
କେନ୍ଦ୍ରାପଡ଼ା: କଥାରେ ଅଛି ରଖେ ହରି ତ ମାରେ କିଏ । ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକରେ । 13 ବର୍ଷର ପିଲାଟିକୁ କୁମ୍ଭୀର ଟାଣି ନେଉଥିବା ବେଳେ ସେ ଅଳ୍ପେକ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ସେପଟେ ଆଳିରେ ବୃଦ୍ଧଙ୍କୁ, କୁମ୍ଭୀର ଟାଣି ନେଇ ମାରି ଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ଦୁଇଟି କୁମ୍ଭୀର ଆତଙ୍କ ଘଟଣା ପରେ ନଦୀକୂଳ ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି ହୋଇଛି ।ନୂଆ ଜନ୍ମ ପାଇଲେ ନାବାଳକ-କୁମ୍ଭୀର ସହ ସଂଘର୍ଷ କରି ନୂଆ ଜନ୍ମ ପାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ ଖୁଣ୍ଟା ଗାଁର ରତ୍ନାକର ମଳିକଙ୍କ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ପୁଅ ରାକେଶ ମଳିକ (୧୩) । ଗତକାଲି (ମଙ୍ଗଳବାର) ଦିନ ପାଖାପାଖି ୨.୧୫ ମିନିଟରେ ବିଲରେ କାମ କରୁଥିବା ବାପା ରତ୍ନାକରଙ୍କ ପାଇଁ ପୁଅ ରାକେଶ ଘରୁ ଖାଇବା ନେଇ ବିଲକୁ ଯାଇଥିଲା । ବାପା ଖାଇ ସାରିବା ପରେ ବାସନ ଧୋଇବାକୁ ବ୍ରାହ୍ମଣୀ ନଦୀକୁ ଲାଗିଥିବା ଖୁଣ୍ଟା ଯୋରକୁ ଯାଇଥିଲେ ରାକେଶ । ବାସନ ଧୋଇବା ସମୟରେ ହଠାତ୍ ଏକ କୁମ୍ଭୀର ରାକେଶଙ୍କ ଉପରେ ଆକ୍ରମଣ କରିଥିଲା । ରାକେଶଙ୍କ ଗୋଡକୁ ଧରି ଟାଣି ନେଉଥିଲା କୁମ୍ଭୀର । ପାଖରେ ଥିବା ବେଣାମୋଟାକୁ ଧରି ଚିତ୍କାର କରିଲ ବାପାଙ୍କୁ ଡାକିଥିଲେ ନାବାଳକ ।
କୁମ୍ଭୀର ମୁହଁରୁ ଉଦ୍ଧାର:ସେପଟେ ପୁଅର ଚିତ୍କାର ଶୁଣି ବାପା ରତ୍ନାକର ଦୌଡିଆସି ପୁଅକୁ ଟାଣିଆଣି କୁମ୍ଭୀର ମୁହଁରୁ ଉଦ୍ଧାର କରିଥିଲେ । କୁମ୍ଭୀର କାମୁଡ଼ାରେ ରାକେଶଙ୍କ ବାମ ଗୋଡରେ ଗଭୀର କ୍ଷତ ହୋଇଛି । ଗୁରୁତର ଥିବା ରାକେଶଙ୍କୁ ଗାଁ ଲୋକେ ତୁରନ୍ତ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ସହାୟତା ଯୋଗାଇ ଦେବାକୁ ଦାବି:ତେବେ କନିକା ତଟବନ୍ଧ ଉପଖଣ୍ଡର ଵଜରପୁର ଠାରୁ ଝାଡ଼ମାଳ ପର୍ଯ୍ୟନ୍ତ ଥିବା ନଦୀବନ୍ଧ ଅବସ୍ଥା ବେହାଲ ହୋଇ ଏହି ବନ୍ଧର ଖୁଣ୍ଟା କଲଭର୍ଟ ସମ୍ପୂର୍ଣ୍ଣ ଭୁଶୁଡି ପଡିବାରୁ କୁମ୍ଭୀରମାନେ ସିଧା ଖୁଣ୍ଟା ଜୋରକୁ ପଶି ଆସି ଉପଦ୍ରବ ଆରମ୍ଭ କରିବାରୁ ଚାଷ ସମୟରେ ଆତଙ୍କ ଖେଳି ଯାଇଛି । ଅତ୍ୟନ୍ତ ହିଂସ୍ର ହୋଇ ପଡ଼ିଥିବା କୁମ୍ଭୀରଗୁଡିକୁ ବନ ବିଭାଗ ଜୋର ଓ ନାଳ ମଧ୍ୟରେ ବିଚରଣ କରିବା ଉପରେ ରୋକ ଲଗାଇ ଧନ ଜୀବନ ରକ୍ଷା କରିବାକୁ ସାଧାରଣରେ ଦାବି ହୋଇଛି । ଅତ୍ୟନ୍ତ ଗରୀବ ପରିବାରର ରାକେଶଙ୍କ ଏଭଳି କ୍ଷତିରେ ରାଜନଗର ବନ୍ୟ ପ୍ରାଣୀ ବିଭାଗ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।ରତ୍ନାକର ମଳିକ କହିଛନ୍ତି, “ମୁଁ ବିଲକୁ ଯାଇଥିଲି । ପୁଅ ମୋ ପାଇଁ ଖାଇବା ନେଇ ଯାଇଥିଲା । ସେ କେଟିଲ୍ ଧୋଇବାକୁ ଯାଇଥିଲା । ସେତେବେଳେ କୁମ୍ଭୀର ପୁଅର ଗୋଡକୁ ଧରି ଟାଣିବାକୁ ଲାଗିଥିଲା । ଚିତ୍କାର ଶୁଣି ମୁଁ ଯାଇ ପୁଅକୁ ଉଦ୍ଧାର କରିଥିଲି । ଚିକତ୍ସା ପାଇଁ ପୁଅକୁ ମେଡାକାଲରେ ଭର୍ତ୍ତି କରାଯାଇଛି ।
ଗାଈ ଜଗୁଆଳଙ୍କୁ ଟାଣିନେଲା କୁମ୍ଭୀର:ଅନ୍ୟପଟେ ଗାଧୋଇବା ସମୟରେ ଗାଇ ଜଗୁଆଳଙ୍କ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମାଣିକିପାଟଣା ପଞ୍ଚାୟତରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ମୃତ ବ୍ୟକ୍ତି ଜଣକ ମାଣିକପାଟଣା ପଞ୍ଚାୟତ ମାଣିକପାଟଣା ଗ୍ରାମର ୬୦ ବର୍ଷୀୟ ପଞ୍ଚାନନ ଦାସ ।