ଚିକିତ୍ସା ଅବହେଳାରୁ ଗର୍ଭବତୀ ଆଶାକର୍ମୀଙ୍କ ମୃତ୍ୟୁ ଅଭିଯୋଗ, ରାଜରାସ୍ତାରେ ପରିବାର ଓ ଗ୍ରାମବାସୀଙ୍କ ଆନ୍ଦୋଳନ

ଉମରକୋଟ: ଦିନେ ସମସ୍ତ ଗର୍ଭବତୀଙ୍କ ପାଇଁ ଆଗରେ ଛିଡ଼ା ହେଉଥିଲେ ଦମୟନ୍ତି । କେହି ନଥିଲେ ବି ଦମୟନ୍ତି ସମସ୍ତ ଗର୍ଭବତୀ ମହିଳାଙ୍କ ପାଇଁ ସାହାରା ପାଲଟିଥିଲେ । କିନ୍ତୁ ନିଜେ ଗର୍ଭବତୀ ଅବସ୍ଥାରେ ମୃତ୍ୟୁବରଣ କଲେ । ପ୍ରସୂତି ବେଳେ ଭୁଲ ଚିକିତ୍ସା ଯୋଗୁଁ ଆଶାକର୍ମୀ ଦମୟନ୍ତିଙ୍କ ମୃତ୍ୟୁ ଘଟିଥିବା ହୋଇଛି ଅଭିଯୋଗ ।ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପ୍ରସବ ପାଇଁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବଡ଼ବାସନୀ ଗାଁର ଆଶାକର୍ମୀ ଦମୟନ୍ତି ଭତ୍ରା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ୩୧ ଅଗଷ୍ଟ ଅପରାହ୍ନରେ ପ୍ରସବ ବେଦନା ହେବାରୁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ଆଶାକର୍ମୀ ଦମୟନ୍ତି । ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଘଣ୍ଟା ଧରି ତାଙ୍କର ଚିକିତ୍ସା କରାଯାଇଥିଲା, ତେବେ ଆଶାକର୍ମୀ ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁରକୁ ରେଫର କରାଯାଇଥିଲା । କିନ୍ତୁ ନବରଙ୍ଗପୁର ଯିବା ସମୟରେ ରାସ୍ତାରେ ମୃତ୍ୟୁବରଣ କରିଥିଲେ ଦମୟନ୍ତି । ଏହାକୁ ନେଇ ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା । ଆଶା କର୍ମୀଙ୍କ ପରିବାର ଏବଂ ଆଶା ସଂଘ ଘଟଣାକୁ ନେଇ ଚିକିତ୍ସା କରୁଥିବା ଚିକିତ୍ସକଙ୍କୁ ଦାୟୀ କରିଛନ୍ତି । ଚିକିତ୍ସକଙ୍କର ଅବହେଳା ଯୋଗୁ ଅକାଳରେ ଆଶାକର୍ମୀ ମୃତ୍ୟୁବରଣ କରିଥିବା ପ୍ରକାଶ କରିଛନ୍ତି ପରିବାର ଏବଂ ଆଶା ସଂଘ । ଏହି ଘଟଣା ପରେ ଉମରକୋଟ ଡିଏନକେ ମେଡିକାଲ ଛକ ଠାରେ ମୃତ ଆଶାକର୍ମୀଙ୍କ ମରଶରୀର ରଖି କ୍ଷତି ପୂରଣ ଦାବି କରିଥିଲେ ଗ୍ରାମବାସୀ ଓ ପରିବାର ଲୋକେ । ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବା ଫଳରେ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ । ଜିଲ୍ଲା ଆଶା କର୍ମୀ ସଂଘ ଓ ଜିଲ୍ଲା ମଜଦୁର ସଂଘ ମିଳିତ ଭାବେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଥିଲା ।ସେପଟେ ମୃତ ଆଶାକର୍ମୀଙ୍କ ମରଶରୀରକୁ ଗ୍ରାମବାସୀମାନେ କୋକେଇ ସାହାଯ୍ୟରେ ପ୍ରାୟ ୫ କିଲୋମିଟର ବୋହି ବୋହି ଉମରକୋଟ ଆଣିଥିଲେ । ପରେ ରାଜରାସ୍ତାରେ ରଖି ପ୍ରତିବାଦ କରୁଥିଲେ ଆନ୍ଦୋଳନକାରୀ । ଫଳରେ ଉମରକୋଟରୁ ନବରଙ୍ଗପୁରକୁ ଗାଡି ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା ।ଆଶାକର୍ମୀଙ୍କ ମୃତ୍ୟୁକୁ ନେଇ ଏବେ ନବରଙ୍ଗପୁର ଜିଲ୍ଲାରେ ଚାଲିଛି ଚର୍ଚ୍ଚା । ତେବେ ଆଶାକର୍ମୀଙ୍କ ପରିବାରକୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କ୍ଷତିପୂରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି ପରିବାର ତଥା ଆନ୍ଦୋଳନକାରୀ ।