
ଭୁବନେଶ୍ୱର: ଲୁଚା ଛପା ଗଞ୍ଜେଇ କାରବାରର ନୂଆ ତରିକା । ଏଣିକି ଗଞ୍ଜେଇ ଲୁଚାଇବାକୁ ହୋଟେଲ ରୁମ ବାଛିଛନ୍ତି ବେପାରୀ । ଅତିଥି ହୋଇ ଗଞ୍ଜେଇ ଆଣି ଗେଷ୍ଟ ହାଉସରେ ରହୁଛନ୍ତି । ଆଉ ବ୍ୟାଗରେ ପୁରାଇ ରାଜ୍ୟ ବାହରକୁ ଚାଲାଣ କରୁଛନ୍ତି । ଏପରି ଢଙ୍ଗରେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଚାଲାଣ ବେଳେ ଧରାପଡ଼ିଛନ୍ତି ଦୁଇ ଜଣ ନିଶା ବ୍ୟବସୟୀ । ଓୟୋ ରୁମରେ ଚଢାଉ କରି ୪୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ ।କମିସନରେଟ ପୋଲିସକୁ ମିଳିଥିବା ସୁଚନା ଅନୁସାରେ, ଦୁଇ ଜଣ ବ୍ୟକ୍ତି ବଡ଼ ବଡ଼ ଲଗେଜ ବ୍ୟାଗ ଧରି ଜାଗମରାର ଗୋଟିଏ ଓୟୋ ରୁମରେ ରହୁଥିଲେ । ଯେଉଁମାନଙ୍କ ରୁମରୁ ଗଞ୍ଜେଇ ବାସ୍ନା ଆସୁଥିଲା । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଆରମ୍ଭ କରିଥିଲା ଅପରେସନ । ଅସ୍ତ୍ରଶସ୍ତ୍ର ଥିବା ଭାବି ସାଦା ପୋଷାକରେ ହୋଟେଲ ରୁମରେ ପହଂଚିଥିଲା ପୋଲିସ । ପରେ ରୁମ୍ ସର୍ଭିସ ଆଳରେ ପଶି ହଠାତ୍ ପୋଲିସ ଚଢ଼ାଉ କରି ଦୁଇ ଜଣଙ୍କୁ କାବୁ କରିଥିଲା । ସେମାନଙ୍କ ବ୍ୟାଗ ଯାଂଚ ବେଳେ ପୋଲିସ ଦୁଇଟି ପାକେଟ ପାଇଥିଲା ।ଗୋଟିଏ ୧୯.୩୫୦ କିଲୋଗ୍ରାମ ଏବଂ ଅନ୍ୟଟି ୧୯.୨୫୦ କିଲୋଗ୍ରାମ (ମୋଟ ୩୮.୬୦୦ କିଲୋଗ୍ରାମ) ଗଞ୍ଜେଇ ଜବତ କରାଯାଇଥିଲା । ଦୁଇ ଜଣଙ୍କ ପରିଚୟ ଯାଂଚ ବେଳେ ସେମାନେ କେରଳର ବୋଲି ଜଣାପଡିଥିଲା ।
ଖଣ୍ଡଗିରି ଥାନା ପୋଲିସ NDPS case-584/25, 20(b)(ii)(C)/29 NDPS Actରେ ସେମାନଙ୍କୁ ଗିରଫ କରିଥିଲା । ପରେ ମହମ୍ମଦ ଆସିଫ ବୟସ ୨୬, ଘର ଆଲାପୁଜା କେରଳ ଓ ଅନ୍ୟ ଜଣେ ସାବିତ କୋଭିଲକମ ସଦାନନ୍ଦନ ବୟସ ୨୮, ଘର ଥୁଲାପାଲି କୋଟୟାମ କେରଳ ବୋଲି ଜଣାପଡିଥିଲା । ତେବେ ଉଭୟଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।