
ମରାଠୀର ପ୍ରସିଦ୍ଧ ଅଭିନେତା ଅଚ୍ୟୁତ ପୋତଦାରଙ୍କ ସୋମବାର ଦିନ ଦେହାନ୍ତ ଘଟିଛି । ୯୧ ବର୍ଷ ବୟସରେ ଅଭିନେତା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ବର୍ତ୍ତମାନ ତାଙ୍କର ଦେହାନ୍ତ ଘଟିଛି । ଆଜି ଥାନେରେ ତାଙ୍କର ଶେଷକୃତ୍ୟ କରାଯିବ ।ସେ ଅଭିନୟରେ ପାଦ ଦେବା ପୂର୍ବରୁ ସେ ଭାରତୀୟ ସେନାରେ ସାମିଲ ଥିଲେ । ପରେ ଇଣ୍ଡିଆନ ଅଏଲରେ କାମ କରିଥିଲେ । କିନ୍ତୁ ସେ ଅଭିନୟ ପ୍ରତି ଆକର୍ଷିତ ହେଉଥିଲେ । ସେ ୧୯୮୦ ରେ ଟେଲିଭିଜନ ଏବଂ ଫିଲ୍ମ ଆଡକୁ ମୁହାଁଇଥିଲେ । ଯଦି ତାଙ୍କର ଅଭିନୟର ଯାତ୍ରା ସମ୍ପର୍କରେ କୁହାଯାଏ ତେବେ ସେ ଆମିର ଖାନଙ୍କ ’୩ ଇଡିଅଟ୍ସ’ ଫିଲ୍ମରେ ଜଣେ କଠୋର ଇଞ୍ଜିନିୟରିଂ ପ୍ରଫେସର ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲା । ଫଳରେ ଘରେ ଘରେ ପରିଚିତ ହୋଇଥିଲେ । ଏହା ବ୍ୟତୀତ ସେ ‘ପରିନ୍ଦା’, ‘ଦାମିନୀ’, ‘ଇନସାଫ’, ‘ଲଗେ ରହୋ ମୁନ୍ନାଭାଇ’, ‘ପରିଣୀତା’, ‘ରଙ୍ଗୀଲା’, ‘ଦାଗ: ଦି ଫାୟାର’ ଏବଂ ‘ଚମତ୍କାର’ ଭଳି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ମଧ୍ୟ ନଜର ଆସିଥିଲେ। ଫିଲ୍ମ ସହିତ ସେ ଅନେକ ଲୋକପ୍ରିୟ ଟିଭି ଧାରାବାହିକରେ ମଧ୍ୟ କାମ କରିଥିଲେ।ଅଚ୍ୟୁତ ପୋତଦାର ଫିଲ୍ମ ସହିତ ଟେଲିଭିଜନ ଜଗତରେ ନିଜର ଛାପ ସୃଷ୍ଟି କରିପାରିଛନ୍ତି । ତାଙ୍କ ବିୟୋଗରେ ପ୍ରଶଂସକ ଏବଂ ପୁରା ଇଣ୍ଡଷ୍ଟ୍ରି ଦୁଃଖିତ ରହିଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।