ମଦ ଭାଟି ଭାଙ୍ଗିଲେ ମହିଳା, ମଦ ରନ୍ଧା ସାମଗ୍ରୀ ସବୁକୁ କଲେ ନଷ୍ଟ

ଘଟଗାଁ: ଶହ ଶହ ମହିଳା ହାତରେ ଠେଙ୍ଗା ବାଡ଼ି ଧରି ପହଞ୍ଚି ଯାଇଥିଲେ ମଦ ଭାଟିରେ । କିଛି ମହିଳା ପିଲା ଛୁଆ ଧରି ପହଞ୍ଚିଥିଲେ । ଯାହା ବି ହେଉ ଏ ମଦଭାଟିକୁ ଭାଙ୍ଗିବୁ ନହେଲେ ଆମ ଘର ଉଜୁଡ଼ି ଯିବ । ହଁ ଆଜ୍ଞା ଏମିତି କିଛି ଭାବି ଭାବି ଗାଁର ଶହ ଶହ ମହିଳା ଏକଜୁଟ ହୋଇଥିଲେ । ଆଗେଇ ଆଗେଇ ଚାଲିଥିଲେ ମଦ ଭାଟି ଆଡ଼କୁ । ତାପରେ ଆରମ୍ଭ କରିଥିଲେ ମଦ ଭାଟି ଭାଙ୍ଗିବା ।କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବାଉଁଶନଳିସ୍ଥିତ ସରକାରୀ ଦେଶୀ ମଦ ଭାଟିରେ ପଶି ବ୍ୟାପକ ଭଙ୍ଗାରୁଜା ସହ ପୋଡାଜଳା କରିଛନ୍ତି ସ୍ଥାନୀୟ ଅଞ୍ଚଳର ଶହ ଶହ ଆଦିବାସୀ ମହିଳା । ତେବେ ଏଠାରେ ଭାଟି ଥିବା ହେତୁ ସମସ୍ତଙ୍କ ପରିବାରରେ ଅଶାନ୍ତି ଲାଗି ରହୁଛି । ସ୍ବାମୀମାନେ ମଦ ପିଇ ଘରେ ଝଗଡା କରୁଛନ୍ତି । କିଛି ଲୋକ ଦୁର୍ଘଟଣାଗ୍ରସ୍ଥ ହୋଇ ବି ପ୍ରାଣ ହରାଉଛନ୍ତି । ଫଳରେ ଅନେକ ପରିବାର ଉଜୁଡିଯାଉଛି । ଏଥିସହ ବିନା ଗ୍ରାମସଭାରେ ଏହି ମଦ ଭାଟି ନିର୍ମାଣ ହୋଇଥିବା ଅଭିଯୋଗ କରିଛନ୍ତି ମହିଳମାନେ । ଏହି ସବୁ କାରଣ ଯୋଗୁ ବହୁ ବାର ଭାଟି ବନ୍ଦ ନେଇ ଦାବି ହୋଇଥିଲା । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ସ୍ଥାନୀୟ ହରିଡାଗୋଠର ମହିଳାମାନେ ହାତରେ ଠେଙ୍ଗା ବାଡ଼ି ଧରି ମଦ ଭାଟି ଭିତରେ ପଶିଥିଲେ । ପରେ ବ୍ୟାପକ ଭଙ୍ଗା ରୁଜା କରିବା ସହ ବହୁ ପରିମାଣର ମଦ, ମଦ ରନ୍ଧା ସାମଗ୍ରୀକୁ ନଷ୍ଟ କରି ଜଳାପୋଡା କରିଥିଲେ ମହିଳାମାନେ । ଘଟଣା ସ୍ଥଳରେ ହରିଚନ୍ଦନପୁର ପୋଲିସ ପହଁଚି ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିଥିଲେ ହେଁ ଉତ୍ୟକ୍ତ ମହିଳା ମାନିନଥିଲେ । ତେବେ ଘଟଣାକୁ ନେଇ ପୋଲିସ କି ମହିଳମାନଙ୍କର ପ୍ରତିକ୍ରିୟା ମିଳିପାରିନି ।