ଆମିର ଖାନଙ୍କ ନାଁ ରେ ବଡ଼ ଅଭିଯୋଗ ଆଣିଲେ ଫୈଜଲ ଖାନ୍, କୋର୍ଟରେ ହେବେ ଦ୍ବାରସ୍ଥ  

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନଙ୍କ ବିରୋଧରେ ଖୋଲାଖୋଲି ଭାବେ ବୟାନ ଦେଉଛନ୍ତି ତାଙ୍କ ଭାଇ ଫୈଜଲ ଖାନ । ଯାହାକୁ ନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ଏକ ପ୍ରେସ୍ ମିଟରେ ପରିବାର ସହ ସବୁ ସମ୍ପର୍କ ଭାଙ୍ଗିବା ଘୋଷଣା କରିଥିବାବେଳେ ଆମିର ଖାନଙ୍କ ନାଁରେ ବଡ଼ ଅଭିଯୋଗ ଆଣିଛନ୍ତି ।ଏହାରି ମଧ୍ୟରେ ଆମିର ଖାନଙ୍କ ଭାଇ ଫୈଜଲ ଖାନ୍ କହିଛନ୍ତି ଯେ, ’’ମୁଁ ୨୦୦୨ ମସିହାରେ ବିବାହ କରିଥିଲି । କିନ୍ତୁ ସେହି ବର୍ଷ ହିଁ ଡିଭୋର୍ସ ହୋଇଥିଲା । ପୁଣି ଥରେ ବିବାହ କରିବାକୁ ବାଧ୍ୟ କରିଥିଲେ ପରିବାର ଲୋକେ । ଯାହା ଫଳରେ ହଇରାଣ ହେଉଥିଲି । ତେଣୁ ପରିବାରର ସମସ୍ତ ସଦସ୍ୟଙ୍କୁ ପରିସ୍ଥିତି ବୁଝାଇବାକୁ ଚେଷ୍ଟା କରିଥିଲି । କିନ୍ତୁ ସେମାନେ ମତେ ଭୁଲ ବୁଝିଲେ ଏବଂ ମୁଁ ମାନସିକ ଭାବେ ଅସ୍ଥିର ବୋଲି ମଧ୍ୟ କହିଥିଲେ ।

’’ଆହୁରି ମଧ୍ୟ ସେ କହିଛନ୍ତି ଯେ, ତାଙ୍କୁ ଏଥିପାଇଁ ମେଣ୍ଟାଲ ହସ୍ପିଟାଲକୁ ନେଇ ଭର୍ତ୍ତି କରିଥିଲେ । ପରେ ମେଡିସିନ ଦେବା ମଧ୍ୟ ଆରମ୍ଭ କରିଥିଲେ ଫୈଜଲ ଖାନଙ୍କ ପରିବାର ଲୋକେ । ପରିବାରର କୌଣସି ବି ସଦସ୍ୟ ତାଙ୍କ ସହ କଥାବାର୍ତ୍ତା ହେଉନଥିଲେ ।ଏଥି ସହିତ ଆମିର ଖାନଙ୍କ ନାଁରେ ବଡ଼ ଅଭିଯୋଗ ଆଣି କହିଥିଲେ ଯେ, ୨୦୦୮ ବିଗ୍ ବସ୍ ପାଇଁ ତାଙ୍କୁ ୪ ଲକ୍ଷ ଟଙ୍କାର ସାଇନ୍ ଆମାଉଣ୍ଟ ଅଫର୍ କରିଥିଲେ । କିନ୍ତୁ ଏଥିରେ ସାମିଲ ନହେବାକୁ ଆମିର ନିଶ୍ଚିନ୍ତ ଚେଷ୍ଟା କରିଥିବେ । ତେଣୁ ସେ ଏବେ ଆଇନଗତ ଭାବେ ପରିବାର ସହ ସମ୍ପର୍କ ତୁଟାଇବାକୁ ଚାହୁଁଛନ୍ତି । ଯାହାର ଆବେଦନ ସେ ଗୋଟିଏ ମାସ ମଧ୍ୟରେ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

କିନ୍ତୁ ଏହା ସହିତ ପରିବାର ବିରୋଧରେ ମାନହାନି ମାମଲା ରୁଜୁ କରିବେ ନାହିଁ ବୋଲି ମଧ୍ୟ ସେ ନିଷ୍ପତ୍ତି ନେଇଛନ୍ତି । କାହିଁକି ନା ପରିବାରଠାରୁ ସେ କିଛି ଚାହୁଁନାହାଁନ୍ତି ।ଅନ୍ୟପଟେ ଗତ କିଛି ଦିନ ଧରି ଫୈସଲ ଗଣମାଧ୍ୟମ ସାମ୍ନାରେ ଆମିର ଏବଂ ତାଙ୍କ ପରିବାର ବିରୋଧରେ ଖୋଲାଖୋଲି ଭାବରେ ଗମ୍ଭୀର ଅଭିଯୋଗ ଆଣି ଆସୁଛନ୍ତି ବୋଲି ପରିବାର ଲୋକ କହିଛନ୍ତି । ଏହା ପରେ ଆମିରଙ୍କ ପରିବାର ମଧ୍ୟ ଅଫିସିଆଲ ଷ୍ଟେଟମେଣ୍ଟ ଜାରି କରିଥିଲେ । ଏହା ପ୍ରଥମ ଥର ପାଇଁ ନୁହେଁ ବରଂ ବାରମ୍ବାର ଫୈଜଲ ଖାନ୍ ପରିବାର ବିରୋଧରେ ଅଭିଯୋଗ ଆଣିଛନ୍ତି । ଫୈଜଲଙ୍କ ପାଇଁ ନିଆଯାଉଥିବା ପ୍ରତ୍ୟେକଟି ନିଷ୍ପତ୍ତି ଡାକ୍ତରଙ୍କ ପରାମର୍ଶ ପରେ ପରିବାର ଦ୍ବାରା ନିଆଯାଉଥିଲା ।