
ପୁରୀ: ପୁରୀ ସହରରେ ଛତୁ ଫୁଟିଲା ଭଳି ଖୋଲିଛି ‘ଟୁର ଆଣ୍ଡ ଟ୍ରାଭେଲ’ ସଂସ୍ଥା । ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ବିନା ପଞ୍ଜିକରଣରେ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ବ୍ୟବସାୟ କରୁଛି । ଏହି ବେଆଇନ୍ ସଂସ୍ଥା ବ୍ୟବସାୟ ଆଳରେ ପୁରୀକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଠକିବା ସହିତ ମାନସିକ ନିର୍ଯ୍ୟାତନା ଏବଂ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆସିଛି । ଅଭିଯୋଗ ପାଇବା ପରେ ପୁରୀ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଚଢାଉ ଆରମ୍ଭ ହୋଇଛି ।
ଅଧିକାଂଶ ଟ୍ରାଭେଲ ଏଜେନ୍ସି ପଞ୍ଜୀକରଣ କରି ନହାଁନ୍ତିପୁରୀ ସହରର ଗଳିକନ୍ଦିରେ ଏବେ ଅନେକ ଟୁର ଆଣ୍ଡ ଟ୍ରାଭେଲ ବ୍ୟବସାୟ ଚାଲିଛି । ତେବେ ଅଧିକାଂଶ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ପଞ୍ଜୀକରଣ କରିନଥିବା ବେଳେ ସରକାରଙ୍କ ନିୟମ କାନୁନକୁ କେହି ମାନୁନାହାନ୍ତି । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲେଇ ନେବା ଆଳରେ ପର୍ଯ୍ୟଟକମାନଙ୍କୁ ଠକେଇ କରିବା ସହ ଆର୍ଥିକ ଶୋଷଣ କରୁଛନ୍ତି । ଅନେକ ପର୍ଯ୍ୟଟକ ଦୁର୍ବ୍ୟବହାରର ଶିକାର ମଧ୍ୟ ହେଉଛନ୍ତି। ଏନେଇ ଏକାଧିକ ଅଭିଯୋଗ ପୁରୀ ଏସପି ପିନାକ ମିଶ୍ରଙ୍କ ନିକଟରେ ପହଞ୍ଚିଛି । ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ପୁରୀର ଅତିରିକ୍ତ ଏସପି, ଡିଏସପିଙ୍କ ନେତୃତ୍ୱରେ ବିଭିନ୍ନ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ଉପରେ ଚଢ଼ାଉ ଜୋରଦାର କରାଯାଇଛି।


କିଛି ବ୍ୟକ୍ତିଙ୍କୁ ଅଟକ ରଖାଯାଇ କାଗଜପତ୍ର ଯାଞ୍ଚ କରୁଛି ପୋଲିସ। ଯେଉଁ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ସରକାରଙ୍କ ନିୟମକୁ ଖିଲାପ କରି ବ୍ୟବସାୟ କରୁଥିବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି କହିଛନ୍ତି। ସେପଟେ ପୋଲିସର ଏଭଳି ଜୋରଦାର ଚଢାଉକୁ ସାଧାରଣରେ ସ୍ବାଗତ କରାଯାଇଛି । ଅନେକ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ଯୋଗୁ ପୁରୀ ସହର ବଦନାମ ହେଉଛି। ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏକ ଖରାପ ଅନୁଭୂତି ନେଇ ଫେରୁଛନ୍ତି, ଯାହାକି ପର୍ଯ୍ୟଟନ ଶିଳ୍ପ ଉପରେ ଖରାପ ପ୍ରଭାବ ପକାଉଛି ।