ପୋଲିସର ପ୍ରେସ ରିଲିଜ ସୂଚନା ଆଧାରରେ, “ବେଙ୍ଗାଲୁରୁକୁ ବିକ୍ରୟ ପାଇଁ ଚାଲାଣ କରୁଥିଲେ । ବ୍ରହ୍ମପୁର ଆଡୁ ଗଞ୍ଜେଇ ସଂଗ୍ରହ କରିଥିଲେ । ଏଠି ସେଠି ରହିଲେ ଧରାପଡିବା ଭୟରେ ସେମାନଙ୍କ ଏକ ହୋଟେଲ ରୁମରେ ଚେକ୍ ଇନ୍ ହୋଇଥିଲେ । ଗଞ୍ଜେଇର ଗନ୍ଧ ବାହାରୁଥିବା ଯୋଗୁଁ ଡିଓ ପକାଇ ଥିଲେ । ଏନେଇ ହୋଟେଲ କର୍ତ୍ତୃପକ୍ଷଙ୍କୁ ସଂଦେହ ଯୋଗୁଁ ପୋଲିସ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା ।””ଗତକାଲି ତା ୧୭.୦୮.୨୦୨୫ ରେ, ବିଶ୍ୱସ୍ତ ସୂଚନା ଆଧାରରେ, ଜାଗମରାର ଏକ ଓୟୋରେ ଚଢାଉ କରାଯାଇଥିଲା । ଯେଉଁଠାରେ କେରଳର ଦୁଇ ଜଣ ବ୍ୟକ୍ତି (୧) ମହମ୍ମଦ ଆସିଫ୍ ଏବଂ (୨) ସବିଥ୍ କୋଭିଲକମ୍ ସଦାନନ୍ଦନଙ୍କୁ ଗିରଫ କରାଯାଇଥିଲା । ତଲାସି ବେଳେ ଉଭୟଙ୍କ ନିକଟରୁ ଦୁଇଟି ଜରି ବସ୍ତା ଜବତ କରାଯାଇଥିଲା ଯେଉଁଥିରେ ୩୦ ପ୍ୟାକେଟ ଚୋରା ଗଞ୍ଜେଇ ରହିଥିଲା ।
ଯାଞ୍ଚରୁ ଜଣାପଡ଼ିଥିଲା ଯେ ସେମାନେ ବେଙ୍ଗାଲୁରୁକୁ ବିକ୍ରୟ ହେତୁ ପରିବହନ କରିବା ପାଇଁ ବ୍ରହ୍ମପୁର ପାର୍ଶ୍ୱରୁ ଗଞ୍ଜେଇ ସଂଗ୍ରହ କରିଥିଲେ । ସେମାନଙ୍କ ହୋଟେଲ ରୁମରୁ ଗଞ୍ଜେଇର ଗନ୍ଧ ବାହାରୁଥିଲା ଏବଂ ଉଭୟ ଅଭିଯୁକ୍ତ ନିଶାଦ୍ରବ୍ୟ ରଖିଥିବା ସ୍ୱୀକାର କରିଥିଲେ । ଯାଞ୍ଚରୁ ଉଭୟଙ୍କ ହେପାଜତରୁ ଯଥା ୧୯.୩୫୦ କିଲୋଗ୍ରାମ ଏବଂ ୧୯.୨୫୦ କିଲୋଗ୍ରାମ (ମୋଟ ୩୮.୬୦୦ କିଲୋଗ୍ରାମ) ଗଞ୍ଜେଇ ଜବତ କରାଯାଇଥିଲା । ଉଭୟ ଅଭିଯୁକ୍ତଙ୍କୁ ଜବତ ଚୋରା ଦ୍ରବ୍ୟ ସହିତ ଥାନାକୁ ଅଣାଯାଇଥିଲା ଏବଂ ତଦନ୍ତ ପକ୍ରିୟା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି,” ପ୍ରେସ୍ ରିଲିଜରେ ଲେଖିଛି ପୋଲିସ ।ପୂର୍ବରୁ ଗାଡିରେ ଗଞ୍ଜେଇ ଚାଲାଣ ବେଳେ, ରେଳ ଯୋଗେ ବା ବସ ଯୋଗେ ଗଞ୍ଜେଇ ଚାଲାଣର ନଜିର ରହିଛି । ଏପରିକି କିଛି ଭଡ଼ା ଘର ନେଇ ମଧ୍ୟ ଗଞ୍ଜେଇ ଗୋଦମ କରି ରଖୁଥିବାରୁ ମଧ୍ୟ ନିଜର ରହିଛି । ହେଲେ ପ୍ରଥମ ଥର ପାଇଁ ଏପରି ହୋଟେଲ ରୁମରେ ଗଞ୍ଜେଇ ରଖି ପୋଲିସ ନଜରକୁ ନ ଆସିବା ଆଳରେ ଏପରି ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ।