
ସାଲେପୁର: ସାହାସୀ ଶୁଭସ୍ମିତା । ନିଛାଟିଆ ରାସ୍ତାରେ ୨ ଦୁର୍ବୃତ୍ତଙ୍କ ସହ ଲଢ଼ି ନିଜ ଜୀବନ ବଞ୍ଚାଇଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଲହୁଲୁହାଣ ହୋଇ ଗୁରୁତର ହୋଇଛନ୍ତି ଶୁଭସ୍ମିତା । ନ୍ୟାୟ ଦାବି କରିଛନ୍ତି ପରିବାର ବର୍ଗ । କଟକ ଜିଲ୍ଲା ମାହାଙ୍ଗା ଜେଏନ କଲେଜର ଛାତ୍ରୀ ଶୁଭସ୍ମିତା ସାହୁ । କଲେଜ ଯାଉଥିବା ବେଳେ ଏକ ନିଛାଟିଆ ରାସ୍ତାରେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ମୋବାଇଲ ବ୍ୟାଗ୍ ଛଡ଼ାଉଥିଲେ । ଶୁଭସ୍ମିତା ସାହସ ଦେଖାଇ ଦୁର୍ବୃତ୍ତଙ୍କ ସହ ଲଢେଇ କରିଥିଲେ । ଶେଷରେ ଦୁର୍ବୃତ୍ତମାନେ ଶୁଭସ୍ମିତାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ । ତଥାପି ହାର ମାନି ନଥିଲେ ଶୁଭସ୍ମିତା । ଆକ୍ରମଣର ଶିକାର ସତ୍ତ୍ବେ ଜୋରରେ ଚିତ୍କାର କରିବାରୁ କିଛି ସ୍ଥାନୀୟ ଲୋକ ଧାଇଁ ଆସିଥିଲେ । ଲୋକଙ୍କୁ ଦେଖି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଥିଲେ । ଶୁଭସ୍ମିତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାହାଙ୍ଗା ମେଡିକାଲ ଏବଂ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ରାତିରେ ଘରକୁ ଫେରିଥିଲେ ଶୁଭସ୍ମିତା ।ଏପଟେ ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି । ବିଜେଡିର ଏକ ୫ ଜଣିଆ ଟିମ୍ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ତାଙ୍କ ଘରେ ପହଞ୍ଚି ଶୁଭସ୍ମିତା ଓ ତାଙ୍କ ପରିବାର ସହ ଆଲୋଚନା କରିଛନ୍ତି ।ଦିନ ଦିପହରେ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ସତରେ ଭୟାବହ । ଏଭଳି ଦୁର୍ବୃତ୍ତଙ୍କୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ପରିବାର ଲୋକେ ।