
ବାଲେଶ୍ଵର: ବିକଟାଳ ଡିଜେ ଶବ୍ଦରେ ଥର ହର ସହରବାସୀ । ଆବଶ୍ୟକତା ଠାରୁ ଅଧିକ ଶବ୍ଦ ବ୍ୟବହାର ସହ ବଡ଼ ବଡ଼ ସାଉଣ୍ଡ ବାକ୍ସ ସାଙ୍ଗକୁ ଝିଲ ମିଲ ଲାଇଟରେ ମତୁଆଲା ସହରୀ ଯୁବକ । ବୟସ୍କ, ଶିଶୁ ଓ ହୃଦ୍ ରୋଗୀ ଏହାସହ ଜନଗହଳି ପୂର୍ଣ୍ଣ ସହର ତଥା ଗଳିକନ୍ଦିକୁ କାହାରି ଖାତିର ନାହିଁ । ଗୋଟିଏ ପରେ ଗୋଟିଏ ମେଢ଼ ଧାଡ଼ି ଧାଡ଼ି ହୋଇ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଛିଡା ହୋଇଥିବା ବେଳେ ବଡ ବଡ଼ ଡ଼ିଜେ ଗାଡ଼ି । ଏ ଦୃଶ୍ୟ ହେଉଛି ବାଲେଶ୍ଵର ସହରର ଗଣେଶ ଭଷାଣୀ ବେଳର । ବିକଟାଳ ଡିଜେ ଶଦ୍ଦ ଏତେ ମାତ୍ରାରେ ଲୋକଙ୍କୁ ଅତିଷ୍ଠ କରୁଛି ଯେ ପାଖରେ ଛିଡ଼ା ହେଲେ ଛାତି ଥରେଇ ଦେଉଛି ।ଏସବୁ ଦେଖିଲେ କେହିବି ଅନୁମାନ କରିପାରିବ ଯେ ପୂଜା କମିଟି ଆଉ ମତୁଆଲା ଯୁବକମାନେ ସବୁ ଆଇନ କାନୁନକୁ ଫୁ କରିଦେଇଛନ୍ତି । ଆଉ ଏସବୁର ନୀରବ ଦ୍ରଷ୍ଟା ସାଜିଛି ବାଲେଶ୍ଵର ଜିଲ୍ଲା ପ୍ରଶାସନ । ବାଲେଶ୍ଵରରେ ସମସ୍ତ ପର୍ବପର୍ବାଣୀ ପୂର୍ବରୁ ଶାନ୍ତି କମିଟି ମାଧ୍ୟମରେ ପୂଜା ଓ ଭଷାଣୀ ସମ୍ପର୍କରେ ସମସ୍ତ ନୀତି ନିର୍ଦ୍ଧାରଣ ନିଆଯାଏ । ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଠାରୁ ଆରମ୍ଭ କରି ପୂଜା କମିଟିର ନୈତିକ ନେତୃବର୍ଗ ଓ ସାହି ମୁଖିଆମାନେ ରହିଥାନ୍ତି । କିନ୍ତୁ ଶାନ୍ତି କମିଟି ମାଧ୍ୟମରେ ନିଆଯାଇଥିବା ନିଷ୍ପତ୍ତି ବାସ୍ତବରେ କାର୍ଯ୍ୟକାରୀ ହେଲା ବେଳକୁ ବଦଳିଯାଏ ।ଆଇନ ଅନୁସାରେ ୬୫ ଡେସିବିଲ ସାଉଣ୍ଡ ସହ ସୀମିତ ସାଉଣ୍ଡ ବକ୍ସରେ ଭସାଣି, ଆଇନ ଶୃଙ୍ଖଳା ନଷ୍ଟ ନକରିବା ଓ ବିଦ୍ୟୁତ ବିଭାଗ ସମେତ ସମସ୍ତ ପ୍ରଶାସନିକ ବିଭାଗକୁ ଦାୟିତ୍ଵ ବଣ୍ଟନ କରାଯାଏ । କିନ୍ତୁ ଚଳିତ ବର୍ଷ ଗଣେଶ ପୂଜା ଭସାଣୀ ବେଳେ ଏକ ବିରାଟ ବିଭ୍ରାଟ ଦେଖିବାକୁ ମିଳିଥିଲା । କାହାର ଘର ଝରକା ଭାଙ୍ଗିଛି ତ, ବଡ଼ ବଡ଼ ସାଉଣ୍ଡ ବକ୍ସ ସାଙ୍ଗକୁ ବିକଟାଳ ଶବ୍ଦରେ କାହାର ଚେତା ଗଲାଣି, ନା ମେଡିକାଲ, ନା ସ୍କୁଲ ଶିକ୍ଷାନୁଷ୍ଠାନ ନା ସାଇଲେଣ୍ଟ ଜୋନ ସବୁଠି ଅସୁବିଧା ଡିଜେ ସାଉଣ୍ଡକୁ ନେଇ ।