
ଭୁବନେଶ୍ବର: ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ନିଆଁରେ ଜଳିଗଲେ ଆଇନଜୀବୀ । ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମଞ୍ଚେଶ୍ୱର ଥାନା ପାଣ୍ଡରା ଅଞ୍ଚଳରୁ ଆସିଛି ସାଙ୍ଘାତିକ ଘଟଣା । ଖବର ପାଇ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।’ସାଇକୋ ସମସ୍ୟା ଥିଲା’:ଏନେଇ ଜୋନାଲ ଏସିପି ବିଶ୍ବରଞ୍ଜନ ସେନାପତି କହିଛନ୍ତି, “ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ମୃତକଙ୍କ ନାମ ଦୀପକ କୁମାର ସାହୁ । ବୟସ 46 ବର୍ଷ । ସେ ତାଙ୍କର ପରିବାର ସହ ରହୁଥିଲେ । ପରିବାରରେ ତାଙ୍କ ସ୍ତ୍ରୀ, ଦୁଇ ଝିଅ ଓ ବୃଦ୍ଧା ମାଆ ଅଛନ୍ତି । ତାଙ୍କର ସାଇକୋ ସମସ୍ୟା ଥିବାରୁ ପୂର୍ବରୁ ତାଙ୍କର ଦୁଇଥର ବ୍ରେନ୍ ଡେଡ ହେଇଥଥିଲା । ସେ ମାନସିକ ଚାପରେ ରହୁଥିଲେ । ଏଥିପାଇଁ ମେଡିସିନ ଖାଉଥିଲେ । ମାନସିକ ଚାପରୁ କିଭଳି ମୁକ୍ତ ରହିବେ ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକ ତାଙ୍କୁ ଏକାକୀ ରହିବାକୁ ଦେଉଥିଲେ । କିଛି ଦିନ ହେବ ସେ ମେଡିସିନ୍ ଖାଇବା ଛାଡିଦେଇଥିଲେ । ତାଙ୍କ ମାନସିକ ସ୍ଥିତି ଯୋଗୁଁ ହୁଏତ ସେ ନିଆଁ ଲଗାଇ ଜୀବନ ହାରିଥାଇପାରନ୍ତି ।”
ତଦନ୍ତ ଆରମ୍ଭ:ଜୋନାଲ ଏସିପି ଆହୁରି କହିଛନ୍ତି, “ସେ ଛାତ ଉପରକୁ ଯିବା ବେଳେ ପରିବାର ଲୋକ ତଳେ ଥିଲେ । ଛାତ ଉପରକୁ ଯାଇ ସେ କବାଟ ବନ୍ଦ କରିଦେଇଥିଲେ । ବହୁ ସମୟ ଧରି ଛାତରୁ ନ ଫେରିବାର ପରିବାର ଲୋକ ପଡୋଶୀଙ୍କ ଛାତ ଦେଇ ଯିବା ପରେ ତାଙ୍କୁ ଜଳିଯାଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଘଟଣାର ତଦନ୍ତ ଚାଲିଛି । ସାଇଣ୍ଟିଫିକ୍ ତଦନ୍ତ ପରେ କାରଣ କ’ଣ ଜଣାପଡିବ । ପରିବାର ଲୋକ ଏଥିରେ ସମ୍ପୃକ୍ତ ଥିବା ଭଳି ଲାଗୁ ନାହିଁ । ତଥାପି, ପୋଲିସ ପରିବାର ଲୋକଙ୍କୁ ପଚରାଉଚୁରା କରୁଛି ।”
ଛାତ ଉପରୁ ଜଳନ୍ତା ମୃତଦେହ ଉଦ୍ଧାର:ମୃତକ ୪୬ ବର୍ଷିୟ ଦୀପକ କୁମାର ସାହୁ ଜଣେ ଆଇନଜୀବୀ ଭାବରେ କାର୍ଯ୍ୟ କରୁଥିଲେ । ଭୁବନେଶ୍ବର ମଞ୍ଚେଶ୍ୱର ଥାନା ପାଣ୍ଡରା ଅଞ୍ଚଳରେ ସେ ତାଙ୍କ ପରିବାର ଲୋକଙ୍କ ସହ ରହୁଥିଲେ । ଆଜି (ଶୁକ୍ରବାର) ସକାଳୁ ଘର ଛାତ ଉପରୁ ତାଙ୍କ ଦଗ୍ଧ ଅବସ୍ଥାରେ ମୃତଦେହ ମିଳିଛି । ପାଖରେ ନିଆଁର ଝାସ ଓ କଳା ଦାଗ ଦେଖି ନିଆଁରେ ପୋଡ଼ି ହୋଇ ସେ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଛନ୍ତି ଘର ଲୋକେ । ଏନେଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।