ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମ ରାୟ, ‘ଆକ୍ରମଣାତ୍ମକ କୁକୁର ବ୍ୟତୀତ ବନ୍ଧ୍ୟାକରଣ ପରେ ସମସ୍ତଙ୍କୁ ଛାଡ’

ନୂଆଦିଲ୍ଲୀ: ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ଆଶ୍ରୟସ୍ଥଳରେ ରହିବେନି ବୁଲା କୁକୁର । ବନ୍ଧ୍ୟାକରଣ, ଟୀକାକରଣ ଓ କୃମିମୁକ୍ତ ମେଡିସିନ ଦିଆଯିବ ପରେ କୁକୁର ମାନଙ୍କୁ ରାସ୍ତା ଉପରକୁ ଛଡାଯିବ । ଜଳାନ୍ତକ ସଂକ୍ରମିତ କିମ୍ବା ଜଳାନ୍ତକ ସଂକ୍ରମିତ ହେବାର ସନ୍ଦେହ କରାଯାଉଥିବା କୁକୁର ଏବଂ ହିଂସାତ୍ମକ ଆଚରଣ କରୁଥିବା କୁକୁରମାନଙ୍କୁ ଖୋଲାରେ ଛଡାଯିବ ନାହିଁ । ବୁଲା କୁକୁର ମାନଙ୍କୁ ସାର୍ବଜନୀନ ସ୍ଥାନରେ ଦିଆଯିବ ନାହିଁ ଖାଦ୍ୟ । ଯେଉଁ ମାନେ ଖାଦ୍ୟ ଦେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ।ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଏବଂ ଏନଭି ଏଞ୍ଜାରିଆଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ କୋର୍ଟ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ପକ୍ଷ ରଖି ଏବଂ ସମଗ୍ର ଭାରତରେ ଏହି ମାମଲାର ପରିସରକୁ ବିସ୍ତାର କରିଛନ୍ତି, କେବଳ ଦିଲ୍ଲୀ ଏବଂ ଏନସିଆର ନୁହେଁ, କାରଣ ମାମଲା ଗୁଡ଼ିକ ଅନ୍ୟ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଅଛି ।ଖଣ୍ଡପୀଠ ପଶୁପାଳନ ବିଭାଗ ଏବଂ ସ୍ଥାନୀୟ ସଂସ୍ଥାର ସମସ୍ତ ସଚିବଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ଉଚ୍ଚ ନ୍ୟାୟାଳୟରୁ ସମାନ ସମସ୍ତ ମାମଲା ସୁପ୍ରିମକୋର୍ଟକୁ ସ୍ଥାନାନ୍ତରିତ କରାଯିବ । ସୁପ୍ରିମକୋର୍ଟ କହିଛନ୍ତି “ଯାହାଫଳରେ ଏହି ସମସ୍ୟା ସମ୍ପର୍କରେ ଚୂଡ଼ାନ୍ତ ଜାତୀୟ ନୀତି କିମ୍ବା ନିଷ୍ପତ୍ତି ନିଆଯାଇପାରିବ ।” ପୂର୍ବ ଆଦେଶରେ କିଛି ସଂଶୋଧନ ପ୍ରସ୍ତାବ ଦେଇ ଖଣ୍ଡପୀଠ କହିଛନ୍ତି, “ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ବିଷୟ ଆଦେଶର ପାରା 12 (1) ଏବଂ 12 (2) ରେ ଥିବା ନିର୍ଦ୍ଦେଶ ପାଳନ ଜାରି ରହିବ ।”ହିଂସାତ୍ମକ ଆଚରଣ କରୁଥିବା କୁକୁରଙ୍କୁ ରାସ୍ତାକୁ ଛଡାଯିବନାହିଁ:”ଯେଉଁ କୁକୁର ମାନଙ୍କୁ ଧରାଯିବ ସେମାନଙ୍କୁ ବନ୍ଧ୍ୟାକରଣ, କୃମିମୁକ୍ତ, ଟୀକାକରଣ କରାଯିବ ଏବଂ ଯେଉଁଠାରୁ ସେମାନଙ୍କୁ ନିଆଯାଇଥିଲା ସେହି ଅଞ୍ଚଳରେ ପୁଣି ଥରେ ଛାଡିଦିଆଯିବ। ତଥାପି, ଏହା ସ୍ପଷ୍ଟ କରାଯାଇଛି ଯେ ଏହି ସ୍ଥାନାନ୍ତରଣ ରାବିସ୍‌ ସଂକ୍ରମିତ କିମ୍ବା ରାବିସ୍‌ ସଂକ୍ରମିତ ହେବାର ସନ୍ଦେହ କରାଯାଉଥିବା କୁକୁର ଏବଂ ଆକ୍ରମଣାତ୍ମକ ଆଚରଣ ପ୍ରଦର୍ଶନ କରୁଥିବା କୁକୁରମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ । ଏପରି କୁକୁରମାନଙ୍କୁ ଟୀକାକରଣ ଏବଂ ବନ୍ଧ୍ୟାକରଣ କରାଯିବା ପରେ କୌଣସି ପରିସ୍ଥିତିରେ ସେମାନଙ୍କୁ ପୁଣି ଥରେ ରାସ୍ତାକୁ ଛାଡି ଦିଆଯିବ ନାହିଁ। ସେମାନଙ୍କୁ ଏକ ପୃଥକ ଆଶ୍ରୟସ୍ଥଳରେ ରଖାଯିବ” ଖଣ୍ଡପୀଠ କହିଛନ୍ତି ।