ଏହାସହ ନିର୍ଦ୍ଧାରିତ ଉଚ୍ଚତା ଠାରୁ ମୂର୍ତ୍ତିର ଉଚ୍ଚତା ବୃଦ୍ଧି, ଘନ ଘନ ବିଦ୍ୟୁତ କାଟ ପାଇଁ ସଂପୂର୍ଣ୍ଣ ବାଲେଶ୍ଵର ସହର ବାସୀ ଅତିଷ୍ଠ ହୋଇଥିବା ବେଳେ ଯାହାକୁ ନେଇ ବାଲେଶ୍ଵର ସହର ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏପଟେ ଭଷାଣୀ ବିଭ୍ରାଟକୁ ନେଇ ବାଲେଶ୍ଵର ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି ଗଣେଶ ପୂଜା ପ୍ରଥମ ପର୍ଯ୍ୟାୟ ଭସାଣିରେ ଯେଉଁ ମାନେ ବିଶୃଙ୍ଖଳା କରିଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ମଧ୍ୟରେ ଏକ ସମନ୍ୱୟ ବୈଠକ ହେବ ।ଏହାସହ ପ୍ରଶାସନ ଯେଉଁ ଆଇନକୁ କାର୍ଯ୍ୟକାରୀ କରୁଛି ତାହା ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ । ଏହାକୁ ସମସ୍ତେ ଅନୂପାଳନ କରନ୍ତୁ ବୋଲି ଜିଲ୍ଲାପାଳ ଲୋକଙ୍କୁ ନିବେଦନ କରିଛନ୍ତି । ଅନ୍ୟପଟେ ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ବିନା ଅନୁମତିରେ ବାଜୁଥିବା ୬ ଟି ଡିଜେ ଗାଡ଼ିକୁ ଅଟକ ରଖିଲେ ବସ୍ତା ପୋଲିସ । ସରକାର ଡିଜେ ବଜାଇବା ଉପରେ କଟକଣା ଲଗାଇଥିବା ବେଳେ ବେଆଇନ ଭାବରେ ସରକାରୀ ନିୟମକୁ ବେଖାତିର କରି ବାଜୁଥିବାରୁ ଡିଜେ ସବୁକୁ ଅଟକ ରଖିଛି ପୋଲିସ୍ । ଗଣେଶ ପୂଜା ଭସାଣୀ ଅବସରରେ ରାତିରେ ବିଭିନ୍ନ ସ୍ଥାନରେ ବାଜୁଥିଲା ଡିଜେ ।ବସ୍ତା ଥାନା ଅନ୍ତର୍ଗତ ପତ୍ରଝଡ଼ା, ଗାନ୍ଧୀଛକ, ମଥାନୀ, ଗୋଡିଖାଳ, ଚନ୍ଦନେସିଆ ଅଞ୍ଚଳରୁ ଡିଜେ ଜବତ କରିଛି ପୋଲିସ । ତେବେ ଡିଜେ ବନ୍ଦ ପାଇଁ ପୋଲିସ ପକ୍ଷରୁ କୌଣସି ସୂଚନା ନଥାଇ ବି କାହିଁକି ଅଟକ ରଖିଲା ବୋଲି ପ୍ରଶ୍ନ କରିଛନ୍ତି ଡିଜେ ମାଲିକ । ଏନେଇ ବସ୍ତା ଥାନାରେ ଡିଜେ ମାଲିକ ଏବଂ କର୍ମଚାରୀମାନେ ପାଟିତୁଣ୍ଡ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ବସ୍ତା ସମେତ ସିମୁଳିଆ, ସୋର, ଜଳେଶ୍ଵର ଏବଂ ବାଲେଶ୍ଵର ଅଞ୍ଚଳରେ ବହୁ ଡିଜେକୁ ସିଜ କରିଛି ପୋଲିସ ।