ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ସୁବର୍ଣ୍ଣପୁର: ସକାଳୁ ସକାଳୁ ଗାଁରେ ଖେଳିଗଲା ଚାଞ୍ଚଲ୍ୟ । ରକ୍ତ ରଞ୍ଜିତ ହେଲା ଗାଁ । ଚାରିଆଡ଼େ ଖେଳିଗଲା କୋକୁଆ ଭୟ । ଗାଁରେ ଥିବା ଶିବ ମନ୍ଦିର ସାମ୍ନାରେ ହିଁ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଗଲା । ଯୁବକଙ୍କ ହତ୍ୟା ପରେ ଏବେ ପୁରା ଗାଁ ସ୍ତବଧ । ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ । ନୂଆଖାଇ ପରେ ଛାଡ଼ଖାଇ ଥିଲା । ସମସ୍ତଙ୍କ ମନ ଥିଲା ଭାରି ଖୁସି । ଟିକେ ଆଇଁଷ ଖାଇବେ । କିନ୍ତୁ ହଠାତ ଗାଁରେ ଘଟିଲା ଛାତିଥରା ଘଟଣା । ସୁବର୍ଣ୍ଣପୁର ଜିଲ୍ଲା ମେଣ୍ଡାମାଲ ଗାଁରେ ହୋଇଛି ଭୟଙ୍କର ହତ୍ୟାକାଣ୍ଡ । ଗାଁର ଅଜିତ ଖଣ୍ଡଗିରି ନାମକ ଜଣେ ଯୁବକଙ୍କ ଜୀବନ ନେଇଛନ୍ତି ଦୁର୍ବୃତ୍ତ ।ମାଘମାରୀ ଗାଁର ଅଜିତ ଖଣ୍ଡଗିରି । ଭାରି ମେଳାପି ଓ ଖୁସ୍ ମିଜାଜର ଲୋକ ଥିଲେ ଅଜିତ । ଗାଁର ସମସ୍ତଙ୍କ ସହ ସମ୍ପର୍କ ଖୁବ ଭଲ ଥିଲା । ଗାଁରେ କିଛି ପୂଜାପର୍ବ ହେଲେ ସବୁଥିରେ ଆଗରେ ଥିଲେ ଅଜିତ୍ । କିନ୍ତୁ ଏମିତି ଅବେଳରେ ତାଙ୍କ ଜୀବନ ନେଇଗଲେ କିଛି ମଣିଷରୂପୀ ନର ରାକ୍ଷସ । ତେବେ କିଏ ଆକ୍ରମଣ କଲା ଓ କାହିଁକି ତାହା ସ୍ପଷ୍ଟ ହୋଇନଥିଲେ ବି ଏଥିରେ ଅଜିତଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣକ ହେଲେ ଚମ୍ପାମାଳ ଗାଁର ସୂର୍ଯ୍ୟକାନ୍ତ ପଧାନ । ହତ୍ୟାକାଣ୍ଡ ମେଣ୍ଡାମାଲ ଗାଁ ଶିବ ମନ୍ଦିର ସମ୍ମୁଖରେ ଘଟିଛି । ଘଟଣା ପରେ ପୋଲିସ ମରଶରୀରକୁ ଜବତ କରି ବୀରମହାରାଜପୁର ଡାକ୍ତରଖାନାକୁ ଆଣିଥିଲା । ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ବୁର୍ଲା ପଠା ଯାଇଛି । ବର୍ତ୍ତମାନ ସୂର୍ଯ୍ୟକାନ୍ତ ସୁସ୍ଥ ଥିବା ସୂଚନା ମିଳିଛି । ତେବେ ଅଜିତଙ୍କ ହତ୍ୟାକାଣ୍ଡ ପଛର କାରଣ ଜଣାପଡ଼ି ନାହିଁ । ଏପଟେ ତାଙ୍କ ମୃତଦେହ ଡାକ୍ତରଖାନକୁ ଅଣାଯିବା ପରେ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ବୀରମହାରାଜପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରିତ ହୋଇଥିଲା ।…କହି ରଖୁଛୁ କି ମୃତକ ଅଜିତଙ୍କର ମାତ୍ର ଦୁଇ ବର୍ଷ ତଳେ ବାହଶଘର ହୋଇଥିଲା । ତାଙ୍କର ବର୍ଷକର ପୁଅଟିଏ ଅଛି । ଅଜିତଙ୍କ ସ୍ତ୍ରୀ ଓ ପୁଅ ଏବେ ବେସାହାର ହୋଇପଡ଼ିଛନ୍ତି । ତେବେ ଏଭଳି ହତ୍ୟାକାଣ୍ଡ ପଛରେ କାହାର ହାତ ଅଛି ? ଅଜିତଙ୍କର ପୂର୍ବରୁ କାହା ସହ ଶତ୍ରୁତା ଥିଲା କି? କଣ ପାଇଁ ଅଜିତଙ୍କୁ ହତ୍ୟା କରାଗଲା ? ଏମିତି ପ୍ରଶ୍ନକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବ୍ ଶୀଘ୍ର ଅଜିତଙ୍କ ମୃତ୍ୟୁ ଉପରୁ ରହସ୍ୟ ହଟିବ ବୋଲି ଆଶା କରାଯାଉଛି ।