ରାଜସ୍ଥାନ ରୟାଲ୍ସ ହାତ ଛାଡ଼ିଲେ ରାହୁଲ ଦ୍ରାବିଡ, ମୁଖ୍ୟ କୋଚ ପଦରୁ ଦେଲେ ଇସ୍ତଫା

ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ପଦରୁ ରାହୁଲ ଦ୍ରାବିଡ଼ଙ୍କ ଇସ୍ତଫା । ଏ ନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଘୋଷଣା କରାଯାଇଛି । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଆଗାମୀ ୨୦୨୬ IPL ପୂର୍ବରୁ ଫ୍ରାଞ୍ଚାଇଜି ସହ ସମ୍ପର୍କ ଶେଷ କରିଥିବା କୁହାଯାଇଛି ।ରାଜସ୍ଥାନ ରୟାଲ୍ସ ମଧ୍ୟ ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡଙ୍କ ବିଷୟରେ ପୋଷ୍ଟ ସେୟାର କରି ଲେଖିଛି, ‘ଗୋଲାପୀ ରଙ୍ଗରେ ତୁମର ଉପସ୍ଥିତି ଯୁବ ଏବଂ ଅଭିଜ୍ଞ ଉଭୟଙ୍କୁ ପ୍ରେରଣା ଦେଇଛି। ସର୍ବଦା ରାଜକୀୟ। ସର୍ବଦା କୃତଜ୍ଞ।’ଦ୍ରାବିଡ଼ ୨୦୨୪ ମସିହା ଜୁନରେ ଭାରତୀୟ କ୍ରିକେଟ୍ ଦଳର ଟି-୨୦ ବିଶ୍ୱକପ୍ ବିଜୟ ପରେ ଜାତୀୟ ଦଳର ମୁଖ୍ୟ କୋଚ୍ ପଦରୁ ଅବସର ନେଇଥିଲେ । ୨୦୨୪ ସେପ୍ଟେମ୍ବର ୬ରେ ତାଙ୍କୁ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା । ଦ୍ରାବିଡ଼ ପୂର୍ବରୁ ରାଜସ୍ଥାନ ରୟାଲ୍ସ ପାଇଁ ୨୦୧୧-୨୦୧୩ ପର୍ଯ୍ୟନ୍ତ ଖେଳିଥିଲେ । ୨୦୧୨ ରୁ ୨୦୧୩ ଅଧିନାୟକ ଏବଂ ମେଣ୍ଟର ଭାବେ ୨୦୧୪ ରୁ ୨୦୧୫ ଭାବେ କାର୍ଯ୍ୟ କରିଥିଲେ ।ଦ୍ରାବିଡଙ୍କ ନେତୃତ୍ୱରେ ରୟାଲ୍ସ ୨୦୧୩ରେ ଆଇପିଏଲରେ ତୃତୀୟ ସ୍ଥାନ ଓ ଚାମ୍ପିୟନ୍ସ ଲିଗ୍ ଟି-୨୦ ଫାଇନାଲରେ ପହଞ୍ଚିଥିଲା । ଗତ ଆଇପିଏଲ୍ ସିଜିନରେ ରାଜସ୍ଥାନ ରୟାଲ୍ସର ପ୍ରଦର୍ଶନ ନୈରାଶଜନକ ଥିଲା । ଦ୍ରାବିଡ଼ଙ୍କ ନେତୃତ୍ୱରେ ଦଳ ମାତ୍ର ୧୪ଟି ମ୍ୟାଚ୍ ରୁ ୪ଟି ଜିତିଥିଲା । ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ରହିଥିଲା । ଖରାପ ପ୍ରଦର୍ଶନ ସହ ଦ୍ରାବିଡ଼ ପାଦରେ ଆଘାତ ଯୋଗୁଁ ଅଧିକାଂଶ ସମୟ ହ୍ୱିଲଚେୟାରରେ ରହିଥିଲେ, ଯାହା ତାଙ୍କ କୋଚିଂ ଦାୟିତ୍ୱକୁ ଆହୁରି କଷ୍ଟକର କରିଥିଲା । ଫ୍ରାଞ୍ଚାଇଜି ରାହୁଲଙ୍କୁ ଆଉ ଏକ ବଡ଼ ଦାୟିତ୍ବ ଦେଇଥିଲା, କିନ୍ତୁ ଦ୍ରାବିଡ଼ ଏହା ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।