
ଭୁବନେଶ୍ବର : ବିରଳ ପ୍ରଜାତି ଗୋଧିକୁ ମାରି ଖାଇବାର ଭିଡିଓ ଭାଇରାଲ ଘଟଣାରେ ବନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ । ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁସାରେ ଅଭିଯୁକ୍ତ ୟୁଟ୍ୟୁବର ଗିରଫ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ଅଶନବଣିର ରୁପା ନାଏକକୁ ଗିରଫ କରାଯାଇଛି । ଗୋଧିକୁ ଧରିବା ପରେ ହତ୍ୟାକରି ରୋଷେଇ କରିଥିଲା ଅଭିଯୁକ୍ତ । ସମସ୍ତ ପ୍ରକ୍ରିୟାକୁ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା । ଯାହାପରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ବିରଳ ପ୍ରଜାତିର ଗୋଧିକୁ ହତ୍ୟା କରିବା ଓ ରାନ୍ଧି ଖାଇବା ବନ ସୁରକ୍ଷା ଆଇନରେ ଅପରାଧ ଭାବେ ଗଣନା କରାଯାଇଛି । ଏହି ଘଟଣାକୁ ନେଇ ପରିବେଶ ପ୍ରେମୀମାନେ ଉଦବେଗ ପ୍ରକାଶ କରିଥିଲେ । ଏହାପରେ ଠାକୁରମୁଣ୍ଡା ବନବିଭାଗ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ୟୁଟ୍ୟୁବର ରୁପା ନାଏକକୁ ଗିରଫ କରିବା ସହ ଅଧିକ ତଦନ୍ତ କରୁଛି ବନବିଭାଗ ।