ଆଶାର ଆକାଶ ତଳେ ହିତାଧିକାରୀ,ଅସହାୟଙ୍କୁ ଆଶ୍ରୟ ଦେଇ ପାରୁନି ଆବାସ

ବେଲଗୁଣ୍ଠା ୨୩/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସରକାର ଅନ୍ତୋର୍ଦୟ ଗୃହ ଓ ପ୍ରଧାନମନ୍ତ୍ରୀ ଆବାସ
ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚୟନ କରି ପକ୍କା ଘର ଯୋଗାଇ ଦେବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଯୋଜନାରେ ଘର ପାଇବା ଅନେକ ଅସହାୟ ପରିବାରଙ୍କ ପାଇଁ ସାତ ସପନ ହୋଇଛି। ଯାହାର ଉଦାହରଣ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ମଙ୍ଗଳପୁର ପଞ୍ଚାୟତର ଜାଇ ପାତ୍ର ଓ ସଦା ଜେନାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଉଭୟେ ଘର ପାଇବାକୁ ଯୋଗ୍ୟ ଥିଲେ ବି ସେମାନଙ୍କୁ ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ମିଳୁନଥିବା ଅଭିଯୋଗ କରିଛନ୍ତି।

ଏକ ଭଙ୍ଗା ଦଦରା ଘରେ ଜାଇ ଦୁଇ ଝିଅ ଓ ଶାଶୁଙ୍କ ସହ ସେ ଜୀବନ ଯାପନ କରୁଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଘର ପୁରୁଷ ଶୂନ୍ୟ ହୋଇପଡିଛି।ଘରେ ରୋଜଗାରିଆ ମଣିଷ ବୋଲି କେହି ନାହିଁ। ସ୍ବାମୀ ଆରପାରିକୁ ଚାଲିଗଲା ପରେ ଜାଇ ଝିଅକୁ ନେଇ ଏକ କୁଡ଼ିଆ ଘରେ ନିଜ ଭାଗ୍ୟକୁ ଆଦରି ଦୟନୀୟ ଅବସ୍ଥାରେ ପଡ଼ି ରହିଛନ୍ତି। ଏହି ଭଙ୍ଗା କୁଡ଼ିଆ ଘରେ ବାପା ଛେଉଣ୍ଡ ଝିଅକୁ କେମିତି ସୁରକ୍ଷା ଦେବେ ସେ ନେଇ ଜାଇ ସର୍ବଦା ଚିନ୍ତାରେ ରହିଛନ୍ତି। ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ସେ ଦିର୍ଘ ବର୍ଷ ହେଲା ପକ୍କା ଘର ଖଣ୍ଡେ ପାଇଁ ସରକାରୀ ବାବୁଙ୍କୁ ଗୁହାରି କରି କରି ଥକି ପଡିଲେଣି। ହେଲେ ଗୁହାରି କେହି ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି। ଜାଇ ଙ୍କ ଭଳି ପଞ୍ଚାୟତର ଅନେକ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ଥିବା ସେ କହିଛନ୍ତି।

ସାମାନ ସ୍ଥିତି ଦେଖିବାକୁ ମିଳିଛି ସେହି ଗାଁ ର ସଦା ଜେନାଙ୍କ କ୍ଷେତ୍ରରେ। ପତ୍ନୀଙ୍କ ବିୟୋଗ ପରେ ଝିଅ ମାନେ ଶାଶୁ ଘର ଚାଲି ଗଲେ। ଏବେ ସେ ଏକାକୀ ହୋଇ ପଡିଛନ୍ତି । ପୁରୁଣା ଘରଟି ଭାଙ୍ଗି ଯାଇଥିବା ବେଳେ ଭାରି କଷ୍ଟରେ ଏକ ବଖରା ଘରେ ରହୁଛନ୍ତି । ବାର୍ଦ୍ଧକ୍ୟ ଭତା ସହ ରାସନ କାର୍ଡ଼ରେ ଚାଉଳ ମିଳୁଛି। ସେଥିରେ କଷ୍ଟେ ମଷ୍ଟେ ତାଙ୍କର ତେଲ ଲୁଣର ସଂସାର ଚଳିଯାଉଛି। ଭଙ୍ଗା ଘରେ ରହିବା ସମ୍ଭବ ହେଉନଥିବାରୁ ଆବାସ ଖଣ୍ଡେ ପାଇଁ ସେ ବାରମ୍ବାର ଆବେଦନ କଲେଣି। ତାଲିକାରେ ତାଙ୍କ ନାମ ଥିବା ସତ୍ତ୍ଵେ ବି ବ୍ଲକ ପ୍ରଶାସନ ତାଙ୍କୁ ପକ୍କା ଘର ଦେଉନଥିବା ସେ ଅଭିଯୋଗ କରିଛନ୍ତି। ରାଜ୍ୟରେ ଅସହାୟ ଓ ବାସହିନଙ୍କୁ ଗୃହ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ତୋର୍ଦୟ ଗୃହ ଯୋଜନା କରାଯାଇଛି। ହେଲେ ବ୍ଲକ ପ୍ରଶାସନ ପାତର ଅନ୍ତର ନୀତି ଅନୁସରଣ କରି ଅଯୋଗ୍ୟ ଙ୍କୁ ଏହି ଯୋଜନାରେ ଗୃହ କାର୍ଯ୍ୟାଦେଶ ପ୍ରଦାନ କରୁଥିବା ବେଳେ ଯୋଗ୍ୟ ବାଦ ପଡୁଥିବା ଅଭିଯୋଗ ହେଉଛି। ଅନ୍ତୋଦୟ ଗୃହ ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରତ୍ୟେକ ବର୍ଷ ଶହ ଶହ ଲୋକ ହିତାଧିକାରୀ ହୋଇ ଘର ଉପରେ ଘର ପାଉଥିବା ବେଳେ ଜାଇ ଓ ସଦାଙ୍କ ଭଳି ଅସହାୟ ଲୋକ ଏଥିରୁ କିଭଳି ବଞ୍ଚିତ ହେଉଛନ୍ତି ଓ ପ୍ରାଶାସନିକ ଅଧିକାରୀମାନେ କେଉଁ ଆଧାରରେ ଆବାସ ହିତାଧିକାରୀ ଚୟନ କରୁଛନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଉଭୟଙ୍କୁ ଯଥା ଶୀଘ୍ର ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସାଧାରଣରେ ଦାବି ହୋଇଛି।