିଥିଲେ । ଆମର ସମ୍ପ୍ରଦାୟ ବହୁତ ଅସୁବିଧାର ସମ୍ମୁଖୀନ ହୁଏ ଏବଂ ଶିକ୍ଷା ଆମ ପାଇଁ ଆଉ ଏକ ସମସ୍ୟା । ଆମ ପରିବାରରେ ବହୁତ ଆର୍ଥିକ ଅସୁବିଧା ଅଛି । ଆମ ଗାଁରେ କୌଣସି ଡାକ୍ତରଖାନା ନାହିଁ । ଆମ ଗାଁରେ ଏକ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବର୍ତ୍ତମାନ ପ୍ରତିଷ୍ଠା ହୋଇଛି । ତଥାପି, ମୁଁ ବିଶ୍ୱାସ କରିଥିଲି ଯେ ମୋ ଶିକ୍ଷକଙ୍କ ସାହାଯ୍ୟରେ, ମୁଁ ନିଶ୍ଚିତ ଭାବରେ ମୋର କ୍ୟାରିୟରରେ ଆଗକୁ ବଢ଼ିବି । ମୁଁ ଆମର ଗ୍ରାମବାସୀମାନଙ୍କୁ ପଢ଼ିବା ପାଇଁ ମଧ୍ୟ ବୁଝାଇବାକୁ ଚେଷ୍ଟା କରେ କାରଣ ସେମାନେ କେବଳ ପଢ଼ିବା ଦ୍ୱାରା ବିକାଶ କରିପାରିବେ,” ଚମ୍ପା କହିଛନ୍ତି ।”ମୁଁ ମୋ ପରିବାର ସଦସ୍ୟଙ୍କୁ ଫୋନ୍ କରି ମୋର ସଫଳତା ବିଷୟରେ କହିଲି । ମୋର ସଫଳତା ପାଇଁ ମୋ ପରିବାର ସଦସ୍ୟ ଏବଂ ଗାଁ ଲୋକେ ବହୁତ ଖୁସି । ସେମାନେ ଆଶା କରିଥିଲେ ଯେ ମୁଁ ନିଶ୍ଚିତ ଭାବରେ ସଫଳ ହେବି । ଆମ ଗାଁରେ କୌଣସି ଡାକ୍ତରଖାନା ନାହିଁ । ଛୋଟମୋଟ ରୋଗ ହେଲେ ସେମାନେ ଅନ୍ଧବିଶ୍ୱାସର ଆଶ୍ରୟ ନିଅନ୍ତି । ମୁଁ ଗାଁର ଝିଅ, ମୁଁ ଆଶା କରୁଛି ସେମାନେ ଅନ୍ଧବିଶ୍ୱାସର ଆଶ୍ରୟ ନେବା ଅପେକ୍ଷା ମୋ କଥା ଶୁଣିବେ ଏବଂ ଚିକିତ୍ସା ପାଇବେ,” କହିଛନ୍ତି ଚମ୍ପା ଚମ୍ପା ରାସପେଦା ।