ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ BCCIର ବଡ଼ ବୟାନ, ODI ଖେଳିବେ ଦୁଇ ଖେଳାଳି

ରୋହିତ ଶର୍ମା ଓ ବିରାଟ କୋହଲି ଅବସର ନେଇ ନାହାନ୍ତି କି ତାଙ୍କୁ ଦିନିକିଆ ଖେଳରୁ ବାଦ୍ ଦିଆଯାଇ ନାହିଁ । ଏଭଳି କହିଛନ୍ତି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସରକୁ ସମ୍ପୂର୍ଣ୍ଣ ଭାବରେ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ବିରାଟ ଏବଂ ରୋହିତ ଟେଷ୍ଟ ଓ ଟି-୨୦ରୁ ବାହାରେ ଅଛନ୍ତି । କିନ୍ତୁ ସେମାନେ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୭ରେ ଖେଳିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଯାହାକୁ ସ୍ପଷ୍ଟ କରିଛନ୍ତି ରୋହିତ ଶର୍ମା । ତେବେ ଦଳରେ ସ୍ଥାନ ପାଇବା ପୂର୍ବରୁ ଯେତିକି ସହଜ ଥିଲା ଏବେ କିନ୍ତୁ ତାହା କଷ୍ଟକର ହେବ । ବର୍ତ୍ତମାନ ଏହି ଅଭିଜ୍ଞ ଖେଳାଳିମାନଙ୍କୁ ଦଳରେ ସ୍ଥାନ ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ।ଗତ କିଛି ଦିନ ପୂର୍ବରୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଖୁବ୍ ଚର୍ଚ୍ଚା ଉଠିଥିଲା । ସେମାନେ ୨୦୨୭ ବିଶ୍ବ କପ୍ ଖେଳିବାକୁ ଇଚ୍ଛୁକ ଥିବା ବେଳେ ଦଳରେ ଯୁବ ଖେଳାଳିଙ୍କ ଉପସ୍ଥିତି ସେମାନଙ୍କୁ ଅଡୁଆରେ ପକାଇଛି । ତେଣୁ ଚର୍ଚ୍ଚା ଚାଲିଥିଲା କି ଏହି ଦୁଇ ବରିଷ୍ଠ ଖେଳାଳି ଦିନିକିଆରୁ ଅବସର ନେଇ ଗଲେ ବୋଲି । ଯାହାକୁ ଏବେ ରାଜୀବ ଶୁକ୍ଳା ସିଧାସଳଖ ଭାବେ ଖାରଜ କରିଛନ୍ତି । ଏହା ଛଡ଼ା ସେ କହିଛନ୍ତି ଯେ, ଉଭୟ ଫିଟ୍ ଅଛନ୍ତି ଏବଂ ଦିନିକିଆ ଖେଳୁଛନ୍ତି । ତଥାପି, ଦଳକୁ ଫେରିବା ସହଜ କଥା ନୁହେଁ । କାରଣ ଭାରତ ବିଶ୍ୱକପ୍ ପୂର୍ବରୁ ଅନ୍ୟ କୌଣସି ମ୍ୟାଚ୍ ଖେଳିବ ନାହିଁ । ଏଭଳି ପରିସ୍ଥିତିରେ ଫିଟନେସ୍ ରଖିବା ଅଧିକ କଷ୍ଟକର ହୋଇପଡିବ । ଟି-୨୦ ଏବଂ ଟେଷ୍ଟ ମ୍ୟାଚ୍ ଛାଡିଥିବା ରୋହିତ ଓ ବିରାଟ ଗୋଟିଏ ବର୍ଷରେ କେବଳ କିଛି ଦିନ ପଡ଼ିଆରେ ବିତାଇବେ ।ଛୁଟିରୁ ଫେରିବା ପରେ ରୋହିତ ଖରାପ ଅବସ୍ଥାରେ ଥିଲେ ଫଳରେ ସେ ସମ୍ପୂର୍ଣ୍ଣ ଅପରିଷ୍କାର ଦେଖାଯାଉଥିଲେ । ସେହିପରି ବିରାଟଙ୍କୁ ଧଳା ଦାଢ଼ିରେ ଫ୍ୟାନ୍ସ ଦେଖିବାକୁ ପାଇଥିଲେ । ଯାହା ତାଙ୍କର ଅଧିକ ବୟସ ଗଡ଼ି ଯାଇଥିବା ଭଳି ଅନୁଭବ ହୋଇଥିଲା । ଏହି ଖେଳାଳିମାନେ ଅଭିଜ୍ଞ ହୋଇଥିଲେ ମଧ୍ୟ ଫିଟନେସ୍ ଦିଗରୁ ଅଧିକ ଦିନ ତିଷ୍ଠିପାରିବେ ନାହିଁ ବୋଲି ଅନୁମାନ କରାଯାଉଥିଲା । ତେବେ ସେମାନେ ଦିନିକିଆ ମ୍ୟାଚରେ ନଜର ଆସିବେ ବୋଲି ସ୍ପଷ୍ଟ କରିଛନ୍ତି ରାଜୀବ ଶୁକ୍ଳା ।ଏହା ବ୍ୟତୀତ ରାଜୀବ ଆହୁରି କହିଛନ୍ତି ଯେ, “ଆମର ନୀତି ଅତ୍ୟନ୍ତ ସ୍ପଷ୍ଟ । ବିସିସିଆଇ କେବେ କୌଣସି ଖେଳାଳିଙ୍କୁ ଅବସର ନେବାକୁ କୁହେ ନାହିଁ । ତାଙ୍କୁ ନିଜର ନିଷ୍ପତ୍ତି ନିଜେ ନେବାକୁ ପଡିବ । ରୋହିତ ଓ କୋହଲିଙ୍କୁ ମଧ୍ୟ ନିଷ୍ପତ୍ତି ନିଜେ ନେବାକୁ ହେବ।’’