
ଜଗନ୍ନାଥ ପ୍ରସାଦ ୨୦/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସଫଳ ଗୋଟି ଚାଳନା ଯୋଗୁ ଉପ ନିର୍ବାଚନରେ ଭାଜପା ସମର୍ଥିତ କ୍ଷେତମୁଣ୍ଡଳୀ ସମିତିସଭ୍ୟ ନିଳାଞ୍ଚଳ ଖିଲାର ବିଜୟୀ ହୋଇଛନ୍ତି। ବିଜଦ ଗଡରେ ଭାଜପାର ବାଜିମାତ୍ ପରେ ଦଳୀୟ ନେତୃବୃନ୍ଦ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲଖିତ ହୋଇଥିଲା। ବ୍ଲକ କାର୍ଯାଳୟ ସମ୍ମୁଖରେ ଦଳୀୟ ପତକା ସହ ଶହସ୍ରାଧିକ କର୍ମୀ ରୁଣ୍ଡ ହୋଇ ବିଜୟୀ ଶ୍ରୀ ଖିଲାରଙ୍କୁ ପୁଷ୍ପଗୁଚ୍ଛ ଓ ଫୁଲମାଳ ଦେଇ ଅଭିନନ୍ଦନ ଜଣାଇଥିଲେ।ଏହା ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିଜୟୀ ଶୋଭାଯାତ୍ରା ବାହାରି ଜଗନ୍ନାଥପ୍ରସାଦ ଅଞ୍ଚଳ ପରିକ୍ରମା କରିଥିଲା।
ସୁଚନାନୁସାରେ, ୨୫ ପଞ୍ଚାୟତ ବିଶିଷ୍ଟ ଜଗନ୍ନାଥପ୍ରସାଦ ବ୍ଲକରେ ଗତ ପଞ୍ଚାୟତ ନିର୍ବାଚନ ରେ ବିଜଦ ସମର୍ଥୀତ ୨୨ ଜଣ ସମିତିସଭ୍ୟ ଓ ଭାଜପା ସମର୍ଥୀତ ୩ ଜଣ ସମିତିସଭ୍ୟ ବିଜୟୀ ହୋଇଥିଲେ। ବ୍ଲକର ଉଭୟ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ପଦବୀ ବିଜଦ ଦଖଲରେ ରହିଥିଲା। ହେଲେ ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟା ଦର୍ଶାଇ ଗତ ଜୁନ୍ ରେ ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ରଂଜିତ ପାତ୍ର ପଦବିରୁ ଇସ୍ତଫା ଦେଇଥିଲେ । ଦୁଇମାସ ହେଲା ଏହି ପଦବି ଖାଲି ପଡ଼ିଥିଲା। ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରା ବୁଧବାର ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ ଉପ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ପ୍ରାର୍ଥିପତ୍ର ଦାଖଲ ହୋଇଥିଲା। ବିଜଦରୁ ରାଉତି ପଞ୍ଚାୟତ ସମିତିସଭ୍ୟା ପଙ୍କଜ କୁମାରୀ ପ୍ରଧାନ ଓ ଭାଜପାରୁ କ୍ଷେତମୁଣ୍ଡଳି ସମିତିସଭ୍ୟ ନିଳାଞ୍ଚଳ ଖିଲାର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ପତ୍ୟାହାର କରିନଥିଲେ। ଫଳରେ ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ରେ ବ୍ଲକର ସମସ୍ତ ୨୫ ଜଣ ସମିତିସଭ୍ୟ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ଗଣତି ପରେ ନିଳାଞ୍ଚଳଙ୍କ ସପକ୍ଷ ରେ ୧୫ ଟି ଓ ପଙ୍କଜଙ୍କ ସପକ୍ଷରେ ୧୦ ଟି ଭୋଟ ପଡିଥିଲା। ଉପ ନିର୍ବାଚନରେ ନିଳାଞ୍ଚଳ ଖିଲାର ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ତଥା ବୁଗୁଡ଼ା ବ୍ଲକ ବିଡିଓ ଦ୍ବିତୀକୃଷ୍ଣ ପାତ୍ର ଅନୁଷ୍ଠାନିକ ଘୋଷାଣା କରିଥିଲେ। ବିଜୟ ପରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଘୁମୁସର ଜିଲ୍ଲା ନିଳମାଧବ ପାତ୍ର,ରାଜ୍ୟ ପରିଷଦ ସଦସ୍ୟ ବିଷ୍ଣୁପ୍ରସାଦ ପ୍ରଧାନ, ଭଞ୍ଜନଗର ବ୍ଲକ ସାଂସଦ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ଼,କୁଲାଡ ମଣ୍ଡଳ ସଭାପତି ମନୋଜ ପ୍ରଧାନ, ସମୀର ନାୟକ, ରଞ୍ଜିତ ପ୍ରଧାନ, ଧୋବା ଗୌଡ଼, ମାନସ ଜେନା ଙ୍କ ସମେତ ଦଳୀୟ କର୍ମୀ ନିଳାଞ୍ଚଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।