ପ୍ରତ୍ୟେକ ପୌର ୱାର୍ଡରେ ବୁଲା କୁକୁରମାନଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟ ସ୍ଥାନ:ଖଣ୍ଡପୀଠ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପ୍ରତ୍ୟେକ ପୌର ୱାର୍ଡରେ ବୁଲା କୁକୁରମାନଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟ ସ୍ଥାନ କରିବା ପାଇଁ ପୌର କର୍ତ୍ତୃପକ୍ଷ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବେ । କୌଣସି ପରିସ୍ଥିତିରେ ମଧ୍ୟ ରାସ୍ତାରେ କୁକୁରମାନଙ୍କୁ ଖାଇବାକୁ ଦିଆଯିବ ନାହିଁ। “ଯେଉଁ ବ୍ୟକ୍ତିମାନେ ରାସ୍ତାରେ କୁକୁରମାନଙ୍କୁ ଖାଇବାକୁ ଦେବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ” ।ସୁପ୍ରିମକୋର୍ଟ ଅଗଷ୍ଟ 14ରେ କହିଥିଲେ ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କ ସମ୍ପୂର୍ଣ୍ଣ ସମସ୍ୟା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ଯୋଗୁଁ ହେଉଛି । ସୁପ୍ରିମକୋର୍ଟ ଦ୍ୱାରା ଅଗଷ୍ଟ 11ରେ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ପାଇଁ ହୋଇଥିବା ଏକ ମଧ୍ୟବର୍ତ୍ତୀକାଳୀନ ଜାଚିକା ଉପରେ ଖଣ୍ଡପୀଠ ଏହି ପର୍ଯ୍ୟବେକ୍ଷଣ କରିଥିଲେ ଏବଂ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ ।ଅଗଷ୍ଟ 11 ତାରିଖରେ, ବିଚାରପତି ଜେବି ପାରଡିୱାଲା ଏବଂ ଆର ମହାଦେବନଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଦିଲ୍ଲୀ-ଏନସିଆରର କର୍ତ୍ତୃପକ୍ଷଙ୍କୁ ସମସ୍ତ ଅଞ୍ଚଳରୁ ଶୀଘ୍ର ବୁଲା କୁକୁରମାନଙ୍କୁ ଉଠାଇବା ଏବଂ ସେମାନଙ୍କୁ କୁକୁର ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଖଣ୍ଡପୀଠ କର୍ତ୍ତୃପକ୍ଷଙ୍କୁ ତୁରନ୍ତ କୁକୁର ଆଶ୍ରୟସ୍ଥଳ ତିଆରି କରିବାକୁ ଏବଂ ଆଠ ସପ୍ତାହ ମଧ୍ୟରେ ଏପରି ଭିତ୍ତିଭୂମି ସୃଷ୍ଟି ବିଷୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।ଦିଲ୍ଲୀରେ ବୁଲା କୁକୁର କାମୁଡା ଯୋଗୁଁ ପିଲାମାନଙ୍କ ମଧ୍ୟରେ ରାବିସ୍‌ ରୋଗ ହେଉଥିବା ନେଇ ଜୁଲାଇ 28ରେ ଆରମ୍ଭ ହୋଇଥିବା ଏକ ସ୍ୱତଃପ୍ରବୃତ୍ତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଅଗଷ୍ଟ 11 ତାରିଖରେ ଅନେକ ନିର୍ଦ୍ଦେଶ ଦେଇଥିଲେ।