
ଚିଲିକାରେ ନୌକା ବିହାର କଲେ ମା’ ଭଗବତୀ । ବର୍ତ୍ତମାନ ଧରାପୃଷ୍ଠକୁ ଆସିଯାଇଛି ଶରତ ଋତୁ । ଓଡିଶାର ବିଭିନ୍ନ ଶକ୍ତି ପୀଠମାନଙ୍କରେ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠ ଅନ୍ୟତମ । ସେବାୟତମାନଙ୍କ ଗହଣରେ ମା’ ଭଗବତୀଙ୍କ କାଠି ଠାକୁରାଣୀ ମନ୍ଦିରରୁ ବାହାରି ବାଲୁଗାଁଠାରେ ପହଞ୍ଚିଥିଲେ ।ଏହାପରେ ପାଟଣାସାହି, ଗୁଣ୍ଡୁରୁପୁର ଓ ସାନ୍ତରାପୁର ପରିକ୍ରମା କରି ଚିଲିକା ହ୍ରଦ ମଧ୍ୟରେ ଅବସ୍ଥିତ ପୂର୍ବ ଦିଗରେ ଥିବା ସାନ ଭଉଣୀ ମା’ କାଳିଜାଈଙ୍କୁ ପବିତ୍ର ଶାରଦୀୟ ପାର୍ବଣ ଲାଗି ନିମନ୍ତ୍ରଣ କରିବା ପାଇଁ ନୌକା ବିହାର କରିଛନ୍ତି । ନୌକା ବିହାର କରି ମା’ କାଳିଜାଇଙ୍କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଶାରଦୀୟ ଦୁର୍ଗାପୂଜା ପାଇଁ ନିମନ୍ତ୍ରଣ କରି ଚିଲିକା ହ୍ରଦ ମଧ୍ୟରୁ ମା’ କାଳିଜାଈଙ୍କର ଆଜ୍ଞାମାଳ ନେଇ ଫେରିଥିଲେ ମା’ ଭଗବତୀ ।ଏହାପରେ ବିଳମ୍ବିତ ରାତ୍ରିରେ ବାଲୁଗାଁ ସ୍ଥିତ ସାନ୍ତରାପୁର ସାହିର ପାରମ୍ପରିକ ସାମନ୍ତରା ଦ୍ବାରରେ ମା’ ଭଗବତୀଙ୍କ କାଠି ଠାକୁରାଣୀ ପ୍ରଥମେ ପରମ୍ପରା ଅନୁଯାୟୀ ଶଙ୍କୁଡ଼ି ଭୋଗ ଖାଇଥିଲେ । ପରେ ଗୁଣ୍ଡୁରୁପୁର ସାହି, ପାଟଣା ସାହିରେ ଭୋଗ ଖାଇ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଉତ୍ସବକୁ ପାଣିତୋଳା ଉତ୍ସବ ବୋଲି କୁହାଯାଏ । ଉତ୍କଳର ପ୍ରାଚୀନ ଶକ୍ତିପୀଠ ମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମାଆ ଭଗବତୀଙ୍କ ପୀଠ ଅନ୍ୟତମ ।ଇତିହାସ ଅନୁସାରେ ଶାଳିଆ ନଦୀ କୁଳ ଘଞ୍ଚ ବେତ ଜଙ୍ଗଲରେ ମାଆ ଆର୍ବିଭୂତ । କାଠି ଭଗବତୀ ମାଆଙ୍କର ଅନ୍ୟ ଏକ ପ୍ରତିମା । ଯେଉଁଥିପାଇଁ ମା’ଙ୍କର ଖୁବ ମାନ୍ୟତା ରହିଛି । ଅନ୍ୟପଟେ ମା’ ଭଗବତୀଙ୍କ ଏହି ନୌକବିହାର ଉତ୍ସବରେ ବହୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ପାଇଁ ବାଲୁଗାଁ SDPOଙ୍କ ସମେତ ବହୁ ପୋଲିସ ଫୋର୍ସ ମୁତୟନ ହୋଇଥିଲା ।