
କଟକ: ଅନଲାଇନ ଗେମ କଲା ସର୍ବସ୍ୱାନ୍ତ । ରୋଜଗାର ଦେବୁ , ତା ସହ ଗାଡି, କୁଲର, ଫ୍ରିଜ-ଫ୍ୟାନ ବି ଦେବୁ । ଏପରି ପ୍ରତିଶ୍ରୁତି ଦେଇ ଯୁବଗୋଷ୍ଠୀଙ୍କୁ ପ୍ରଲୋଭିତ କରିଥିଲେ । ଆଉ ତା ପରେ ଲୁଟି ନେଲେ କୋଟି କୋଟି ଟଙ୍କା । ଏବେ ନିଜ କଷ୍ଟ ଅର୍ଜିତ ଧନ ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି କଟକ ସହରର ଶତାଧିକ ଯୁବକ । ଅନ୍ୟପକ୍ଷେ କୋଟି କେଟି ଟଙ୍କା ଲୁଟି ନେଇ ହ୍ୟୁଜ ନାମକ ଅନଲାଇନ ଗେମିଂ ଆପ ଏବେ ଛୁ ମାରୁଛି ।ଜଗତସିଂହପୁର ଓ ନିଶ୍ଚିତକୋଇଲି ପରେ ‘ହ୍ୟୁଜ୍’ ଆପ୍ଲିକେସନ୍ ଠକେଇର ଚେର କଟକ ସହରକୁ ବ୍ୟାପିଛି । ଭିଡିଓ ଦେଖି ଟଙ୍କା ରୋଜଗାର କରିବାକୁ ଯାଇ ଦରଘାବଜାର ଅଞ୍ଚଳର ପାଖାପାଖି ୩୦୦ ଯୁବକ ଫସି ଯାଇଛନ୍ତି । ଗେମ ଖେଳି ରୋଜଗାର କରିବାର ପ୍ରଲୋଭନ ଦେଖାଇ ଏହି ଯୁବକଙ୍କ ଠାରୁ 50 ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭଯୋଗ ହୋଇଛି । ଏମିତିକି କେତେକ ଯୁବକ ଘର ସୁନାକୁ ବନ୍ଧକ ରଖି ସେହି ଅର୍ଥ ‘ହ୍ୟୁଜ୍’ ଆପ୍ଲିକେସନରେ ଲଗାଇ ସର୍ବସ୍ଵାନ୍ତ ହୋଇଛନ୍ତି
କେମିତି ଫସିଗଲେ ୩୦୦ ଯୁବକଦରଘାବଜାର ଥାନା କଦମ୍ରସୁଲ୍ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୩୦୦ ଯୁବକ ଏହି ଅନଲାଇନ ଗେମିଂ ଆପ ସହ ଯୋଡ଼ି ହୋଇଥିଲେ । ଏହି ଯୁବକମାନଙ୍କୁ କୁହା ଯାଇଥିଲା, ଅନଲାଇନ ଆପ୍ଲିକେସନରେ 21 ଶହ ଟଙ୍କା ଦେଇ ଯୋଡି ହେଲେ ଦୈନିକ 5 ଟି ଭିଡିଓ ଦେଖିବାକୁ ସୁଯୋଗ ମିଳିବ । ଏହି ଭିଡିଓ ଦେଖିବା ସହିତ 5 ଟି ଷ୍ଟାର ଦେବାକୁ ପଡିବ । ଏହା ପରେ ପ୍ରତି ଭିଡିଓ ପିଛା 15 ଟଙ୍କା ଲେଖାଏ ମିଳିବ ବୋଲି କୁହାଯାଇଥିଲା । ସେହିପରି 5 ହଜାର 5 ଶହ ଟଙ୍କା ଦେଇ ଯୋଡି ହେଲେ 10 ଟି ଭିଡିଓ ଦେଖିବ ଏବଂ ପ୍ରତି ଭିଡିଓ ପିଛା 20 ଟଙ୍କା ମିଳିବ । ସେହିପରି 16 ହଜାର 500 ଟଙ୍କା ଦେଇ ଯୋଡି ହେଲେ 15 ଟି ଭିଡିଓ ଦେଖିବାକୁ ମିଳିବ ଏବଂ ପ୍ରତି ଭିଡିଓ ପିଛା 41 ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ଏମିତିକି ଯୁବକମାନଙ୍କୁ ଆକୃଷ୍ଟ କରିବାକୁ ଅନେକ ଲୋଭନୀୟ ଗିଫ୍ଟ ମଧ୍ୟ ଦିଆ ଯାଇଥିଲା । କାହାକୁ ଫ୍ୟାନ, କାହାକୁ ଗାଡି, କାହାକୁ କୁଲର, କାହାକୁ ଫ୍ରିଜ ଆଦି ଗିଫ୍ଟ ଦେଇ ଫସେଇଥିବା ଯୁବକମାନେ ଅଭିଯୋଗ କରିଛନ୍ତି ।ଦୈନିକ ଉଠାଣ ହେଉଥିଲା, ହଠାତ୍ ଆପ୍ଲିକେସନ୍ ଉଭାନ ହୋଇଗଲାଯୁବକମାନଙ୍କ ବିଶ୍ୱାସ ଜିତିବା ପାଇଁ ଭିଡିଓ ଦେଖିବା ପରେ ଯେଉଁ ଟଙ୍କା ଆସୁଥିଲା ତାହାକୁ ଦୈନିକ ଉଠାଣ ବି ହେଉଥିଲା। ମାତ୍ର ଅଗଷ୍ଟ ୧୫ ପରେ ଆପ୍ଲିକେସନ୍ ହଠାତ୍ ବନ୍ଦ ହୋଇଗଲା | ଟଙ୍କା ଉଠାଣ ହେଲା ନାହିଁ । କଦମ୍ରସୁଲ୍ ଅଞ୍ଚଳର ଜଣେ ଯୁବକଙ୍କୁ ଏଥିପାଇଁ ଟଙ୍କା ରିଚାର୍ଜ କରିବାକୁ କହିଥିଲା । ଏହି ରିଚାର୍ଜ କଲେ ଆପ୍ଲିକେସନ୍ ଖୋଲିବା ନେଇ ପ୍ରତିଶ୍ରୁତି ଦେଇଥିଲା। ପାଖାପାଖି ୩୦୦ ଯୁବକ ୬ ଲକ୍ଷ ଟଙ୍କା ରିଚାର୍ଜ କରିଥିଲେ | କିନ୍ତୁ ପ୍ରତିଶ୍ରୁତି ମୁତାବକ ଆପ୍ଲିକେସନ୍ ଖୋଲିଲା ନାହିଁ । ଏହା ପରେ ଯୁବକମାନେ ବଡ଼ଧରଣର ଠକେଇ ହୋଇଥିବା ଜାଣି ପାରିଛନ୍ତି । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଜଣାଇବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।କ’ଣ କହନ୍ତି ସ୍ଥାନୀୟ ଲୋକେଏହି କମ୍ପାନୀ ସ୍ଥାନୀୟ ଯୁବକଙ୍କୁ ଟାର୍ଗେଟ କରୁଥିଲା । ବିଶେଷ କରି ଅଳ୍ସଶିକ୍ଷିତ ଯୁବକମାନଙ୍କୁ ଫସାଇବାକୁ ଚେଷ୍ଟା କରିଥିଲା କମ୍ପାନୀ । କମ୍ପାନୀ ଗୋଟିଏ ପ୍ରମୁଖ ଇଲାକାରେ ଜଣେ ବ୍ୟକ୍ତିଙ୍କୁ ନିୟୋଜିତ କରିଥିଲା । ସେହି ବ୍ୟକ୍ତିଙ୍କ ସହାୟତାରେ ପ୍ରତି ସାହିରେ ଜଣେ ଜଣେ ଯୁବକଙ୍କୁ ରଖା ଯାଉଥିଲା । ଏହି ପରି କମ୍ପାନୀ କଟକର ଗଳି ଗଳିରେ ତାର କାୟା ବିସ୍ତାର କରି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା । ହେଲେ ଯେଉଁ ଦିନ ସଂସଦରେ ଅନଲାଇନ ଗେମିଂ ଆପ ବ୍ୟାନ କରିବା ପାଇଁ ବିଲ ଆସିବାର ଥିଲା ଠିକ ସେହିଦିନ ଏହି କମ୍ପାନୀ ଗାଏବ ହୋଇ ଯାଇଥିଲା ।