ପୁରୀକୁ ଦିନକୁ ଦିନ ପର୍ଯ୍ୟଟକଙ୍କର ଆଗମନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରିକ୍ସା ଚାଳକଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀମାନେ ଆର୍ଥିକ କ୍ଷେତ୍ରରେ ବେଶ୍ ଲାଭବାନ ହୋଇ ପାରୁଛନ୍ତି୍। ତେଣୁ ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ବିଭିନ୍ନ ଅନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।ଅସାମାଜିକ ଲୋକ ଟ୍ରଭେଲ ବ୍ୟବସାୟ ଆଳରେ ଅପରାଧ କାର୍ଯ୍ୟ କରୁଛନ୍ତି: ଏସପିପୁରୀ ଏସପି ପିନାକ ମିଶ୍ର ଏ ନେଇ ପ୍ରତିକ୍ରିୟାରେ କହିଛନ୍ତି, ‘ଆମ ନିକଟକୁ କିଛି ଅଭିଯୋଗ ଆସିବା ପରେ ଏହି ଚଢାଉ ଆରମ୍ଭ ହୋଇଛି । ପୁରୀ ସହରରେ ଅନେକ ବ୍ୟକ୍ତି ବେଆଇନ ଭାବେ ଟୁର ଟ୍ରାଭେଲ ସଂସ୍ଥା ଖୋଲି ବ୍ୟବସାୟ କରୁଛନ୍ତି। ପର୍ଯ୍ୟଟକ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାଇବା କହି ଠକେଇ କରୁଛନ୍ତି। ଆର୍ଥିକ ଶୋଷଣ କରୁଛନ୍ତି। ଏପରିକି ପର୍ଯ୍ୟଟକଙ୍କଠାରୁ ଜୋର୍ ଜବର ଦସ୍ତ ଟଙ୍କା ଆଦାୟ କରିବା ସହ ଖରାପ ବ୍ୟବହାର ସହ ଆକ୍ରମଣ ମଧ୍ୟ କରୁଛନ୍ତି। କେତେକ ଅସାମାଜିକ ଲୋକ ଟୁର ଟ୍ରଭେଲ ବ୍ୟବସାୟ ଆଳରେ ବିଭିନ୍ନ ଅପରାଧ କାର୍ଯ୍ୟ କରୁଛନ୍ତି। ବୋଲି କହିଛନ୍ତି ।’
ଏସପି ଆହୁରି କହିଛନ୍ତି, ଅଭିଯୋଗ ଆସିବା ପରେ ଆମେ ପୁରୀ ସହରରେ ଥିବା ଟୁର ଟ୍ରଭେଲ୍ ସଂସ୍ଥା ଉପରେ ଚଢ଼ାଉ ଆରମ୍ଭ କରିଛୁ। ସେମାନେ ସରକାରୀ ଅନୁମତି ନେଇ ବ୍ୟବସାୟ କରୁଛନ୍ତି କି ନାହିଁ ତାହା ଆମେ ଯାଞ୍ଚ କରୁଛୁ। ନିୟମ ଅନୁଯାୟୀ ଟୁର ଟ୍ରାଭେଲ ବ୍ୟବସାୟ ପାଇଁ ସରକାରଙ୍କ ପର୍ଯ୍ୟଟନ ବିଭାଗର ଏକ ଅନୁମତି ଦରକାର। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସରକାରଙ୍କ ଅନେକ ଗାଇଡ ଲାଇନ ରହିଛି । ସେହିପରି ଟ୍ରେଡ୍ ଲାଇସେନ୍ସ, ଜିଏସଟି ରେଜିଷ୍ଟ୍ରେସନ୍ ଦରକାର। ହେଲେ ଆମେ ଦେଖଛୁ, ଅଧିକାଂଶ ଟୁର ଟ୍ରାଭେଲ ସଂସ୍ଥାର ଏହି କାଗଜ ପତ୍ର ନାହିଁ। ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ବେଆଇନ ଭାବରେ ଟୁର ଟ୍ରାଭେଲ ବ୍ୟବସାୟ ନେଇ ଆମେ ଅନୁମତି ଦେବୁ ନାହିଁ। ତେବେ ପୁରୀ ସହର କେତେ ଟୁର ଟ୍ରାଭେଲ୍ ସଂସ୍ଥା କାର୍ଯ୍ୟ କରୁଚି ତାହା ଆମ ପାଖରେ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ପ୍ରଥମ ଥର ପାଇଁ ଆମେ ଏବେ ଏହି ଭଳି ପଦକ୍ଷେପ ନେଇଛୁ। ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ସହରରେ ପଞ୍ଜିକରଣରେ କେତେ ଓ ବିନା ପଞ୍ଜିକରଣ କେତେ ଟୁର ଟ୍ରାଭେଲ ସଂସ୍ଥା କାର୍ଯ୍ୟ କରୁଚି ତାହା ଆମେ ଅବଗତ ହୋଇଯିବୁ। ପୁରୀ ସହରର ସବୁ ଥାନା ଅଞ୍ଚଳରେ ଏ ନେଇ ଚଢାଉ ଜାରି ରହିଛି ।
